ଭୁବନେଶ୍ବର : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧୀନରେ ୩୫ଜଣ ସହକାରୀ ପରିବେଶ ଇଞ୍ଜିନିୟର ଓ ସହକାରୀ ପରିବେଶ ବୈଜ୍ଞାନିକଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ଲୋକସେବା ଭବନର କନଭେନସନ ସେଣ୍ଟରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୩ଜଣ ପରିବେଶ ଇଞ୍ଜିନିୟର ଓ ୨୨ଜଣ ପରିବେଶ ବୈଜ୍ଞାନିକ ରହିଛନ୍ତି।
ଆଭାସୀ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିକାଶ ଓ ପରିବେଶ ଉଭୟ ଜରୁରୀ। ପରିବେଶ ଅନୁକୂଳ ନିରନ୍ତର ବିକାଶର ଆବଶ୍ୟକତା ରହିଛି। କିଛିବର୍ଷ ପୂର୍ବରୁ ବିଶ୍ବ ତାପନ ଓ ପ୍ରଦୂଷଣର କ’ଣ ପ୍ରଭାବ ରହିବ ତାହା ଉପରେ ଆଲୋଚନା କରାଯାଉଥିଲା। ମାତ୍ର ଏବେ ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି। ୟୁରୋପ, ଚୀନ୍ରେ ମରୁଡ଼ି ପଡ଼ିଥିବା ବେଳେ ପାକିସ୍ତାନ ଭୀଷଣ ବନ୍ୟାର ସମ୍ମୁଖୀନ ହେଉଛି। ଭାରତରେ ମଧ୍ୟ କିଛି ରାଜ୍ୟ ମରୁଡ଼ି ଓ କିଛି ବନ୍ୟାର ସମ୍ମୁଖୀନ ହେଉଛନ୍ତି।
ଜଳବାୟୁ ପରିବର୍ତ୍ତନ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବିସ୍ତୃତ ନୀତି ପ୍ରଣୟନ କରିଛନ୍ତି। ପରିବେଶ ପ୍ରସଙ୍ଗରେ ଇଞ୍ଜିନିୟର ଓ ବୈଜ୍ଞାନିକମାନଙ୍କ ପାରଦର୍ଶିତା ସହିତ ପ୍ରଦୂଷଣ ନିୟମକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସରେ ଉନ୍ନତି ଆଣିବାରେ ସେମାନଙ୍କର ପ୍ରମୁଖ ଭୂମିକା ରହିଛି। କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖିବା ସହ ଶୀଘ୍ର ଓ ଉଚିତ୍ ଫଳାଫଳ ପାଇଁ ୫-ଟି ଅନୁସରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ ଯେ ପରିବେଶ କ୍ଷେତ୍ରରେ ରାଜ୍ୟ ସରକାର ବହୁତ ଭଲ କାମ କରୁଛନ୍ତି। ନିରନ୍ତର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସୁଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଶର ଅନ୍ୟତମ ଶ୍ରେଷ୍ଠ ବୋର୍ଡ ବୋଲି ସେ କହିଥିଲେ। ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଇଞ୍ଜିନିୟର ଓ ବୈଜ୍ଞାନିକମାନେ ୫-ଟି ଅନୁସରଣ କରିବା ସହିତ ଶିଳ୍ପ କାର୍ଯ୍ୟକଳାପରେ କୌଣସି ବାଧା ନ ହୋଇ କିପରି ପ୍ରଦୂଷଣ ହ୍ରାସ ହୋଇପାରିବ ତାହା ଉପରେ ଗୁରୁତ୍ବ ଦେବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଶାସନିକ ଅଧିକାରୀ ଧନ୍ୟବାଦ ଦେଇଥିଲେ।