ଗଣମାଧ୍ୟମର କଣ୍ଠରୋଧ ଜାରି: ମିଛ ମାମଲାର ଚାଲିଛି ସତ ତଦନ୍ତ

‘ସମ୍ବାଦ ଭବନ’ରେ ଇଓଡବ୍ଲୁ ଟିମ୍

ଭୁବନେଶ୍ବର : ଗଣମାଧ୍ୟମର ସ୍ବରକୁ ଚାପି ଦେବା ଲାଗି ଯେତେ ସମ୍ଭବ ତଳକୁ ଖସି ପଦକ୍ଷେପ ନେବା ଲାଗି ସରକାରୀ କଳ ପୂରା ଦମରେ ଲାଗିପଡ଼ିଛି । ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ନିଜର ଏକ ସଂପାଦକୀୟ ମାଧ୍ୟମରେ ‘ସଚିବ ବଡ଼ ନା ମନ୍ତ୍ରୀ ବଡ଼’ ଭଳି ନ୍ୟାୟୋଚିତ ଓ ପ୍ରାସଙ୍ଗିକ ପ୍ରଶ୍ନ ଉଠାଇବା ପରେ ପ୍ରଶାସନିକ ଆକ୍ରୋଶର ଶିକାର ହୋଇଛନ୍ତି । ‘ଆମ ଘରର ହାଲଚାଲ୍’ କ୍ରମରେ ତାଙ୍କର ଲେଖା ‘ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା’ ଗତ ଅଗଷ୍ଟ ୨୭ ତାରିଖରେ ପ୍ରକାଶ ପାଇବା ପରେ ‘ସମ୍ବାଦ’ ବିରୋଧରେ ସରକାରୀ କଳ ପୂରା ଲଙ୍ଗଳାମୁକୁଳା ହୋଇ ଲାଗି ପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଥିବା ଜନମତକୁ ଅପବ୍ୟବହାର କରି ଛାୟା ସରକାର ଚଳାଉଥିବା ୫-ଟି ସଚିବ ଭି କେ ପାଣ୍ଡିଆନ ଏଥିରେ ଉତକ୍ଷିପ୍ତ ହୋଇପଡ଼ିଛନ୍ତି। ସେ ଓ ତାଙ୍କ ସହଯୋଗୀ ସୌମ୍ୟରଂଜନଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ପ୍ରଥମେ ‘ସମ୍ବାଦ’, ‘କନକ ନ୍ୟୁଜ’ ଓ ‘ରେଡିଓ ଚକଲେଟ୍’କୁ ସରକାରୀ ବିଜ୍ଞାପନ ବନ୍ଦ କରିବା ପରେ ଏବେ ଆଉ ପାଦେ ତଳକୁ ଓହ୍ଲାଇ ପଡ଼ିଛନ୍ତି। ଏକ ମିଛ ତଥା ପ୍ରାୟୋଜିତ ମାମଲା ରୁଜୁ କରାଇ ରାଜ୍ୟ ପୁଲିସର ଅର୍ଥନୈତିକ ଅପରାଧ ଶାଖାକୁ ତଦନ୍ତ ଆଳରେ ‘ସମ୍ବାଦ ଭବନ’ରେ ପୂରାଇଛନ୍ତି। ପ୍ରାୟ ୩ ବର୍ଷ ତଳେ ‘ସମ୍ବାଦ’ରୁ ବିଦାୟ ନେଇଥିବା ତଥା ସଂପ୍ରତି ସରକାରୀ ଦଳର ପ୍ରାୟୋଜନରେ ଚାଲିଥିବା ‘ସକାଳ’ ଖବରକାଗଜରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅଭିଯୋଗ କ୍ରମେ ଏହି ତଦନ୍ତ କରୁଛି ଇଓଡବ୍ଲୁ। ତାଙ୍କ ଅଭିଯୋଗ ଅନୁସାରେ, ସେ ଚାକିରି କରୁଥିବା ବେଳେ ତାଙ୍କ ନାମରେ ‘ସମ୍ବାଦ’ ତଞ୍ଚକତା କରି ବ୍ୟାଙ୍କରୁ ଋଣ କରିଥିଲା। ଅସଲ କଥା ହେଲା, ବହୁ ବର୍ଷ ପୂର୍ବରେ କରାଯାଇଥିବା ଋଣ (ଯାହାକୁ ଶୁଝା ସରିଛି) ସଂକ୍ରାନ୍ତୀୟ ଏକ ଘଟଣାକୁ ଉଦ୍ଦେଶ୍ୟମୂଳକ ଭାବେ ଏବେ ଆଗକୁ ଅଣାଯାଇଛି। ଆଉ ଏହି ଅଭିଯୋଗ ପାଇବା ପରେ ଇଓଡବ୍ଲୁ ପକ୍ଷରୁ ମିଛ ମାମଲାର ସତ ତଦନ୍ତ ଆରମ୍ଭ କରିଦିଆଯାଇଛି । ଗତକାଲି ‘ସମ୍ବାଦ’ର ସିଓଓଙ୍କୁ ଜେରା କରିବା ପରେ ଆଜି ‘ସମ୍ବାଦ’ କାର୍ଯ୍ୟାଳୟକୁ ଆସି ସରଜମିନ୍ ତଦନ୍ତ କରୁଛି ଇଓଡବ୍ଲୁର ଏକ ୧୨ ଜଣିଆ ଟିମ୍। ତଦନ୍ତରେ ‘ସମ୍ବାଦ’ ପକ୍ଷରୁ ସଂପୂର୍ଣ୍ଣ ସହଯୋଗ କରାଯାଉଛି। କିନ୍ତୁ ବାସ୍ତବରେ ଏହା ଜଳଜଳ ଦିଶୁଛି କି ‘ତଦନ୍ତ’ ଆଳରେ ସୁଚିନ୍ତିତ ଉପାୟରେ ମାନସିକ ନିର୍ଯାତନା ଦେଇ ଚାପ ସୃଷ୍ଟି କରିବାର ଅପଉଦ୍ୟମ ବ୍ୟତୀତ ଏହା ଆଉ କିଛି ନୁହେଁ।

ବିଜ୍ଞାପନ ବନ୍ଦ ଭଳି ଆର୍ଥିକ ଚାପ କୌଶଳ କାମ କରି ନଥିଲା କି ‘ସମ୍ବାଦ’ର ସ୍ବର ଦବି ଯାଇନଥିଲା। ଲଗାତାର ବ୍ୟବସ୍ଥାର ତ୍ରୁଟିକୁ ପଦାକୁ ଆଣିବା ପରେ ସରକାର ଆହୁରି ଉଗ୍ର ହୋଇଥିଲେ। ଏହାପରେ ବିଜେଡିର ଉପସଭାପତି ପଦବିରୁ ସୌମ୍ୟରଞ୍ଜନଙ୍କୁ ହଟାଇ ପ୍ରମାଣିତ କରାଗଲା ଯେ ସଚିବ ହିଁ ବଡ଼ ଓ ସର୍ବଶକ୍ତିମାନ। ନିଜକୁ ସର୍ବେସର୍ବା ଭାବୁଥିବା ଅଧିକାରୀ ଜଣଙ୍କ ଆଉ ଏକ ଚାପ କୌଶଳ ଆପଣାଇଥିଲେ। ସୌମ୍ୟରଞ୍ଜନଙ୍କ ସମ୍ପର୍କୀୟଙ୍କ ମାଲିକାନାରେ ଥିବା ରିୟଲ୍ ଇଷ୍ଟେଟ୍ ସଂସ୍ଥା ‘ଜେଡ୍ ଇଷ୍ଟେଟ୍’ର କର୍ତ୍ତୃପକ୍ଷଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ମିଛ ମାମଲା କରାଇଥିଲେ। ଗତକାଲି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କୁ ଡାକି ଜେରା କରାଯାଇଥିଲା। ଏହାପରେ ଆଜି ମିଛ ମାମଲାର ତଦନ୍ତକୁ ଜୋରଦାର କରିଛନ୍ତି ସରକାର।

ଏହି ପ୍ରାୟୋଜିତ ମାମଲାରେ ଆଜି ‘ସମ୍ବାଦ’ ଭବନରେ ଇଓଡବ୍ଲୁ ପଶି ଛାନଭିନ୍ କରିବାକୁ ବହୁ ବରିଷ୍ଠ ସାମ୍ବାଦିକ ନାପସନ୍ଦ କରିବା ସହ ଏହାର କଡା ସମାଲୋଚନା କରିଛନ୍ତି। ବରିଷ୍ଠ ସାମ୍ବାଦିକ ସଂପଦ ମହାପାତ୍ର ସାମାଜିକ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି, ‘‘ଓଡ଼ିଆ ଲୋକେ ସହଜରେ କୌଣସି ବିବାଦରେ ଫସିବାକୁ ଚାହାନ୍ତି ନାହିଁ…କାଦୁଅରେ ପଶିବା କାହିଁକି, ଗୋଡ଼ ଧୋଇବା କାହିଁକି? ଏହି କାରଣରୁ ଆଜି କେତେଜଣ ଅମଲାଙ୍କ ଦାଦାଗିରିର ଶିକାର ହୋଇଛି…ବିଶେଷ କରି ପାଣ୍ଡିଆନ ବାବୁଙ୍କ ଭଳି ଜଣେ ସଚିବଙ୍କ ଉତ୍ପାତ ସବୁ ସୀମା ଟପି ଯାଇଛି…ନବୀନ ବାବୁଙ୍କ ସରକାର ଅତ୍ୟନ୍ତ ପ୍ରତିହିଂସାପରାୟଣ ଏବଂ ଛୋଟ ମିଜାଜର ବୋଲି ଆମେ ଜାଣିଛୁ…ଏହାର ଅନେକ ପ୍ରମାଣ ରହିଛି… ଏବେ ‘ସମ୍ବାଦ’, ସୌମ୍ୟ ବାବୁ ଏବଂ ତାଙ୍କ ସମ୍ପର୍କୀୟଙ୍କ ଉପରେ ଚାଲିଥିବା ପଦକ୍ଷେପରୁ ଏହା ସୁସ୍ପଷ୍ଟ …ନିଜ ଦଳରେ ଅନେକ ଯୋଗ୍ୟ ଏବଂ ଦକ୍ଷ ନେତା ଥିବା ବେଳେ ନବୀନ ବାବୁ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଉପରେ ପୂରାପୂରି ନିର୍ଭର କରିବା ପଛରେ କାରଣ କ’ଣ ? ମୋ ବିଚାରରେ ଏହା ତାଙ୍କର ଓଡ଼ିଆ ବିରୋଧୀ ଚିନ୍ତାଧାରା ଓ ହୀନମନ୍ୟତାର ପରିଚାୟକ।’’

ଏହି ଘଟଣାରେ ଏକ୍ସରେ ( ପୂର୍ବରୁ ଟୁଇଟର) ମତ ରଖି ବିଶିଷ୍ଟ ଆଇନଜୀବୀ ଓ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ‘‘ଆମେ କ’ଣ ଓଡ଼ିଶାରେ ‘ଏମର୍ଜେନ୍ସି’ ଭଳି ପରିସ୍ଥିତିରେ ଅଛେ? ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ର କାର୍ଯ୍ୟାଳୟରେ ଇଓଡବ୍ଲୁ ଚଢ଼ାଉ ପ୍ରେସ୍ ସ୍ବାଧୀନତାର ଖୋଲା ଉଲ୍ଲଂଘନ। ରାଜ୍ୟ ସରକାର ନିଜ ପରିଚାଳିତ ଇଓଡବ୍ଲୁ ଦ୍ବାରା ଗଣମାଧ୍ୟମର କଣ୍ଠରୋଧରୁ ନିବୃତ୍ତ ହେବା ଲାଗିଏହା ପ୍ରକୃତ ସମୟ।’’ ଏହି ପୋଷ୍ଟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍ କରିଛନ୍ତି।

ତେବେ ଏହି କାର୍ଯ୍ୟାନୁଷ୍ଠାନ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୌଣସି କାରଣରୁ ୩ ବର୍ଷ ତଳେ ଅନୁଷ୍ଠାନ ଛାଡ଼ିଥିବା ଜଣେ କର୍ମଚାରୀ ହଠାତ୍ ସକ୍ରିୟ ହୋଇଉଠିଛନ୍ତି କାହିଁକି? ୩ ବର୍ଷ ଧରି ଚୁପ୍ ରହିବା ପରେ ସେ ହଠାତ୍ ମୁହଁ ଖୋଲିବା ଏବଂ ଏଭଳି ପରିସ୍ଥିତିରେ ମାମଲା ଦାୟର କରିବା ସ୍ପଷ୍ଟ ସଂକେତ ଦେଉଛି ଯେ କାହାର ଇଙ୍ଗିତରେ ହୁଏତ ସେ ଏପରି କରିଛନ୍ତି। ତାଙ୍କ ଉପରେ ଚାପ ପ୍ରୟୋଗ ହୋଇଛି। ନିଜର ନୂତନ କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଚାପରେ ଆସି ଏଭଳି ଅତିରଂଜିତ ତଥା ଅଭିଷନ୍ଧିମୂଳକ ଅଭିଯୋଗ କରିବାକୁ ପଛାଇ ନାହାନ୍ତି । କର୍ମଚାରୀଙ୍କର ଏହି ଋଣ ପଛରେ ସୌମ୍ୟରଞ୍ଜନଙ୍କର କୌଣସି ଭୂମିକା ନଥିବା ବେଳେ ସରକାରଙ୍କ ମୁଖପତ୍ର ସାଜିଥିବା ସକାଳ ଖବରକାଗଜ ଓ ନନ୍ଦିଘୋଷ ଟିଭିକୁ ବ୍ୟବହାର କରି ତାଙ୍କୁ ବଦନାମ କରିବା ପାଇଁ ସରକାରୀ କଳ ଦିନରାତି ଏକ୍ କରିଦେଇଛି। ମିଛ ମାମଲା ଯୋଡ଼ିବା ପାଇଁ ସଂପୃକ୍ତ ଅଧିକାରୀଙ୍କ ନିର୍ଦ୍ଦେଶରେ ଆହୁରି ଅଧିକ ଲୋକଙ୍କୁ ଯୋଗାଡ଼ କରାଯାଉଛି। ବିଭିନ୍ନ ପ୍ରକାର ପ୍ରଲୋଭନ ଓ ଚାପ ପକାଇ ଏତଲା ଦେବା ପାଇଁ କୁହାଯାଉଛି।

ସମ୍ବନ୍ଧିତ ଖବର