ପୁରୀ ବେଳାଭୂମିରେ ପ୍ରଦୂଷଣ ନିୟନ୍ତ୍ରଣ, ସ୍ଥାନୀୟ ହୋଟେଲମାନେ ସମୁଦ୍ରକୁ ବେଆଇନ ଭାବେ ଛାଡ଼ି ଦେଉଥିବା ଆବର୍ଜନା ଜଳକୁ ବନ୍ଦ କରିବା, ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ବୃକ୍ଷରୋପଣ କରିବା କାର୍ଯ୍ୟରେ ସଦା ତତ୍ପର ଥାଆନ୍ତି ହେକ୍ଟର ମିଶ୍ର। ୧୯୯୬-୯୭ ମସିହାରୁ ହେକ୍ଟର ଓ ତାଙ୍କର ସାଥୀମାନେ ପୁରୀରେ ସାମାଜିକ କାର୍ଯ୍ୟରେ ସକ୍ରିୟ ଅଛନ୍ତି। ପ୍ରଥମେ ସେମାନେ ଉତ୍ତରାୟଣୀ ଦେବୀ ମନ୍ଦିରରେ ବଳି ପ୍ରଥା ବନ୍ଦ କରିବାକୁ ସ୍ବର ଉଠାଇଥିଲେ। ସେମାନଙ୍କ ଆନ୍ଦୋଳନ ପରେ ବଳି ପ୍ରଥା ବନ୍ଦ ହୋଇଥିଲା। ଏହି ସମୟରେ ଅନେକ ଆକ୍ରୋଶର ଶିକାର ହୋଇଥିଲେ ହେକ୍ଟର। ସେ କହନ୍ତି, “ଦିନେ ମୁଁ ଦର୍ଶନ କରିବାକୁ ଉତ୍ତରାୟଣୀ ମନ୍ଦିର ଯାଇଥିଲି। ସେଠାରେ ପହଞ୍ଚି ଦେଖିଲି ବଳି ଦିଆଯାଉଥିବା ପ୍ରାଣୀଙ୍କ ରକ୍ତ ଓ ଅଙ୍ଗପ୍ରତ୍ୟଙ୍ଗର ଆବର୍ଜନାର ଦୁର୍ଗନ୍ଧରେ ପୂରା ଅଞ୍ଚଳ ଫାଟି ପଡୁଥିଲା।
ଏହି ପାରିବେଶିକ ଦୁଃସ୍ଥିତି ମୋତେ ବିଚଳିତ କରିଥିଲା। ଆମେ ଏହା ବିରୋଧରେ ସ୍ବର ଉଠାଇଥିଲୁ।’’ ଏଥିସହ ହେକ୍ଟର ଓ ତାଙ୍କ ସାଥୀମାନେ ମେନକା ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘ପିପୁଲସ ଫର୍ ଆନିମଲ୍ସ’ ଆନ୍ଦୋଳନରେ ସକ୍ରିୟ ହୋଇଥିଲେ। ପାଠ ପଢ଼ିବା ସହିତ ଛୁଟିଦିନରେ ଜୀବ ହିଂସା ବିରୋଧରେ ସଚେତନତା, ଗଛ ଲଗାଇବା, ରାସ୍ତାଘାଟ ସଫା କରିବା ସହିତ ନଈନାଳ ଓ ବେଳାଭୂମିର ପରିବେଶକୁ ପରିଷ୍କାର ରଖିବା କାର୍ଯ୍ୟ କରିଥିଲେ।
ପୁରୀ ବେଳାଭୂମିରେ ପ୍ରଦୂଷଣ ବନ୍ଦ କରିବାକୁ ମୁଁ ଯେତେବେଳେ ପ୍ରୟାସ ଆରମ୍ଭ କଲି, ସେତେବେଳେ ମୋତେ ଅନେକ ଧମକ ମିଳିଥିଲା। କିନ୍ତୁ ଧୀରେ ଧୀରେ ମୋ ସହିତ ସମସ୍ତେ ସାମିଲ ହୋଇଥିଲେ ବୋଲି କହନ୍ତି ହେକ୍ଟର। ଏହାପରେ ସେ ପରିବେଶ ସୁରକ୍ଷା ଓ ସଚେତନତା କାର୍ଯ୍ୟରେ ସଂପୂର୍ଣ୍ଣ ସକ୍ରିୟ ହୋଇଥିଲେ। ହେକ୍ଟର କହନ୍ତି, ‘‘ସମୁଦ୍ର ଓ ବେଳାଭୂମିର ପ୍ରଦୂଷଣ ନିୟନ୍ତ୍ରଣ କେବଳ ପୁରୀବାସୀଙ୍କ ଦାୟିତ୍ୱ ନୁହେଁ, ବରଂ ସମଗ୍ର ରାଜ୍ୟର ଦାୟିତ୍ୱ। ଆମେ ସଚେତନ ହେଲେ ବେଳାଭୂମି ପରିଷ୍କାର ଓ ଆବର୍ଜନାମୁକ୍ତ ରହିପାରିବ।’’