ଝାରସୁଗୁଡ଼ା ଜିଲ୍ଲାରେ ଉଜୁଡ଼ି ଯାଉଛି ପରିବେଶ; ଜଳ, ଜମି, ଜଙ୍ଗଲ ସବୁ ଭୁଲୁଣ୍ଠିତ

ଝାରସୁଗୁଡ଼ା : ପ୍ରକୃତି କୋଳରେ ମଣିଷ ସହିତ ଅଗଣିତ ପଶୁପକ୍ଷୀ, କୀଟପତଙ୍ଗ ବିଭିନ୍ନ ପ୍ରଜାତିର ଜୀବ ବସବାସ କରିଥାନ୍ତି। ପ୍ରାକୃତିକ ପରିବେଶରେ ଋତୁ ଅନୁଯାୟୀ ଫୁଲଫଳ ଗଛଲତା ସୃଷ୍ଟି ହେଉଥିବା ବେଳେ ତା’ସହିତ ଜୀବ ଜଗତ ମଧ୍ୟ ନିର୍ଭର କରିଥାଏ। ମାତ୍ର ପରିବେଶ ସନ୍ତୁଳନ ହରାଇଲେ ଜୀବ ଜଗତ ବଞ୍ଚି ରହିବା କଷ୍ଟକର ହୋଇ ପଡେ। ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପାୟନ ଓ କୋଇଲା ଖଣି ବୃଦ୍ଧି ପାଇବା ପରେ ପ୍ରଦୂଷଣ କାହିଁରେ କାହିଁ ବୃଦ୍ଧି ପାଇଛି। କଳ କାରଖାନା ମାନେ ପରିବଶେ ସୁରକ୍ଷା ନୀତି ନିୟମକୁ ଅଣଦେଖା କରୁଥିବା ବେଳେ ବେଆଇନ ଲଘୁ ଖଣିଜ ଉତ୍ତୋଳନ ଓ ଚୋରା ଚାଲାଣ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କୋହଳ ମନୋଭାବ, ବେଆଇନ ଇଟାଭାଟି ବୃଦ୍ଧି ଯୋଗୁଁ ସମଗ୍ର ଜିଲ୍ଲା ଏବେ ପ୍ରଦୂଷଣ ଫାସରେ ଝୁଲି ରହିଛି।

କାରଖାନା ବୈର୍ଜ୍ୟ ବସ୍ତୁର ସଫଳ ପରିଚାଳନାରେ ଗୁରୁତର ତୃଟି ପରିବେଶକୁ ଆହୁରି ବିଗାଡ଼ି ଦେଇଛି। କାରଖାନାରୁ ନିର୍ଗତ ଉଡ଼ନ୍ତା ପାଉଁଶ ନଦୀ, ନାଳ, ଜଙ୍ଗଲ ଜମି ଓ ଚାଷ ଜିମରେ ପକାଯିବା ଫଳରେ ପରିବେଶ ବିଷାକ୍ତ ହୋଇ ଉଠୁଛି। ନଦୀ ନାଳର ପାଣି ପ୍ରଦୂଷିତ ହେଉଥିବା ବେଳେ ଚାଷ ଜିମି ମଧ୍ୟ ନଷ୍ଟ ହେଉଛି। କାରଖାନାରୁ ନିର୍ଗତ ବର୍ଜ୍ୟ ବସ୍ତୁର ସଠିକ୍‌ ପରିଚାଳନାର ଅଭାବ ସହିତ ତାପଜ ଶିଳ୍ପର ବିଷାକ୍ତ ପଦାର୍ଥ ଜିଲ୍ଲାର ବାୟୁମଣ୍ଡଳରେ ବ୍ୟାପି ବ୍ୟାପକ ପ୍ରଦୂଷିତ ହୋଇଛି। ଅନ୍ୟପଟେ ବ୍ୟାପକ ଯାନବାହନ ଚଳାଚଳ , ମୋବାଇଲ , ଏସି ଭଳି ସାବଗ୍ରୀର ବହୁଳ ବ୍ୟବହାର ଯୋଗୁଁ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ପରିବେଶ ଅସନ୍ତୁଳିତ ହୋଇ ପଡ଼ୁଛି। ମାଫିଆ ମାନେ ସରକାରୀ ଅଧିକାରୀ ଓ ରାଜନୈତିକ ପୃଷ୍ଠପୋଷକତା ପାଇ ଜଙ୍ଗଲ ଓ ନଦୀ ଉଜାଡ଼ି ଦେଉଛନ୍ତି। ଜଙ୍ଗଲ ଭିତରେ ବିଷ୍ଫୋରଣ କରି ବ୍ୟାପକ ଜଙ୍ଗଲ ସଂପଦ ନଷ୍ଟ କରୁଥିବା ବେଳେ କୋଟି କୋଟି ଟଙ୍କାର ପଥର ଖୋଳି ନେଉଥିଲେ ମଧ୍ୟ ଏହା ଉପରେ ଅଙ୍କୁଶ ଲଗାଯାଇ ପାରୁନାହିଁ। ସେହିପରି ଜିଲ୍ଲାର ଇବ୍‌, ବସୁନ୍ଧରା ଭଳି ନଦୀରୁ ବେଆଇନ ଭାବରେ ବା‌ଲି ଉତ୍ତୋଳନ କରାଯାଉଥିବାରୁ ନଦୀର ଗତପଥରେ ପରିବର୍ତ୍ତନ ହେଉଛି। ଆଧୁନିକତା ନାମରେ ବ୍ୟାପକ ଜଙ୍ଗଲ କ୍ଷୟ ଓ ସିମେଣ୍ଟ ଜଙ୍ଗଲ ସୃଷ୍ଟି ମଧ୍ୟ ପରିବେଶକୁ ଆହୁରି ସଙ୍କଟ ଆଡ଼କୁ ବାଟ କଢ଼ାଇ ଦେଇଛି। ମୋବାଇଲ ବ୍ୟାପକ ବ୍ୟବହାର ଯୋଗୁଁ ଟାୱାର ମଧ୍ୟ ସେହି ଅନୁପାତରେ ନିର୍ମାଣ ହେଉଛି। ଏଥିରୁ ନିର୍ଗତ ରେଡ଼ିଏସନ୍‌ର କୁପ୍ରଭାବ ସିଧାସଳଖ ଜୀବଜଗତ ଉପରେ ପଡ଼ୁଛି। ଏଥିରୁ ବାହାରୁଥିବା ବିକିରଣରେ ମଣିଷ ସମେତ ପଶୁପକ୍ଷୀ ଗୁରୁତର ଭାବରେ ପ୍ରଭାବିତ ହେଉଥିବାରୁ ପରିବେଶବିତ୍‌ମାନେ ଏହାକୁ ନେଇ ବାରମ୍ବାର ସତର୍କ କରୁଛନ୍ତି।

4freephotos.com

ସଂପ୍ରତି ଲକ୍‌ଡାଉନ୍‌ ଫଳରେ ଯାନବାହନ ଚଳାଚଳ ବନ୍ଦ ଥିବାରୁ ପରିବଶରେ ଏହାର ଉତ୍ତମ ପ୍ରଭାବ ପଡ଼ିଥିଲା। ଶାନ୍ତ ପରିବେଶ ଯୋଗୁଁ ସହରରେ ବିଭିନ୍ନ ପ୍ରକାର ଚଢ଼େଇ ମାନଙ୍କୁ ଦେଖିବାକୁ ମିଳୁଥିଲା। ଏବେ ପୁଣି ଯାନବାହନ ଚଳାଚଳ ଆରମ୍ଭ ହୋଇଯାଇଛି । କଳକାରଖାନାରୁ ବିଷାକ୍ତ କଳା ଧୂଆଁ ଅହରହ ନିର୍ଗତ ହେବା ଦେଖା ଗଲାଣି। ଜିଲ୍ଲାରେ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଝାରସୁଗୁଡ଼ା ଆକାଶରେ ପକ୍ଷୀ ଉଡ଼ୁଥିବା ପ୍ରାୟତଃ ଦେଖା ଯାଏନାହିଁ। ରାଜ୍ୟର ସବୁଠାରୁ କମ୍‌ ପରିମାଣ ଜଙ୍ଗଲ ଥିବା ଏହି ଜିଲ୍ଲାରେ ପକ୍ଷୀ ବଂଶ ନିଶ୍ଚିହ୍ନ ହୋଇ ଯାଉଥିବା ଦେଖା ଯାଉଛି। ପକ୍ଷୀଙ୍କ କିଚିରମିଚିର ଶବ୍ଦ ଶୁଭେନି। କଳକାରଖାନାରୁ ଚିମିନି ଦ୍ୱାରା ନିର୍ଗତ ବିଷାକ୍ତ କଳା ଧୂଆଁ, ଧୂଳି, ପାଉଁଶ ଗୁଣ୍ଡରେ ମଣିଷ ରୋଗଗ୍ରସ୍ତ ହୋଇ ପଡ଼ୁଥିବା ବେଳେ ଏହା ପକ୍ଷୀ ବ˚ଶକୁ ଅଚିରେ ଧ୍ବସ˚ କରି ଦେଇଥାଏ । ସକାଳ ପାଇଲେ ନିଦ ଭାଙ୍ଗୁଥିବା କାଉ ଝାରସୁଗୁଡ଼ାରେ ଦେଖା ଯାଆନ୍ତି ନାହିଁ । ସକାଳୁ ଓ ସନ୍ଧ୍ୟାରେ କିଚିର ମିଚିର କରି ଗଛଡାଳକୁ ଉଡି ଯାଉଥିବା ଘରଚଟିଆ ଦୀର୍ଘ ବର୍ଷରୁ ହଜି ଗଲେଣି । ଏବେ କେବଳ କିଛି ପାରାକୁ ଛାଡ଼ି ଦେଲେ ଆଉ ମଇନା, ତିତେର, କୋଇଲି, ଶଙ୍ଖଚିଲ, ସାଗୁଣା ଭଳି କୌଣସି ପକ୍ଷୀ ଝାରସୁଗୁଡ଼ା ଅକାଶରେ ଦେଖା ଯାଉନାହାନ୍ତି ।

କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଭାରତର ଶହେ ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ା ସହରର ନାମ ଉଲ୍ଳେଖ କରିବା ପରେ ପରିବେଶବିତଙ୍କ ମନରେ ଛନ୍‌କା ପଶିଛି ସତ କିନ୍ତୁ ଏହାର ପ୍ରତିକାର ଲାଗି ସାମୁହିକ ଉଦ୍ୟମ କରାଯାଇ ପାରୁନାହିଁ। କେବଳ ଝାରସୁଗୁଡ଼ା ନୁହେଁ ବେଲପାହାଡ଼, ବ୍ରଜରାଜନଗର, କୋଲାବିରା, ଲଖନପୁର ଅଞ୍ଚଳ ମଧ୍ୟ ପ୍ରଦୂଷଣର ଚକ୍ରବ୍ୟୁହରେ ଫଶି ଯାଇଛି। ଜିଲ୍ଲାର ହୀରାକୁଦ ଜଳଭଣ୍ତାର ଅଞ୍ଚଳରେ ଦେଖା ଯାଉଥିବା ବିଦେଶୀ ପକ୍ଷୀ ସ୍ଥାନୀୟ ଭାଷାରେ ବରଲ, ହରଲ ଆଉ ଆସୁ ନାହାନ୍ତି । ମହାନଦୀରେ ପାଣି ନଥିବାରୁ ନଦୀକୂଳ ଶୁଖିଲା ପଡ଼ିଛି । ଜଳଭଣ୍ତାରରେ ରହୁଥିବା ହ˚ସରାଳି, ପାଣିକୋଇଲି, ବଗ, ମାଛରଙ୍କା ଖୁବ୍‌ କମ୍‌ ଦେଖାଯାଉଛନ୍ତି । ତେବେ ଶିଳ୍ପକୁ ବନ୍ଦ କରାଯାଇ ପାରିବ ନାହିଁ । ତେବେ ପ୍ରାକୃତିକ ପରିବେଶକୁ ସନ୍ତୁଳନ କରିବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି । ସବୁଜ ବନାନୀ ସୃଷ୍ଟି କରିବାକୁ ପଡ଼ିବ । ରାଜ୍ୟର ସବୁଠାରୁ କମ୍‌ ଜଙ୍ଗଲ ରହିଛି ଝାରସୁଗୁଡ଼ା ଜିଲ୍ଲାରେ । ଏଠାରେ ଅଛି ମାତ୍ର ୧୮ ପ୍ରତିଶତ ଜଙ୍ଗଲ । ଦୃତ ପରିବେଶ ହାନି ଯୋଗୁଁ ଭୂତଳ ଜଳସ୍ତର ସାଢ଼େ ୩ ଶହ ଫୁଟ ତଳକୁ ଚାଲି ଗଲାଣି । ପରିବେଶ ସୁରକ୍ଷା ପାଇଁ ଦୀର୍ଘ ସୁତ୍ରୀ ପଦକ୍ଷେପ ନନେଲେ ଆଗାମୀ ଦିନରେ ମାନମ ସମାଜ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର