ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ବିଭିନ୍ନ କାରଣରୁ ହଜାର ହଜାର ଗଛ କଟାଯାଉଛି। ତେବେ ଅନୁଗୁଳ ବ୍ଲକ୍‌ ଗୁରଙ୍ଗ ଗାଁର ଲୋକେ ପରିବେଶର ସୁରକ୍ଷା ପାଇଁ ଲାଗିପଡ଼ିଛନ୍ତି। ଗାଁର ସମସ୍ତ ଅଧିବାସୀ ଜଣେ ଜଣେ ‘ସବୁଜ ଯୋଦ୍ଧା’ ସାଜିଛନ୍ତି। ସବୁଜ ବାହିନୀ ଗଠନ କରି ଗାଁ ପାଖ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେଉଛନ୍ତି।

Advertisment

ଗୁରୁଙ୍ଗ ଗାଁ ନିକଟରେ ୪୦ ବର୍ଷ ପୂର୍ବରୁ ଏକ ଲଣ୍ଡା ପାହାଡ଼ ରହିଥିଲା। ଏହାକୁ ଘଞ୍ଚ ଜଙ୍ଗଲରେ ପରିଣତ କରିବାକୁ ସେତେବେଳେ ଲୋକେ ଅଣ୍ଟା ଭିଡ଼ିଥିଲେ। ସେଦିନଠାରୁ ‘ଠେଙ୍ଗା ପାଳି’ ବ୍ୟବସ୍ଥା ପ୍ରଚଳିତ ହୋଇଆସିଛି। ଗ୍ରାମବାସୀ ପ୍ରତିଦିନ ଓ ରାତିରେ ପାଳିକରି ଜଙ୍ଗଲ ଚାରିପାଖରେ ପହରା ଦେଉଛନ୍ତି। ଏହି କାରଣରୁ ୫୬ ହେକ୍ଟର ଅଞ୍ଚଳର ଜଙ୍ଗଲରେ ଶାଳଗଛ ସମେତ ମୂଲ୍ୟବାନ ଚନ୍ଦନ ଗଛ, ହରିଡ଼ା, ବାହାଡ଼ା, ଅଁଳା, ଭେରୁ, ମହୁଲ, କରଡ଼ା ଇତ୍ୟାଦି ଗଛ ରହି ଏକ ସବୁଜ ବଳୟ ସୃଷ୍ଟି ହୋଇଛି। ଏହି ଜଙ୍ଗଲ ବାର୍‌ହା, ଭାଲୁ, ହରିଣ, ଠେକୁଆ ଭଳି ଅନେକ ପ୍ରାଣୀଙ୍କ ଆବାସସ୍ଥଳ ପାଲଟିଛି। କିନ୍ତୁ ଏହି ବନ୍ୟପ୍ରାଣୀମାନେ କେବେ କାହାର କିଛି କ୍ଷତି କରି ନାହାନ୍ତି। ଅନେକ ସମୟରେ ବନ୍ୟପ୍ରାଣୀ ଗାଁ ଭିତରକୁ ଆସୁଥିଲେ ମଧ୍ୟ ସେମାନଙ୍କ ପ୍ରତି କେହି ବିପଦ ସୃଷ୍ଟି କରି ନଥିବା ଗ୍ରାମବାସୀ କହିଛନ୍ତି।

ଗତ ୪୦ ବର୍ଷ ହେଲା ଗାଁରେ ବନ୍ୟପ୍ରାଣୀ ଶିକାର ହୋଇନି କି କେହି ବନ୍ୟପ୍ରାଣୀଙ୍କ ମାଂସ ଖାଇ ନାହାନ୍ତି। ଜଙ୍ଗଲ ସୁରକ୍ଷା ପାଇଁ ଗାଁରେ ପ୍ରତ୍ୟେକ ମାସର ୧ ତାରିଖରେ ଏକ ସଭା ଅନୁଷ୍ଠିତ ହୋଇଥାଏ। ଏହି ସଭାରେ ଜଙ୍ଗଲ ସୁରକ୍ଷା ସଂପର୍କରେ ଆଲୋଚନା ସହ ଠେଙ୍ଗା ପାଳିରେ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନିଆଯାଉଛି। ଶିଶୁଙ୍କୁ ଅଭିଭାବକମାନେ ଗଛର ମହତ୍ତ୍ବ ବୁଝାଇବା ସହ ଗଛ ଲଗାଇବାକୁ ଉତ୍ସାହିତ କରୁଛନ୍ତି। ଏହି ଜଙ୍ଗଲ ବନ୍ୟପ୍ରାଣୀଙ୍କ ପାଇଁ ଏକ ନିରାପଦ ସ୍ଥାନ ପାଲଟିଥିବା ବେଳେ ବିଭିନ୍ନ ଅଞ୍ଚଳ‌ର ଲୋକ ବୁଲିବାକୁ ଆସନ୍ତି ବୋଲି ଗୁରଙ୍ଗ ବନ ସୁରକ୍ଷା ସମିତିର ବନ ସହାୟକ ଅରୁଣ କୁମାର ନାୟକ କହିଛନ୍ତି।