ଭୁବନେଶ୍ବର : ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ୍ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ତାଙ୍କର ଜାମିନ୍ ନାମଂଜୁର ହେବା ପରେ ଶ୍ରୀ ଦାସଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଇଓଡବ୍ଲୁ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଅର୍ଦ୍ଧେନ୍ଦୁଙ୍କୁ ୨ଥର ନୋଟିସ୍ କରି ହାଜର ହେବା ପାଇଁ ସମନ୍ କରାଯାଇଥିଲେ ହେଁ ସେ ଉପସ୍ଥିତ ହୋଇନଥିଲେ। ଏନେଇ ତାଙ୍କ ଜାଗମରାସ୍ଥିତ ବାସଭବନରେ ପୂର୍ବରୁ ଚଢ଼ଉ ହୋଇଥିଲା। ସେଠାରୁ ଖାଲି ହାତରେ ଫେରିବା ପରେ ତାଙ୍କୁ ଆଜି ଭୋର୍ ୩ଟା ବେଳେ ନୟାଗଡ଼ ଓଡ଼ଗାଁରୁ ଇଓଡବ୍ଲୁ ଉଠାଇ ଆଣିଥିଲା। ଇଓଡବ୍ଲୁର ଏକ ୬ଜଣିଆ ଟିମ୍ ଓଡ଼ଗାଁସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରି ଶ୍ରୀ ଦାସଙ୍କୁ ରିଜର୍ଭ ଅଫିସ୍କୁ ଆଣିଥିଲେ। ସେଠାରେ ଶ୍ରୀ ଦାସଙ୍କୁ ପ୍ରାୟ ୬ଘଣ୍ଟା ମାରାଥନ୍ ଜେରା ପରେ ବୈଦ୍ୟୁତିକ ଯନ୍ତ୍ରାଂଶ କିଣି ପ୍ରାୟ ୯୨ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା।
ଏହା ପରେ ଶ୍ରୀ ଦାସଙ୍କର କୋଭିଡ୍ ଓ ଡାକ୍ତରୀ ପରୀକ୍ଷା କରାଯାଇ ଅପରାହ୍ନ ପ୍ରାୟ ୩ଟା ୫୦ରେ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଅର୍ଦ୍ଧେନ୍ଦୁଙ୍କ ଜାମିନ ଖାରଜ କରିବା ପରେ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୧୩ଜୁଲାଇରେ ଏହି ମାମଲାର ପୁଣି ଶୁଣାଣି କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅପରପଟେ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ଉଠାଇନେଇଥିବା ଖବର ପଦାକୁ ଆସିବା ପରେ ‘ବଡ଼ ଖବର’ର କର୍ମଚାରୀ ଇଓଡବ୍ଲୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏପରିକି ଅର୍ଦ୍ଧେନ୍ଦୁଙ୍କୁ ଯେଉଁ ଗାଡ଼ିରେ କୋର୍ଟ ନିଆଯାଇଥିଲା, ‘ବଡ଼ ଖବର’ର କର୍ମଚାରୀମାନେ ତାହାକୁ ଛାଡ଼ିନଥିଲେ। ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଇଓଡବ୍ଲୁ କର୍ତ୍ତୃପକ୍ଷ ଚତୁରତାର ସହ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ କାର୍ଯ୍ୟାଳୟ ପରିସରରୁ ଭୁବନେଶ୍ବର କୋର୍ଟ ଚାଲାଣ କରିଥିଲେ।
ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ଭୁବନେଶ୍ବର ବିଜେପି ଜିଲ୍ଲା ସଭାପତି ବାବୁ ସିଂହ ଆଜି ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁରେ ଭେଟିବା ଅବସରରେ ଏହି ଗିରଫଦାରୀକୁ ଆକ୍ରୋଶମୂଳକ ବୋଲି ମତ ଦେଇଛନ୍ତି।