ବୌଦ୍ଧ/ହରଭଙ୍ଗା/ପୁରୁଣାକଟକ: ସାଂପ୍ରତିକ ସ୍ଥିତିରେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମସ୍ତେ ଅଳ୍ପବହୁତ ଅନୁଭବ କରୁଛନ୍ତି। ଆଧୁନିକତା ଓ ବିକାଶର ବାହାନାରେ ଈଶ୍ବରଙ୍କ ଶ୍ରେଷ୍ଠ ସୃଷ୍ଟି ବୋଲାଉଥିବା ମାନବ ସମାଜ ପ୍ରାକୃତିକ ପରିବେଶକୁ ନଷ୍ଟ କରିବାରେ ଲାଗିଛି। ମାଟି, ପାଣି, ପବନ ସବୁକିଛି ଦୂଷିତ ହେବାରେ ଲାଗିଛି। ଯାହାକି ସମଗ୍ର ଜୀବସତ୍ତା ପାଇଁ ବିପଦକୁ ଆମନ୍ତ୍ରଣ କରୁଛି। ଏ ଦିଗରେ ସମସ୍ତେ ସଚେତନ ହେବା ସହ ପରିବେଶ ସୁରକ୍ଷା ପାଇଁ ଆଗଭର ହୋଇ ମିଳିତ ଉଦ୍ୟମ କରିବା ଆବଶ୍ୟକ। ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଣାକଟକ ପୂର୍ତ୍ତ ବଙ୍ଗଳାଠାରେ ରବିବାର ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ଏଭଳି ମତପ୍ରକାଶ ପାଇଛି।
ମୁଖ୍ୟଅତିଥି ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପରପିଢ଼ିଙ୍କ ପାଇଁ ପରିବେଶ ସୁରକ୍ଷା ଆମ ସଭିଙ୍କ ନୈତିକ ଦାୟିତ୍ବ ବୋଲି ମତବ୍ୟକ୍ତ କରିଥିଲେ। ଏଥିପାଇଁ କିଛି ନ ହେଲେ ଗଛଟିଏ ଲଗାଇ ତା’ର ଯତ୍ନ ନେବା ଏବଂ ଆମ ଆଖପାଖରେ ଥିବା ଗଛଗୁଡ଼ିକୁ ସୁରକ୍ଷା ପ୍ରଦାନ କରିପାରିବା। ଚାଷ କାର୍ଯ୍ୟରେ ବ୍ୟାପକ ରାସାୟନିକ ସାର ବ୍ୟବହାର ଯୋଗୁଁ ସେଥିରୁ ଅମଳ ହେଉଥିବା ଖାଦ୍ୟ ଶରୀରରେ ନାନା ରୋଗ ସୃଷ୍ଟି କରିବା ସହ ପ୍ରତିରୋଧକ ଶକ୍ତି ନଷ୍ଟ କରୁଛି। କେବଳ ସେତିକି ନୁହେଁ, ଏହା ଦ୍ବାରା ମାଟି, ପାଣି ପବନ ସବୁ କିଛି ପ୍ରଦୂଷିତ ହେଉଛି। ତେଣୁ ଯଥାସମ୍ଭବ ଚାଷ କାର୍ଯ୍ୟରେ ଜୈବଖତ ପ୍ରୟୋଗ ପାଇଁ ସେ ଚାଷୀକୁଳକୁ ଆହ୍ବାନ ଦେଇଥିଲେ। ଜୈବ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ କେବଳ ଜୈବଚାଷ ଦ୍ବାରା ଅମଳ ଧାନର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୪୧ ଶହ ଟଙ୍କା ଘୋଷଣା କରାଯାଇଛି। ସେହିପରି ମହାନଦୀରେ ଶୁଖିଲା ଶଯ୍ୟା ବୌଦ୍ଧର ତାପମାତ୍ରା ବୃଦ୍ଧିରେ ସହାୟକ ହେଉଥିବା ନେଇ ପ୍ରସଙ୍ଗ ଉତ୍ଥାପନ ହୋଇଥିଲା। ଏହାର ନିରାକରଣ ପାଇଁ ମହାନଦୀରେ ତିନିଟି ସ୍ଥାନ କରଡ଼ି, ଗୋଧନେଶ୍ବର ଓ ଖଇରମାଳରେ ଆଇଏସ୍ (ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ସିଷ୍ଟମ୍) ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ବିଧାୟକ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।
ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ସିଆର୍ସି ସୁରେନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ପିଇଓ ବାଳକୃଷ୍ଣ ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲବକୁମାର ପ୍ରଧାନ, ଜନ୍ମେଞ୍ଜୟ ପ୍ରଧାନ, ବରିଷ୍ଠ ନାଗରିକ ଭାଗୀରଥି ଦାଶ, ଶିକ୍ଷକ ସତ୍ୟ ନାୟକ ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଜ୍ଞାନେନ୍ଦ୍ର ନାରାୟଣ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ହରଭଙ୍ଗା ବ୍ଲକ୍ ପ୍ରତିନିଧି ସୌମ୍ୟରଞ୍ଜନ ସାହୁ, ପୁରୁଣାକଟକ ପ୍ରତିନିଧି ସିମୁନ ନାୟକ, ‘କନକ ନ୍ୟୁଜ୍’ ଜିଲ୍ଲା ପ୍ରତିନିଧି ଅଲେଖିକା ପୃଷ୍ଟି ପରିଚାଳନାରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/29/sfsfsxccxc-2025-09-29-04-11-15.jpg)