ଜିଓଲୋଜି ସହକାରୀ ପ୍ରଫେସର ନିଯୁକ୍ତି ମାମଲା: ଦୁଇଟି ଡିଗ୍ରିଧାରୀଙ୍କ ପ୍ରାର୍ଥିତ୍ବ ଖାରଜ କରାଯାଇ ପାରିବନାହିଁ

କଟକ : ନିଯୁକ୍ତି ପ୍ରକ୍ରିୟାରେ ଦୁଇଟି ଡିଗ୍ରିଧାରୀ ଆବେଦନକାରୀଙ୍କ ପ୍ରାର୍ଥିତ୍ବକୁ ମନଇଚ୍ଛା ଖାରଜ କରାଯାଇ ପାରିବନାହିଁ। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତିରେ ଦୁଇଟି ଡିଗ୍ରି ଥିବା ପ୍ରାର୍ଥୀଙ୍କ ପ୍ରସଙ୍ଗରେ କୌଣସି ସ୍ପଷ୍ଟ ଆଦେଶ/ମାର୍ଗଦର୍ଶନ ନଥିବା ବେଳେ ଏଭଳି ଆବେଦନକାରୀଙ୍କ ପ୍ରାର୍ଥିତ୍ବ ନାକଚ କରାଯିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇଟି ଡିଗ୍ରିଧାରୀଙ୍କ ପ୍ରାର୍ଥିତ୍ବ ଖାରଜ ବିରୋଧରେ ଦାୟର ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓପିଏସ୍‌ସି ପକ୍ଷରୁ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଆବେଦନକାରୀ ଭୁବନ ମୋହନ ବେହେରା ଜିଓଲୋଜି ବିଭାଗରେ ସହକାରୀ ପ୍ରଫେସର ପଦ ପାଇଁ ଅନ୍‌ଲାଇନରେ ଦରଖାସ୍ତ ଦାଖଲ କରିଥିଲେ। ସେ ବମ୍ବେ ଆଇଆଇଟିରୁ ଏମ୍‌.ଏସ୍‌ସି. ଓ ପିଏଚ୍‌ଡି ଦୁଇ ଡିଗ୍ରି ହାସଲ କରିଥିବା ନେଇ ଅନ୍‌ଲାଇନ ଦରଖାସ୍ତରେ ଉଲ୍ଲେଖ କରିଥିଲେ। ଆବେଦନକାରୀଙ୍କ ଏମ୍‌.ଏସ୍‌ସି. ଓ ପିଏଚଡି ଦୁଇ ଡିଗ୍ରି ପାଇଁ ଅନୁଷ୍ଠାନ ତରଫରୁ ଗୋଟିଏ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଆବେଦନକାରୀଙ୍କ ଦରଖାସ୍ତ ଗ୍ରହଣ କରାଯାଇ ସାକ୍ଷାତକାର ପାଇଁ ଡକାଯାଇଥିଲା। କିନ୍ତୁ ସାର୍ଟିଫିକେଟ ଯାଞ୍ଚ ସମୟରେ ତାଙ୍କ ପ୍ରାର୍ଥିତ୍ବ ନାକଚ କରାଯାଇଥିଲା। ୨୦୨୨, ଜାନୁଆରି ୧୭ର ଏ ସଂପର୍କିତ ଆଦେଶକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ହାଇକୋର୍ଟ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରିବା ସହିତ କହିଛନ୍ତି ଯେ ଓପିଏସସି ଏହି ପ୍ରସଙ୍ଗରେ ସ୍ପଷ୍ଟ ମାର୍ଗଦର୍ଶନ/ସୂଚନା ଦେବା ଉଚିତ। ଫଳରେ ଆବେଦନକାରୀଙ୍କ ଭଳି ବହୁ ମେଧାବୀ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣରୁ ବଞ୍ଚିତ ହେବେନାହିଁ।

ସମ୍ବନ୍ଧିତ ଖବର