ଭୁବନେଶ୍ବର: ଓଡ଼ିଶା ଏହାର ଯୁବପିଢ଼ିଙ୍କୁ ନେଇ ଗର୍ବିତ। ସେମାନେ ସଚେତନ, ପ୍ରତିବଦ୍ଧ ଓ ସାହସୀ। ସେମାନେ ପରମ୍ପରା ସହ ଜଡ଼ିତ ଥିବା ବେଳେ ନବସୃଜନର ନେତୃତ୍ବ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି କହିଛନ୍ତି। ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟରେ ଆୟୋଜିତ ଓଡ଼ିଶା ଯୁବ ସମ୍ମିଳନୀ(ଓସିଓୱାଇ)-୨୦୨୫କୁ ଉଦ୍ଘାଟନ କରି ସେ ଯୁବବର୍ଗଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ଥପତି ହେବାକୁ ଆହ୍ବାନ୍ ଦେଇଛନ୍ତି। ରାଜ୍ୟପାଳ କହିଲେ ଆପଣମାନଙ୍କ ପରିବେଶଜନିତ କାର୍ଯ୍ୟକଳାପ କେବଳ କାର୍ଯ୍ୟକ୍ରମ ନୁହେଁ, ତାହା ହେଉଛି ଦେଶପ୍ରେମ। ବିଶ୍ବ କେବଳ ଦେଖଣାହାରି ଚାହୁନାହିଁ; ନେତୃତ୍ବ ଚାହୁଛି ବୋଲି କହିଥିଲେ।
ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟରେ ‘ଓସିଓୱାଇ- ୨୦୨୫’ ଆରମ୍ଭ
‘ୟୁଥ୍ ଫର୍ ୱାଟର୍ ପ୍ଲସ୍’ର ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଓ ସଭାପତି ପ୍ରଫେସର ବିଶ୍ବଜିତ ପଟ୍ଟନାୟକ କହିଥିଲେ ଯେ ଏହି ସମ୍ମିଳନୀ ହେଉଛି ପରବର୍ତ୍ତୀ ଜଳବାୟୁ ଲିଡର୍ଙ୍କୁ ଅନୁପ୍ରାଣିତ କରିବାର ଏକ ମୁହୂର୍ତ୍ତ। ଯଦି ନେତୃତ୍ବ ଭବିଷ୍ୟତକୁ ଆକାର ଦେଉଥାଏ ତେବେ ଜଳବାୟୁ ନେତୃତ୍ବ ସମସ୍ତଙ୍କ ପାଇଁ ଭବିଷ୍ୟତ ନିଶ୍ଚିତ କରିବ। ଆମେ ହେଉଛେ ପ୍ରଥମ ପିଢ଼ି ଯେଉଁମାନେ ଗ୍ରହକୁ ପହଞ୍ଚୁଥିବା କ୍ଷତି ସମ୍ପର୍କରେ ଭଲଭାବେ ସଚେତନ ଏବଂ ଶେଷ ପିଢ଼ି ଯେଉଁମାନେ ସେହି କ୍ଷତିକୁ ରୋକିପାରିବେ ବୋଲି ସେ କହିଥିଲେ। ୟୁନିସେଫ୍ର ଫିଲ୍ଡ ଅଫିସ୍ର କନିଷ୍ଠ ମୁଖ୍ୟ ୱିଲିୟମ୍ ହାନ୍ଲୋନ୍ ଯୁବବର୍ଗଙ୍କୁ ସାମିଲ କରିବାର ମହତ୍ତ୍ବ ଉପରେ ଆଲୋଚନା କରିଥିଲେ। ଯୁବପିଢ଼ି ପରିବର୍ତ୍ତନର ପ୍ରତ୍ୟକ୍ଷ ଏଜେଣ୍ଟ ବୋଲି ସେ କହିଛନ୍ତି। ଆସନ୍ତା ଦୁଇଦିନ ଧରି ଏହି ସମ୍ମିଳନୀରେ ୟୁଥ୍ ପାର୍ଲାମେଣ୍ଟ, ସହଯୋଗିତା ଆଧାରିତ କର୍ମଶାଳା ଆୟୋଜିତ ହେବ ଏବଂ ୟୁଥ୍ ଷ୍ଟେଟ୍ମେଣ୍ଟ୍ ଅନ୍ କ୍ଲାଇମେଟ୍ ଚେଞ୍ଜ୍ ପ୍ରସ୍ତୁତ କରାଯିବ। ଏହି ଅବସରରେ ପରିବେଶ ନିର୍ଦ୍ଦେଶକ କେ.ଏସ୍. ପ୍ରଦୀପ, ପରିବେଶବିତ୍ ଅରୁଣ କୃଷ୍ଣମୂର୍ତ୍ତି, ଯୁବ ଜଳବାୟୁ ପ୍ରଚାରକ ଜୋହାନ୍ ହସ୍ସିଆଲେକ୍, ୟୁଥ୍ ଫର୍ ୱାଟର୍ ପ୍ଲସ୍ର ଉପଦେଷ୍ଟା ଓ ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଓ ୟୁଥ୍ ଫର୍ ୱାଟର୍ ପ୍ଲସ୍ର ନିର୍ଦେଶକ ବ୍ଲୋରିନ୍ ମହାନ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୫୦୦ ଯୁବ ପରିବର୍ତ୍ତନକାରୀ, ଜଳବାୟୁ କର୍ମୀ ଓ ବିଶେଷଜ୍ଞ ଅଂଶଗ୍ରହଣ କରିଛନ୍ତି।