ପରିବେଶ ମଞ୍ଜୁରୀ ସର୍ତ୍ତ ଚୁଲିରେ, କଳା ଧୂଆଁରେ ଅଣନିଃଶ୍ବାସୀ ହେମଗିର

ହାତ ବାନ୍ଧି ବସିଛି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ

ସୁନ୍ଦରଗଡ଼: ବିକାଶର ଆକାଶଛୁଆଁ ସ୍ବପ୍ନ ଦେଖାଇ ହେମଗିର ଅଞ୍ଚଳର ସ୍ବର୍ଣ୍ଣପ୍ରସୂ ମାଟି ବିଦାରି ଏମସିଏଲ, ଏନଟିପିସି, ଓସିପିଏଲ କାଢ଼ି ନେଉଛନ୍ତି ଶହ ଶହ ମିଲିୟନ ଟନ୍ କୋଇଲା। ହେଲେ ଅଞ୍ଚଳବାସୀଙ୍କୁ ଦେଖାଇଥିବା ସ୍ବପ୍ନ ଧିରେ ଧିରେ ଭାଙ୍ଗିଯିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ କୋଇଲା ଖଣି ଖୋଳି ଏ କମ୍ପାନିଗୁଡ଼ିକ ଲୋକଙ୍କୁ କେବଳ ବିସ୍ଥାପନ, ପ୍ରଦୂଷଣ ଓ ଦୁର୍ଘଟଣାର ଯନ୍ତ୍ରଣା ଦେଇ ଚାଲିଥିବା ଅଭିଯୋଗ ହୋଇଛି। ବିଶେଷ କରି ବିସ୍ଥାପନ ନୀତି ଓ ପରିବେଶ ମଞ୍ଜୁରି ସର୍ତ୍ତକୁ କମ୍ପାନି ଅବମାନନା କରି କେବଳ କୋଇଲା ବେପାରରେ ବ୍ୟସ୍ତ ରହୁଛି। ତାର ବିଷ ଫଳ ଭୋଗୁଛନ୍ତି ଅଞ୍ଚଳବାସୀ। କୋଇଲା ଖନନ, ଉତ୍ତୋଳନ ଓ ପରିବହନଜନିତ କଳା ଧୂଆଁରେ ହେମଗିରର ବହୁ ଅଞ୍ଚଳ ଛାାଇ ଯାଇଥିବା ବେଳେ ଜନଜୀବନ ଏକ ପ୍ରକାର ଅଣନିଃଶ୍ବାସୀ ହୋଇପଡ଼ିଛି।

କିନ୍ତୁ ସବୁ ଦେଖି, ଜାଣି ମଧ୍ୟ ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଖି ବୁଜି ଦେଇଛି। କମ୍ପାନିଗୁଡ଼ିକ କୋଇଲା ପରିବହନ ପାଇଁ ଗାଁ ରାସ୍ତାକୁ ବ୍ୟବହାର କରୁଥିବାରୁ ଲୋକେ ପ୍ରତ୍ୟକ୍ଷ ଭାବେ ପ୍ରଦୂଷଣର ଶିକାର ହେଉଛନ୍ତି। ଏନଟିପିସି ଓ ଓସିପିଏଲ କନକତୁରା, ଡୁରୁବଗା ଛକ ଦେଇ ଏବଂ ଏମସିଏଲ ବାଙ୍କିବାହାଲ-ଟପରିଆ ଓ ବାଙ୍କିବାହାଲ-ସୁନ୍ଦରଗଡ଼ ଦେଇ କୋଇଲା ପରିବହନ କରୁଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସର୍ତ୍ତ ମୁତାବକ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଦେଖାଯାଇଛି। ଏସବୁ ଅଞ୍ଚଳରେ ଲୋକଙ୍କ ସାଧାରଣରାସ୍ତା ମରଣଯନ୍ତା ପାଲଟିଯାଇଛି। ଚାଷ ଜମି, ଘର, ଗଛଲତା, ଫସଲ ସବୁ କୋଇଲାର କଳା ଧୂଆଁରେ ନଷ୍ଟ। ଏହିକ୍ରମରେ ପରିବେଶ ମଞ୍ଜୁରୀ ସର୍ତ୍ତ ଅନୁଯାୟୀ, ବାଙ୍କିବାହାଲ-ଟପରିଆ ରାସ୍ତା ଦେଇ ଛତିଶଗଡ଼କୁ କୋଇଲା ପରିବହନ କରୁଥିବା ଏମସିଏଲକୁ ଗାଁ ମଧ୍ୟ ଦେଇ କୋଇଲା ପରିବହନ ନକରିବା ଓ ଏଥିପାଇଁ ସ୍ବତନ୍ତ୍ର କରିଡର ବା ବାଏପାସ ରାସ୍ତା ନିର୍ମାଣ କରିବା, ବିଶେଷ କରି ଖଣି କାର୍ଯ୍ୟ ଓ ଖଣିଜ ଦ୍ରବ୍ୟ ପରିବହନରେ ବ୍ୟବହୃତ ରାସ୍ତାରେ ୨୪ ଘଣ୍ଟିଆ ପାଣି ସିଞ୍ଚନ, ଧୂଳିର ଦମନ ପାଇଁ ଖଣି ସୀମାରେ ୭୫ ମିଟର ସବୁଜ ବଳୟ ସୃଷ୍ଟି ପାଇଁ ନିର୍ଦ୍ଦେଶ ରହିଛି। କେବଳ ସେତିକି ନୁହେଁ, କୁଲଡା ଓ ଗର୍ଜନବାହାଲର ସମ୍ପ୍ରସାରଣ ପାଇଁ ବିଶେଷଜ୍ଞ ମୂଲ୍ୟାଙ୍କନ ସମିତି (ଇଏସି) ଏମସିଏଲକୁ ୮୫ ହେକ୍ଟର ଜମିରେ କେବଳ ୮୦ ପ୍ରତିଶତ ଶାଳ ଗଛ ରୋପଣ କରି ସବୁଜ ବଳୟ ସୃଷ୍ଟି କରିବା ଏବଂ ଗାଁ ରାସ୍ତା ମଝିରେ ବିଦ୍ୟାଳୟ, ଅଙ୍ଗନବାଡ଼ି, ଡାକ୍ତରଖାନା ପାର୍ଶ୍ବ ଦେଇ କୋଇଲା ପରିବହନ ନକରିବା ସର୍ତ୍ତ ରଖିଛି। କିନ୍ତୁ ଏସବୁକୁ ସର୍ତ୍ତର ଖୋଲାଖୋଲି ଅବମାନନା କରି ଏମସିଏଲ କୋଇଲା ପରିବହନ କରି ଜନଜୀବନକୁ ଧୂଳିଧୂଆଁରେ ପୋତି ପକାଉଥିବା ବେଳେ କୋଇଲା ବୋଝେଇ ଗାଡ଼ି ଦୁର୍ଘଟଣା ଅନେକ ପରିବାରକୁ ମୁରବିଶୂନ୍ୟ କରି ଦେଇଛି।

ଅତ୍ୟଧିକ କୋଇଲା ଗୁଣ୍ଡ ଉଡ଼ି ଅଞ୍ଚଳବାସୀଙ୍କ ଚାଷଜମି, କୂଅ, ପୋଖରି, ଘର ଭିତରେ ପଶି ଖାଦ୍ୟ ପଦାର୍ଥ ତଥା ଘରର ଯାବତୀୟ ଜିନିଷକୁ ନଷ୍ଟ କରିଚାଲିଛି। ଅଞ୍ଚଳର ପାଣି, ପବନ କଳା ଜହର ପାଲଟିଯାଇଛି। କେବଳ ସେତିକି ନୁହେଁ, ଅଞ୍ଚଳର ଚାଷୀଙ୍କ ବର୍ଷକର କଷ୍ଟକମାଣି ଧାନ ଓ ବାଡ଼ି ପରିବାକୁ ବି ଖାଇ ଦେଇଛି କୋଇଲା। କୋଇଲା ଗୁଣ୍ଡ ଉଡ଼ି ବାଙ୍କିବାହାଲରୁ ଟପରିଆ ୨୬ କିଲୋମିଟର ରାସ୍ତାରେ ପଡ଼ୁଥିବା ଗାଁଗୁଡ଼ିକର ଅଧ କିଲୋମିଟର ପରିବ୍ୟାପ୍ତ ଜମିରେ କଳା ଆସ୍ତରଣ ମାଡ଼ି ଧାନର ରଙ୍ଗକୁ ବି କଳା କରି ଦେଇଛି। ଜମିଗୁଡ଼ିକ ଧିରେ ଧିରେ ଚାଷ ଉପଯୋଗୀ ଉର୍ବରତା ହରାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହା ବିରୋଧରେ ସ୍ବର ଉଠାଇଥିଲେ ସ୍ଥାନୀୟ ବିସ୍ଥାପିତ ଓ ପ୍ରଭାବିତ ଲୋକେ। କିନ୍ତୁ ପ୍ରଶାସନ ଲୋକଙ୍କୁ ଦୁର୍ଦ୍ଦଶାରୁ ଉଦ୍ଧାର କରିବା ପରିବର୍ତ୍ତେ କମ୍ପାନି ସପକ୍ଷରେ ଠିଆ ହୋଇ ସେ ସ୍ବର ସବୁକୁ ଚାପି ଦେଇଥିଲା। ଶେଷକୁ ଲୋକେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।

ନ୍ୟାୟାଳୟ ପ୍ରଦୂଷଣ ବଳୟରେ ଥିବା ଜନଜୀବନର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଆଦେଶ କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ କେବଳ ନିୟମ ବା ମାର୍ଗଦର୍ଶିକା ଜାରି କରି ଚୁପ୍ ବସିଯାଇଛି। ଏହା ମଧ୍ୟରେ ରାଉରକେଲାସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ଅନେକବାର ଏମସିଏଲ, ଏନଟିପିସି, ଓସିପିଏଲ ଖଣି ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଭାବିତ ଲୋକେ ବହୁବାର ପ୍ରଦୂଷଣ ସମ୍ପର୍କରେ ଅଭିଯୋଗ ମଧ୍ୟ କରିଛନ୍ତି। କିନ୍ତୁ ଅଧିକାରୀମାନେ କଲବଲ ହେଉଥିବା ଲୋକଙ୍କ ଜୀବନ ନୁହେଁ, କମ୍ପାନିଗୁଡ଼ିକର ସ୍ବାର୍ଥକୁ ଜଗୁଥିବା ଜନଶକ୍ତି ବିକାଶ ପରିଷଦ ଅଭିଯୋଗ କରିଛି। ଯେଉଁଥିପାଇଁ ହେମଗିର ଆକାଶରେ କଳାଧୂଆଁର ଚାଦର ଏବେ ଛାଇ ହୋଇ ରହିଛି। ଏ ସମ୍ପର୍କରେ ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନାହିଁ।

ସମ୍ବନ୍ଧିତ ଖବର