ଅନୁଗୁଳ: ଦିନକୁ ଦିନ ମାଟି, ପାଣି, ପବନ ସବୁକିଛି ପ୍ରଦୂଷିତ ହେବାରେ ଲାଗିଛି। ତାପମାତ୍ରା ବୃଦ୍ଧି, ପ୍ରଦୂଷିତ ନଦୀଜଳ ଓ ବିଲୁପ୍ତ ଜଙ୍ଗଲ ଦର୍ଶାଉଛି ଯେ, ଆମ ପୃଥିବୀ ଆଉ ଠିକ୍ ବାଟରେ ନାହିଁ। ଏଣୁ ପୃଥିବୀକୁ ପୁଣି ଥରେ ସଜାଡ଼ିବାକୁ ପଡ଼ିବ। ଆଉ ଏହି କାମ ଗାଁରୁ ହିଁ ଆରମ୍ଭ ହେବା ଦରକାର ବୋଲି କହିଛନ୍ତି ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ। ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଟାଇଁସିଠାରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଥିଲେ, ଆମ ପୃଥିବୀ ଯେମିତି ପୁଣି ଥରେ ହସି ଉଠିବ ସେଥିପାଇଁ ସମସ୍ତେ ଦାୟିତ୍ବ ନେବା ଦରକାର। ଶିଳ୍ପର କୁପ୍ରଭାବ ଯେମିତି ପରିବେଶ ଉପରେ କମ୍ ପଡ଼ିବ, ତାହା ଉପରେ ଧ୍ୟାନ ଦେବା ଜରୁରି। ସବୁଜ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ।
ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକୁ ଗୁରୁତ୍ବ ଦେଲେ କୋଇଲା ବ୍ୟବହାର କମିବ। ଏହା ମଧ୍ୟ ପ୍ରଦୂଷଣକୁ ବହୁ ମାତ୍ରାରେ କମାଇ ପାରିବ। ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଉଦାହରଣ ଦେଇ ସେ କହିଥିଲେ, ନିଜ ଗାଁର ପରିବେଶ ସୁରକ୍ଷା ପାଇଁ ପ୍ରତି ପଞ୍ଚାୟତର ଯୁବଗୋଷ୍ଠୀ ଦାୟିତ୍ବ ନେଇଛନ୍ତି। ସେଥିପାଇଁ ଦିନକୁ ଦିନ ଆଠମଲ୍ଲିକ ସବୁଜ ସୁନ୍ଦର ହେବାରେ ଲାଗିଛି। ଆଗକୁ ଏଠାରେ ଶିଳ୍ପକୁ ପ୍ରୋତ୍ସାହିତ କରାଯିବ ନାହିଁ ବୋଲି ବିଧାୟକ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସାତକୋଶିଆ ଜଙ୍ଗଲ ସହ ଆଠମଲ୍ଲିକରେ ଥିବା ସମସ୍ତ ବନାଞ୍ଚଳରେ ଜୈବ ବିବିଧତା ବଜାୟ ରଖିବା ପାଇଁ ଉଦ୍ୟମ ଚାଲିଥିବା ବିଧାୟକ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବକ୍ତା ଭାବେ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଗୌରୀଶଙ୍କର ଯୁଗପ୍ରସାଦ ଜେନା, ଅଧ୍ୟାପକ ସୁଶାନ୍ତ ପ୍ରଧାନ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନବକିଶୋର ବିଶୋୟୀ, ପରିବେଶବିତ୍ ପ୍ରସନ୍ନ ବେହେରା ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ର ଅନୁଗୁଳ ସଂସ୍କରଣ ମୁଖ୍ୟ ପ୍ରଦ୍ୟୁମ୍ନ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଜିଲ୍ଲା ପ୍ରତିନିଧି ପତିତପାବନ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ।