ଭୁବନେଶ୍ବର : ଆମ ରାଜ୍ୟରେ ସମ୍ପ୍ରତି ବିଭିନ୍ନ କାରଣରୁ ପରିବେଶ ଓ ପର୍ଯ୍ୟାବରଣର ସନ୍ତୁଳନ ଗଭୀର ଭାବରେ ପ୍ରଭାବିତ ହୋଇଛି। ବିଶେଷକରି କରି ବେପରୁଆ ଖଣି ଖନନ, ଅଭିବୃଦ୍ଧିସର୍ବସ୍ବ ଅର୍ଥନୀତି ପଛରେ ଗୋଡ଼ାଇବା, ପ୍ରାକୃତିକ ସମ୍ବଳର ମନଇଚ୍ଛା ଶୋଷଣ ଇତ୍ୟାଦି କାରଣରୁ ପରିବେଶର ସନ୍ତୁଳନ ପ୍ରଚୁର ମାତ୍ରାରେ ନଷ୍ଟ ହୋଇଛି। ଜୈବବିବିଧତl ଆଜି ସଂକଟରେ। ଜଳ, ବାୟୁ, ମାଟି ଆଜି ପ୍ରଦୂଷିତ। ଜଙ୍ଗଲ ସମ୍ପଦ ଧ୍ବଂସ ଆଡକୁ ଯାଉଛି। ନଦୀଗୁଡିକରେ ଜଳ ପ୍ରବାହ କ୍ରମଶଃ କମିଯାଉଛି। ସେଥିରୁ ଅନେକେ ମରିବାକୁ ବସିଲେଣି। ଅନେକ କୀଟପତଙ୍ଗ ଲୋପ ପାଇଗଲେଣି। ଜଙ୍ଗଲର ଜନ୍ତୁଗୁଡିକ ନିଜ ବାସସ୍ଥାନରୁ ବିସ୍ଥାପିତ ହୋଇ ଜନବସତିମୁହାଁ ହେଲେଣି। ବିଶୁଦ୍ଧ ବାୟୁ ଓ ଜଳ ରାଜ୍ୟର ଅନେକ ସ୍ଥାନରେ ଦୁର୍ଲଭ ହେଲାଣି। ରାଜ୍ୟର ଅନେକ ସ୍ଥାନରେ ମାଟି ତା’ର ଉର୍ବରତା ହରାଇ ସାରିଲାଣି। ଏସବୁ ଆମ ରାଜ୍ୟର ପ୍ରାକୃତିକ ପର୍ଯ୍ୟାବରଣର ସ୍ଥିତିକୁ ବିଗାଡି ଦେଲାଣି।

Advertisment

ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ ହେଉଛି ପର୍ଯ୍ୟାବରଣର ପୁନରୁଦ୍ଧାର। ଓଡିଶା ପାଇଁ ଏହା ଖୁବ୍‌ ଗୁରୁତ୍ୱ ବହନ କରେ। ଅର୍ଥନୈତିକ ଅଭିବୃଦ୍ଧିରେ ଅନ୍ଧ ହୋଇ ପ୍ରକୃତି ଉପରେ ଯେଉଁ ଅତ୍ୟାଚାର ଆମେ କରିଛେ ଏବଂ ତା’ଦ୍ୱାରା ପର୍ଯ୍ୟାବରଣର ଯେଇଁ କ୍ଷତି ହୋଇଛି, ତା’ର ପୁନରୁଦ୍ଧାର ହେବା ଜରୁରୀ। ବିଶେଷ କରି ଜଳବାୟୁ ପରିବର୍ତ୍ତନର ଯେଉଁ ସନ୍ଧିକ୍ଷଣରେ ଆମେ ଛିଡା ହୋଇଛେ, ପର୍ଯ୍ୟାବରଣର ପୁନରୁଦ୍ଧାର ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନ ନେଲେ ଭବିଷ୍ୟତ ଆମ ପାଇଁ ଖୁବ୍‌ ଅଶୁଭଙ୍କର ହେବ।

ସରକାର ଓ ସମାଜ ଏଥିପ୍ରତି ଗୁରୁତ୍ୱ ଦେଇ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ନେବା ଆଜି ଅତ୍ୟନ୍ତ ଜରୁରୀ। ପରିବେଶ ଦିବସର ଏହା ହିଁ ହେଉଛି ଆହ୍ୱାନ ବୋଲି କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ।