ଝାରସୁଗୁଡ଼ା: ଅଧା ଦରମାରେ କାମ କରୁଥିବା ଜଣେ ଶିକ୍ଷକ ପୁରା ଦରମା କଥା ଉଠାଇ ପରିଚାଳନା କମିଟିର ରୋଷର ଶିକାର ହୋଇଥିବା ବ୍ରଜରାଜନଗର ଆଦର୍ଶନଗରଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଂସ୍କୃତ ଆଚାର୍ଯ୍ୟ ଦାମୋଦର ସେନାପତି ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଶ୍ରୀ ସେନାପତି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଏହି ବିଦ୍ୟାଳୟରେ ଗତ ୧୧ ବର୍ଷ ହେଲା ନିଷ୍ଠାର ସହିତ ଶିକ୍ଷାଦାନ କରି ଆସୁଛନ୍ତି। ଶିକ୍ଷାଦାନ ନେଇ କେବେ କୌଣସି ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ଅଭିଯୋଗ କରିନଥିଲେ। ତେବେ ହଠାତ ପରିଚାଳନା କମିଟି ତାଙ୍କୁ ବିଶୃ୍ଙ୍ଖଳ ଆଚରଣ ଦର୍ଶାଇ ଏଠାରୁ ଦେବଗଡ଼ଠାରେ ଥିବା ଶିଶୁ ମନ୍ଦିରକୁ ବଦଳି ଆଦେଶ ଦେଇଛନ୍ତି।
ଶ୍ରୀ ସେନାପତି କହିଛନ୍ତି ଯେ, ସେ ୬,୨୦୦ ଟଙ୍କାରେ ପୂର୍ଣ୍ଣ ସମୟ ଏଠାରେ ଶିକ୍ଷାଦାନ କରୁଥିଲେ। ତେବେ ଗତ କରୋନା ସମୟଠାରୁ ଏହି ଦକ୍ଷିଣାକୁ ୩,୮୦୦ ଟଙ୍କା କରି ଦିଆଯାଇଥିଲା। ଅଧା ଦକ୍ଷିଣାରେ ମଧ୍ୟ କାମ କରି ଦୁଃଖ କଷ୍ଟରେ ପରିବାର ପରିପୋଷଣ କରୁଥିଲି। ଅଭିଭାବକମାନେ ତାଙ୍କ ପୁଅଝିଅଙ୍କ ପାଠପଢ଼ା ସମ୍ବନ୍ଧୀୟ ମାସିକ ଶୁଳ୍କ ଜମା କରିବା ସହିତ ବାର୍ଷିକ ରି-ଆଡମିସନ ଶୁଳ୍କ ମଧ୍ୟ ଜମା କରୁଛନ୍ତି। ତେବେ ସେ ସ୍ବୀକାର କରିଛନ୍ତି ଯେ, ଏହି ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କୁ ପୂର୍ଣ୍ଣ ଦକ୍ଷିଣା ପ୍ରଦାନ, ଇପିଏଫ୍ ଟଙ୍କା ଠିକ୍ ସମୟରେ ଜମା ନହେବା ସମସ୍ୟାକୁ ଉପସ୍ଥାପନ କରି ଆସୁଥିଲେ। ଏହି ଦାବି ସମସ୍ତ ଗୁରୁଜୀ, ଗୁରୁମାଙ୍କ ନ୍ୟାଯ୍ୟ ଦାବି ହୋଇଥିବା ବେଳେ ଏହାକୁ ଉପସ୍ଥାପନ କରିବା କୌଣସି ପ୍ରକାରେ ବିଶୃଙ୍ଖଳିତ ଆଚରଣ କହିବା ନ୍ୟାୟ ସଙ୍ଗତ ନୁହେଁ ବୋଲି ଶ୍ରୀ ସେନାପତି ଯୁକ୍ତି କରିଛନ୍ତି। ଏହି ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଶିକ୍ଷକମାନଙ୍କ ଇପିଏଫ୍ ଟଙ୍କା ଜମା ହୋଇନଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା ଓ ଏହା ନେଇ ଏବେ ମଧ୍ୟ ସମସ୍ୟା ଲାଗି ରହିଛି। ପୁରା ଦରମା ଓ ବକେୟା ଟଙ୍କା ପ୍ରଦାନ ପାଇଁ ସେ ପରିଚାଳନା କମିଟିର ଦୃଷ୍ଟି ଆକର୍ଷଣ ମଧ୍ୟ କରି ଆସୁଥିଲେ। ଏଭଳି ସମୟରେ ସ୍ବର ଉତ୍ତୋଳନ କରୁଥିବା ଏହି ଶିକ୍ଷକଙ୍କୁ ଶିକ୍ଷା ବିକାଶ ସମିତି ବଦଳି କରି ଶିକ୍ଷକମାନଙ୍କ ସ୍ବରକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଶ୍ରୀ ସେନାପତି ଅଭିଯୋଗ କରି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଯଦି ତାଙ୍କୁ ନ୍ୟାୟ ନମିଳେ ତେବେ ଆସନ୍ତା ୨୨ ତାରିଖ ଠାରୁ ସେ ଶିଶୁ ମନ୍ଦିର ସମ୍ମୁଖରେ ପରିବାର ସହିତ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/EPFO1-1.jpg)