ଭିତରକନିକା ପାଇଁ ପରିବେଶ ସୁରକ୍ଷା ଚିନ୍ତା: ପର୍ଯ୍ୟାବରଣ ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷିତ

ଶବ୍ଦ ପ୍ରଦୂଷଣ, ଗାଡ଼ି ଚଳାଚଳ ଉପରେ ଲାଗିବ କଟକଣା

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୦.୧୦ କିଲୋମିଟର୍‌ରୁ ୮.୭ କିମି ପର୍ଯ୍ୟନ୍ତ ପର୍ଯ୍ୟାବରଣ ସମ୍ବେଦନଶୀଳ ଅଞ୍ଚଳ ବା ଇକୋ ସେନ୍ସିଟିଭ୍ ଜୋନ୍‌ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ୯ ଜୁନ୍‌ ୨୦୨୪ରେ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଅଧିସୂଚନା ପ୍ରକାଶର ୬୦ ଦିନ ଭିତରେ ପ୍ରସ୍ତାବ ବା ଆପତ୍ତି ବା ପରାମର୍ଶ ଆହ୍ବାନ କରାଯାଇଛି। ୬୦ ଦିନର ଅବଧି ପରେ ଏହା ଆଇନ୍‌ରେ ପରିଣତ ହେବ। ଏହି ଇକୋ ସେନ୍ସିଟିଭ୍ ଜୋନ୍ ଆଇନ୍‌ ବିଜ୍ଞପ୍ତିକୁ ନେଇ ରାଜନଗରବାସୀଙ୍କ ସମେତ ୨୦୫ଟି ଗାଁର ଅଧିବାସୀ ଏବେ ଆଶଙ୍କାରେ ପଡ଼ିଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଗେଜେଟ୍ ଅନୁଯାୟୀ ମ୍ୟାନ୍‌ଗ୍ରୁଭ୍‌ ଫରେଷ୍ଟ ଡିଭିଜନ୍, ୱାଇଲ୍ଡ ଲାଇଫ୍‌ର ୩ଟି ପ୍ରୋଟେକ୍ଟେଡ୍ ଅଞ୍ଚଳ ଭିତରକନିକା ୱାଇଲ୍ଡ ଲାଇଫ୍ ସାଞ୍ଚୁରି (୧୯୭୫), ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ (୧୯୯୭), ଭିତରକନିକା ନ୍ୟାସ୍‌ନାଲ ପାର୍କ (୧୯୯୮)ର ପାଚେରିର ୧୦୦ ମିଟର୍‌ରୁ ୮.୭ କିଲୋମିଟର୍‌ ଯାଏ ପରିଧିକୁ ପରିବେଶ ସ୍ପର୍ଶକାତର ଅଞ୍ଚଳ (ଇକୋ ସେନ୍ସିଟିଭ୍ ଜୋନ୍) ଭାବେ ଘୋଷଣା କରାଯାଇଛି। ୩ଟି ପ୍ରୋଟେକ୍ଟେଡ୍‌ ଅଞ୍ଚଳର ୧୦୦ ମିଟର୍‌ରୁ ୮.୭ କିଲୋମିଟର୍‌ ଯାଏ ଅଞ୍ଚଳରେ ଏହି ଆଇନ୍ ଲାଗୁ ହୋଇଛି। ମୋଟ ଉପରେ ୪୯୭.୬୭ ବର୍ଗ କିଲୋମିଟର ଅଞ୍ଚଳରେ ଏହି ଆଇନ୍ ଲାଗୁ ହେବାକୁ ଯାଉଛି। ଭିତରକନିକାରେ ୮୮ ପ୍ରକାରର ବିରଳ ଲୁଣା ଗଛ, କ୍ରୋକଡାଇଲ୍ ପ୍ରୋଜେକ୍ଟ, ଏସିଆର ସବୁଠୁ ବଡ଼ ବଗଗହନ ରହିଛି। ଏହା ବ୍ୟତୀତ ଭିତରକନିକାକୁ ରାମସାର୍‌ ସାଇଟ୍ ରୂପେ ଘୋଷଣା କରାଯାଇଥିବା ବେଳେ ଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ମିଳିସାରିଛି। ଏଠାରେ ଥିବା ଗହୀରମଥାରେ ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ମଧ୍ୟ ହେଉଛି। ଏଥିରେ ମୁହାଣ, ସମୁଦ୍ର ପରିସଂସ୍ଥା ସହିତ ୬୧ ପ୍ରଜାତିର ଅମେରୁଦଣ୍ତୀ ପ୍ରାଣି, ୨୦ ପ୍ରଜାତି ମାଛ, ୫ ପ୍ରଜାତିର ଉଭୟଚର ପ୍ରାଣୀ, ୪୨ ପ୍ରଜାତିର ସରୀସୃପ, ୨୮୦ ପ୍ରଜାତିରୁ ଅଧିକ ପକ୍ଷୀ, ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ବସବାସ କରୁଛନ୍ତି। ଏଥିପାଇଁ ଭିତରକନିକାର ୮.୭ କିମି ପର୍ଯ୍ୟନ୍ତ ଅଞ୍ଚଳକୁ ପର୍ଯ୍ୟାବରଣ ସମ୍ବେଦନଶୀଳ ଘୋଷଣା କରାଯାଇଛି। ଏଥିସହ ଏହି ୩ଟି ସଂରକ୍ଷିତ ଅଞ୍ଚଳ ସଂଲଗ୍ନ ଯେତେ ଜଳଉତ୍ସ, ଭୂମି ଅଛି, ସେ ସବୁକୁ ଇକୋ ସେନ୍ସିଟିଭ୍ ଜୋନ୍ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।

କିନ୍ତୁ ଏହି ପରିଧି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ର ୫୨ଟି ଗାଁ, ପଟ୍ଟାମୁଣ୍ତାଇ ବ୍ଲକ୍‌ର ୮ଟି ଗାଁ, ମହାକାଳପଡ଼ା ବ୍ଲକ୍‌ର ୩୮ଟି ଗାଁ, ଆଳି ବ୍ଲକ୍‌ର ୩୨ଟି ଗାଁ, ରାଜକନିକା ବ୍ଲକ୍‌ର ୩୦ଟି ଗାଁ ସମେତ ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାଂଶଡ଼ା, ତିହିଡି ବ୍ଲକ୍‌ର ୪୫ଟି, ଏଭଳି ମୋଟ୍ ୨୦୫ଟି ଗାଁ ଆସୁଛି। ଇକୋ ସେନ୍ସିଟିଭ୍ ଜୋନ୍‌ର ଚୂଡାନ୍ତ ଗେଜେଟ୍ ପ୍ରକାଶ ପାଇଲା ପରେ ଏହି ୨୦୫ଟି ଗାଁରେ ଶବ୍ଦ ପ୍ରଦୂଷଣ ଠାରୁ ଆରମ୍ଭ କରି ବାୟୂ ପ୍ରଦୂଷଣ, ଭୂମି ପରିଚାଳନା, ଜଳଉତ୍ସର ବ୍ୟବହାର, ଆବର୍ଜନା ପରିଚାଳନା ଉପରେ ରୋକ୍ ଲାଗିବା ସହିତ ଗାଡ଼ି ଚଳାଚଳ ମଧ୍ୟ ନିୟନ୍ତ୍ରିତ ହେବ। ଏପରିକି ଇକୋ ସେନ୍ସିଟିଭ୍ ଜୋନ୍ ମଧ୍ୟରେ ନୂତନ ନିର୍ମାଣ ଉପରେ କଟକଣା ସହିତ ପର୍ଯ୍ୟଟନ ଭିତ୍ତିକ କାର୍ଯ୍ୟକ୍ରମ ବି ନିର୍ଦ୍ଦିଷ୍ଟ ନିୟମ ଭିତରେ ହେବ। ଏହି ଇକୋ ସେନ୍ସିଟିଭ୍ ଜୋନ୍‌କୁ କ୍ରିୟାଶୀଳ ଭାବେ ପରିଚାଳନା କରିବାକୁ ସ୍ଥାନୀୟ ଲୋକଙ୍କ ମତାମତ ନେଇ ରାଜ୍ୟ ସରକାର ୨ବର୍ଷ ଭିତରେ ଜୋନାଲ୍ ମାଷ୍ଟର୍‌ ପ୍ଲାନ୍ ପ୍ରସ୍ତୁତ କରିବେ। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ, ସହରାଞ୍ଚଳ ବିକାଶ, ପର୍ଯ୍ୟଟନ, ମ୍ୟୁନିସ୍‌ପାଲିଟି, ରାଜସ୍ବ, କୃଷି, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ପୂର୍ତ୍ତ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣଙ୍କ ସହିତ ଆଲୋଚନା କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିବେଶ ଆଇନ୍‌କୁ ଭିତ୍ତିକରି ଏହି ମାଷ୍ଟର୍‌ ପ୍ଲାନ୍ ତିଆରି ହେବ। ପରିବେଶ ସମ୍ବେଦନଶୀଳ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ମନିଟରିଙ୍ଗ୍‌ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏହି କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପ୍ରତିନିଧି, କେନ୍ଦ୍ରାପଡ଼ା ଏସ୍‌ପି, ଏନ୍‌ଜିଓ ସଦସ୍ୟ, ରାଜ୍ୟ ସରକାରଙ୍କ ମନୋନୀତ ପରିବେଶବିତ୍, ପ୍ରଦୂଷଣ ବିଭାଗର ସଚିବଙ୍କ ପ୍ରତିନିଧି, ଭଦ୍ରକ ଡିଏଫ୍ଓଙ୍କ ସହିତ ରାଜନଗର ଡିଏଫ୍ଓ ଏହାର ସଦସ୍ୟ ସଚିବ ରହିବେ।

ସମ୍ବନ୍ଧିତ ଖବର