ବାଲେଶ୍ବର/ଭୋଗରାଇ: ପରିବେଶ ଯେଉଁଭଳି ନଷ୍ଟ ହୋଇଚାଲିଛି, ତା’ଉପରେ ରୋକ୍ ଲଗାଇବା ପାଇଁ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ଜନସାଧାରଣଙ୍କଠାରୁ ଆରମ୍ଭକରି ସରକାରୀ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କାରଣ ଗଣତାନ୍ତ୍ରିକ ରାଷ୍ଟ୍ରରେ ଦେଶ ଓ ଗାଁକୁ ସମୃଦ୍ଧ କରିବା ପାଇଁ ଯେଉଁ ଆଇନ୍ର ଆବଶ୍ୟକତା ରହିଛି; ତାହା ଲୋକପ୍ରତିନିଧିମାନଙ୍କ ଦ୍ବାରା ହିଁ ହୋଇଥାଏ ଓ ପ୍ରଶାସନ କାର୍ଯ୍ୟକାରୀ କରିଥାନ୍ତି। ଆଜି ସବୁଆଡ଼େ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ଅସନ୍ତୁଳନ ସମସ୍ତଙ୍କ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି। ତେଣୁ ସବୁଜ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନମଣ୍ଡଳୀରେ ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି।
ସୋମବାର ପୂର୍ବାହ୍ନରେ ଭୋଗରାଇ ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଗୌତମବୁଦ୍ଧ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ସହ ସବୁଜ ସୁନ୍ଦର ଭୋଗରାଇ ଗଠନ ପାଇଁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ସୁଶାନ୍ତ କୁମାର ଚାନ୍ଦ, ପରିବେଶବିତ୍ ତଥା ସାହିତ୍ୟିକ ସୁକୁମାର ଦାସ, ବିଶିଷ୍ଟ ଶିକ୍ଷାବିତ୍ ପଙ୍କଜାକ୍ଷ ପଣ୍ଡା, ସମାଜସେବୀ କମଳ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା ଓ ଦମୟନ୍ତୀ ସାହୁ, ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସତୀଶଚନ୍ଦ୍ର ପଣ୍ଡା, ସମାଜସେବୀ ସୁଦର୍ଶନ ଜେନା, ପ୍ରାକ୍ତନ ସରପଞ୍ଚ ଦିଲ୍ଲୀପ କାମିଳା, ସରପଞ୍ଚ ସୁଷମା କର, ଶିକ୍ଷାବିତ ନଟରଞ୍ଜନ ଘଡ଼ାଇ, ସାହିତ୍ୟିକ କୁମାର ଘୋଷ ଓ ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ରହି ଭୋଗରାଇ ଅଞ୍ଚଳର ପରିବେଶଜନିତ ବିଭିନ୍ନ ସମସ୍ୟା ଏବଂ ତା’ର ସମାଧାନ ଦିଗରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ଭୋଗରାଇ ଅଞ୍ଚଳରେ ବର୍ଷବର୍ଷ ଧରି ଲଘୁ ଖଣିଜ ସମ୍ପଦର ଲୁଟ୍ ହେଉଛି।
ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେବା ସହ ଜବରଦଖଲ ବଢ଼ୁଛି। ଅବାଧ ଗଛକଟା ସାଙ୍ଗକୁ ପ୍ଲାଷ୍ଟିକ୍ ବ୍ୟବହାର ବଢ଼ୁଛି। ପରିବେଶ ଅନୁକୂଳ ଘର ଓ ରାସ୍ତାଘାଟ ନକରି ସବୁଆଡ଼େ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି କରାଯାଉଛି। ଏହାର ପ୍ରତିକାର ନିମନ୍ତେ ସରକାର ବିଧିବଦ୍ଧ ଆଇନ ପ୍ରଣୟନ କରି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବାକୁ ବିଧାୟକଙ୍କ ତରଫରୁ ପ୍ରୟାସ କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସରପଞ୍ଚ ଦିଲ୍ଲୀପ କାମିଳା ତାଙ୍କ ପଞ୍ଚାୟତରେ ଆବର୍ଜନା ପରିଚାଳନା ନିମନ୍ତେ ଚଳାଇଥିବା ‘ମିସନ ୱେଷ୍ଟ ଟୁ ୱେଲ୍’ ଜରିଆରେ କିପରି ଅନେକ ଲୋକ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହାକୁ ଭୋଗରାଇର ସମସ୍ତ ପଞ୍ଚାୟତରେ କାର୍ଯ୍ୟକାରୀ କରାଗଲେ ପରିବେଶ ସ୍ବଚ୍ଛ ରହିବା ସହିତ ଲୋକଙ୍କୁ ରୋଜଗାର ମିଳିପାରିବ ବୋଲି କହିଥିଲେ। ପରିବେଶବିତ୍ ସୁକୁମାର ଦାସ, କମଳ ଚକ୍ରବର୍ତ୍ତୀ, ପଙ୍କଜାକ୍ଷ ପଣ୍ଡା, ସୁଦର୍ଶନ ଜେନା ପ୍ରମୁଖ ‘ସମ୍ବାଦ’ ତରଫରୁ ରାଜ୍ୟବ୍ୟାପୀ ଚାଲିଥିବା ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/cydQb5tfLd3zJRYjw42S.jpg)