ବାଲିକୁଦା ବିଡିଓଙ୍କ ବ୍ୟାଙ୍କ୍ ଖାତାରୁ ଟଙ୍କା ଗାଏବ୍ ଘଟଣା: ବ୍ଲକ୍ କ୍ୟାସିଅରଙ୍କୁ ଉଠାଇ ନେଲା ଇଓଡବ୍ଲ୍ୟୁ
ମନ୍ତ୍ରୀଙ୍କ ବୈଠକ ସ୍ଥଗିତ
ଜଗତସିଂହପୁର ଟାଉନ୍/ ମାଛଗାଁ : ଜଗତ୍ସିଂହପୁର ବାଲିକୁଦା ବ୍ଲକ୍ କ୍ୟାସିଅର୍ ନିହାର ରଂଜନ ଦାସଙ୍କୁ ସୋମବାର କ୍ରାଇମ୍ବ୍ରାଞ୍ଚ୍ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ର ଏକ ଟିମ୍ ବାଲିକୁଦା ବ୍ଲକ୍ ପରିସରରୁ ଉଠାଇ ନେଇଛି। ବାଲିକୁଦା ବ୍ଳକ୍ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ୨୦୧୯–୨୦ ଆର୍ଥିକ ବର୍ଷରେ ପ୍ରାୟ ୫୬ ଜଣଙ୍କ ନାମରେ ଆସିଥିବା ଅର୍ଥରୁ ୨ କୋଟି ୬୧ ଲକ୍ଷ ଏବଂ ସିଜିଏଫ୍ ଆକାଉଣ୍ଟରୁ ଲକ୍ଷେ ୭୫ ହଜାର ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ଉପରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରୁଥିବା ବେଳେ କ୍ୟାସିଅର୍ଙ୍କୁ ଉଠାଇ ନେବା ଘଟଣା ଏବେ ପ୍ରଶାସନର ନିଦ ହଜାଇ ଦେଇଛି। ଆଜି ବ୍ଲକ୍ର ବିକାଶମୂଳକ କାର୍ଯ୍ୟ ସମୀକ୍ଷା ବୈଠକ ପାଇଁ ରାଜ୍ୟ ଜଳସମ୍ପଦ ଓ ସୂଚନା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଡିଓ ସୌରଭ କଲ୍ୟାଣ ଦାସ ବ୍ଲକ୍ରେ ବସି ବୈଠକ ପ୍ରସ୍ତୁତି ଚଳାଇଥିବା ବେଳେ ଏହି ଟିମ୍ ପହଞ୍ଚି ନିହାରଙ୍କୁ ଉଠାଇ ନେଇଥିଲେ। ଏହି ଘଟଣା ଜଣା ପଡ଼ିବା ପରେ ବୈଠକକୁ ସ୍ଥଗିତ ରଖାଯାଇଥିଲା।
ଅଭିଯୋଗ ଅନୁସାରେ ବାଲିକୁଦା ବ୍ଲକ୍ ଅରିଲୋ ପଂଚାୟତ ସାଦେଇପୁର ବଜାରରେ ଥିବା ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ତିଆରେ ୨୦୧୮ରେ ବାଲିକୁଦା ବ୍ଳକ୍ ‘ଆମ ଗାଁ ଆମ ବିକାଶ’ ଯୋଜନାର ଖାତା ଖୋଲାଯାଇଥିଲା। ବ୍ଲକ୍ ନିକଟରେ ଏକାଧିକ ବ୍ୟାଙ୍କ୍ ଥିବା ସତ୍ତ୍ବେ ୬ କିମି ଦୂରରେ ଥିବା ଏହି ବ୍ୟାଙ୍କରେ ଖାତା ଖୋଲାଯିବା ପଛରେ କ୍ୟାସିୟର୍ଙ୍କ ହାତ ଥିବା ସନ୍ଦେହରୁ କ୍ରାଇମ୍ବ୍ରାଞ୍ଚ ଦୁର୍ନୀତିର ଏହି ଖିଅ ପାଇଥିବା କୁହାଯାଉଛି। ତତ୍କାଳୀନ ବିଡିଓ କଲ୍ୟାଣୀ ପଟ୍ଟନାୟକ ଏହି ଆକାଉଣ୍ଟ୍ ପାଇଁ ମଧ୍ୟ ସମ୍ମତି ଦେଇଥିଲେ। ପ୍ରାୟ ଦେଢ଼ ବର୍ଷ ହେବ କଲ୍ୟାଣୀ ପଟ୍ଟନାୟକଙ୍କର ବଦଳି ପରେ ସୌରଭ କଲ୍ୟାଣ ଦାସ ବିଡ଼ିଓ ଭାବେ ଯୋଗ ଦେଇଛନ୍ତି। କିନ୍ତୁ ତତ୍କାଳୀନ କ୍ୟାସିୟର ଓ ବିଡିଓ କାହିଁକି ବ୍ୟାଙ୍କ ଖାତା ଅପ୍ଡେଟ୍ କରୁ ନଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହେଲା। ନୂଆ ବିଡିଓ ଯୋଗ ଦେବା ପରେ ମାର୍ଚ ମାସ ବେଳକୁ କରୋନା ମହାମାରୀ ଯୋଗୁଁ ସବୁ କିଛି ଠପ୍ ହୋଇ ଯାଇଥିଲା। ଗତ ଜାନୁଆରି ମାସରେ ଅଡିଟ୍ ସମୟରେ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ତଥ୍ୟ ସାମ୍ନାକୁ ଆସିବାରୁ ବିଡିଓ ୟୁନିୟନ୍ ବ୍ୟାଙ୍କ୍ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ଟଙ୍କା କେମିତି କଟିଲା ସେମାନେ ଜାଣି ନଥିବା କହି ଖସି ଯିବାକୁ ଉଦ୍ୟମ କରିଥିଲେ।
ଏନେଇ ବିଡିଓ ଶ୍ରୀ ଦାସ ବାଲିକୁଦା ଥାନାରେ ଗତ ଜାନୁଆରି ୯ ତାରିଖରେ ଅଭିଯୋଗ ଦେବା ପରେ ପୁଲିସ୍ ମାମଲା ରୁଜୁ କରିଥିଲା। ତତ୍କାଳୀନ ଥାନା ଅଧିକାରୀ ସର୍ବେଶ୍ବର ବେହେରା ମଧ୍ୟ ଏହାକୁ ଗୁରୁତ୍ବ ଦେଇ ନଥିଲେ। ଏହାପରେ ବିଡିଓ ପୁଲିସ ଡିଜିଙ୍କୁ ଲିଖିତ ଭାବେ ଜଣାଇବାରୁ ଘଟଣାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚ୍ ହାତକୁ ଯାଇଥିଲା। ବ୍ଲକ୍ରେ ବିଡିଓଙ୍କ ଦୁଇଟି ଆକାଉଣ୍ଟ୍ରୁ ଟଙ୍କା ଗାଏବ ଘଟଣାକୁ ୬ ମାସ ବିତିଲାଣି। ଟଙ୍କା କେମିତି ଓ କିପରି ଆକାଉଣ୍ଟରୁ ଗାଏବ୍ ହୋଇଗଲା ତାହାର ଏ ଯାଏ ପର୍ଦ୍ଦାଫାସ ହୋଇପାରି ନାହିଁ। ସଂପୃକ୍ତ ବ୍ୟାଙ୍କ୍ ଆଜି ପର୍ଯ୍ୟନ୍ତ ବିଡିଓଙ୍କ ବ୍ୟାଙ୍କ୍ ଖାତାକୁ ଟଙ୍କା ଫେରାଇ ନାହିଁ। ଅନ୍ୟପଟେ ଏହି ଯୋଜନାରେ କାମ କରିଥିବା ଠିକାଦାର ସେମାନଙ୍କ ଟଙ୍କା ପାଇ ପାରୁନାହାନ୍ତି।