ବିଧାନସଭାରେ ପାରିତ ହେଲା ମହାମାରୀ(ସଂଶୋଧନ) ବିଲ୍-୨୦୨୦ : କୋଭିଡ୍ ନିୟମ ନ ମାନିଲେ ୨ ବର୍ଷ ଜେଲ୍, ଲକ୍ଷେ ଟଙ୍କା ଜରିମାନା

ବିଲକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଲେ ନରସିଂହ
ବିଜେଡି ସଭ୍ୟ ଅମର ଶତପଥୀଙ୍କ ପରାମର୍ଶ ବି ରହିଲାନି

ଭୁବନେଶ୍ୱର : ଏଣିକି କରୋନା ନିୟମ ଭାଙ୍ଗିଲେ ନିସ୍ତାର ନାହିଁ। ଅମାନିଆଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ମିଳିବା ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏ ନେଇ ଆଜି ବିଧାନସଭାରେ ମହାମାରୀ ରୋଗ (ଓଡ଼ିଶା ସଂଶୋଧନ) ବିଲ୍-୨୦୨୦ ପାରିତ ହୋଇଛି। ତେବେ ଜରିମାନା ପରିମାଣ ମାତ୍ରାଧିକ ହୋଇଛି। ଜେଲ୍ ବ୍ୟବସ୍ଥା କେବଳ ବିରୋଧୀଙ୍କୁ ଚୁପ୍ କରିବାକୁ କରାଯାଇଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ। କହିଥିଲେ ଯେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଲୋକାୟୁକ୍ତ ପଞ୍ଝାରୁ ବଞ୍ଚାଇବା ପାଇଁ ବିଲରେ ବ୍ୟବସ୍ଥା କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଅନ୍ୟପଟେ ସାମାଜିକ ଦୂରତା ବଦଳରେ ଶାରୀରିକ ଦୂରତା ଶବ୍ଦ ବ୍ୟବହାର କରିବାକୁ ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ ପରାମର୍ଶ ଦେଇଥିଲେ ବି ସରକାର ଶୁଣିନାହାନ୍ତି। ଅନ୍ୟପଟେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ବାରମ୍ବାର ନିବେଦନ ପରେ ବି କିଛି ବ୍ୟକ୍ତି ନିୟମ ପାଳନ କରୁନାହାନ୍ତି। ଯାହାଙ୍କ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦଗ୍ରସ୍ତ ହେଉଛି। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ବିଲରେ ଏପରି କଠୋର ବ୍ୟବସ୍ଥା କରାଯାଇଛି।

ବିଲ୍ ଉପରେ ଆଲୋଚନା ଆରମ୍ଭ କରି ବିଜେଡି ସଭ୍ୟ ଭୂପିନ୍ଦର ସିଂହ କହିଥିଲେ, କରୋନା ମହାମାରୀ ଯେପରି ଭାବେ କାୟା ବିସ୍ତାର କରିଚାଲିଛି ଆମକୁ ଦଳମତ ନିର୍ବିଶେଷରେ ରାଜନୀତିରୁ ଊର୍ଦ୍ଧ୍ବରେ ରହି ସରକାରଙ୍କୁ ସହଯୋଗ କରିବାକୁ ପଡ଼ିବ। ଏହି ରୋଗର ଯେ ପର୍ଯ୍ୟନ୍ତ ଟିକା ନ ବାହାରିଛି ସେ ପର୍ଯ୍ୟନ୍ତ ମାସ୍କ୍ ହେଉଛି ଟିକା, ହାତ ଧୋଇବା ହେଉଛି ମେଡିସିନ୍, ସାମାଜିକ ଦୂରତା ହେଉଛି ରୋଗ ପ୍ରତିରୋଧ ଶକ୍ତି। ପୁରୁଣା ମହାମାରୀ ଆଇନରେଯେଉଁ ଜରିମାନା ବ୍ୟବସ୍ଥା ୧୦ ହଜାର ଟଙ୍କା ଥିଲା, ସେଥିରେ ପରିବର୍ତ୍ତନ କରି ଅମାନିଆଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା କରାଯାଇଛି। ଏହାକୁ ସମସ୍ତେ ଗ୍ରହଣ କରିବା ଦରକାର। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ଆଜି ଯଦି ରାଜ୍ୟରେ କରୋନା କିଛି ପରିମାଣରେ ନିୟନ୍ତ୍ରଣରେ ଅଛି ତାହା କେବଳ ଗଣମାଧ୍ୟମ ଯୋଗୁ ସମ୍ଭବ ହୋଇପାରିଛି। ଯେଉଁଠି ଯାହା ହେଲା ତତକ୍ଷଣାତ ଗଣମାଧ୍ୟମ ତାକୁ ପ୍ରକାଶ କରିବାରୁ ଲୋକଲୋଚନକୁ ଆସୁଛି। ସରକାରଙ୍କ କିଛି ବି ଏଥିରେ ଭୂମିକା ନାହିଁ। ଏପରି ଜେଲ୍ ଓ ଜରିମାନା ଦଣ୍ଡ କରି ଲୋକଙ୍କୁ ପରିବର୍ତ୍ତନ କରିହେବନି। ସରକାର ତାଙ୍କ ନୀତିରେ ପରିବର୍ତ୍ତନ କରନ୍ତୁ। ମୁଖ୍ୟମନ୍ତ୍ରୀ ଘରେ ନ ବସି ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ବାହାରକୁ ଆସନ୍ତୁ ଓ ଦେଖନ୍ତୁ। କେବଳ କିଛି ପ୍ରଶାସନିକ ଅଧିକାରୀଙ୍କ ହାତରେ ପୂରା ବ୍ୟବସ୍ଥାଟିକୁ ଟେକିଦେଲେ ହେବନି ବୋଲି ସେ କହିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ଗରିବ। ସେମାନେ ତାଙ୍କ ଜୀବନ ଜୀବିକା ପାଇଁ ଯଦି କେତେବେଳେ ମାସ୍କ୍ କିମ୍ବା କୋଭିଡ ନିୟମ ଉଲଂଘନ କଲେ ତାହେଲେ ସେମାନଙ୍କ ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଅତି କଠୋର ପଦକ୍ଷେପ। ଏହି ଜରିମାନା ପରିମାଣକୁ ମନ୍ତ୍ରୀ କମ୍ କରନ୍ତୁ। ଯଦି ବିଲରେ ଜରିମାନା ବ୍ୟବସ୍ଥା ରଖାଯାଉଛି ତାହେଲେ ଏହା ବିରୋଧରେ ଅପିଲ କରିବାର ମଧ୍ୟ ବ୍ୟବସ୍ଥା କରାଯାଉ।

ଆଲୋଚନାରେ ଭାଗ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ, ମହାମାରୀ ଆଇନରେ ସଂଶୋଧନ କରିବା ଆଳରେ ବିରୋଧୀଙ୍କୁ ଚେକ୍ମେଟ୍ ଦେବାକୁ ସରକାର ପୂରା ଯୋଜନା କରିଛନ୍ତି। ସରକାରଙ୍କ କୋଭିଡ ପରିଚାଳନାରେ ତ୍ରୁଟିକୁ ନେଇ ବିରୋଧୀ ଯେପରି ଆନ୍ଦୋଳନ କରିପାରିବେନି ସେଥିପାଇଁ ଏପରି ଜେଲ୍ ଓ ଜରିମାନାର ବ୍ୟବସ୍ଥା କରାଯାଇଛି। ଏହି ବିଲ୍କୁ ପ୍ରତ୍ୟାହାର କରିବାକୁ ବାଚସ୍ପତି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଅତୀତରେ ସରକାର ଖଣିଜ ସମ୍ପଦ ଭରା ଜମି ଟିକସ ବିଲ୍, ଜମି ହଡ଼ପ ବିଲ୍, ପୁଲିସ ବିଲ୍, ବେଦାନ୍ତ ବିଲ୍ ପରି ଅନେକ ବିଲ୍ ତରବରିଆ ଭାବେ ବିଧାନସଭାରେ ପାରିତ କରିଥିଲେ। ଏସବୁ ବିଲ୍ ପାରିତ କରି ପରେ କିପରି ମାଡ଼ ଖାଇଥିଲେ ତା ସମସ୍ତଙ୍କୁ ଜଣା। ତଥାପି ସରକାରଙ୍କ ବୁଦ୍ଧି ଉଦୟ ହୋଇନାହିଁ। ଗତ ଏପ୍ରିଲରେ ସରକାର ମହାମାରୀ ଆଇନ-୧୮୯୭ରେ ସଂଶୋଧନ କରି ପ୍ରଥମ ଅଧ୍ୟାଦେଶ ଜାରି କରିଥିଲେ। ପରେ ମେଡିକାଲ ସାମଗ୍ରୀ କିଣା ଦୁର୍ନୀତି ସାମନାକୁ ଆସିବା ପରେ ଜୁଲାଇ ମାସରେ ଲୋକାୟୁକ୍ତରେ ମାମଲା ଦାୟର ହୋଇଛି। ଲୋକାୟୁକ୍ତ ଆଇନ ଅନୁଯାୟୀ, ଦୁର୍ନୀତି ପ୍ରମାଣିତ ହେଲେ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀ ଦଣ୍ଡ ପାଇବେ। ଯେହେତୁ ସରକାରଙ୍କ ଜାଣତରେ ଏସବୁ ଦୁର୍ନୀତି ହୋଇଛି ସେଥିପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ବଞ୍ଚାଇବା ପାଇଁ ଅଗଷ୍ଟ ମାସରେ ମହାମାରୀ ଆଇନରେ ପୁଣି ଥରେ ସଂଶୋଧନ କରାଯାଇ ସେହିମାସ ୩୧ ତାରିଖରେ ମହାମାରୀ ଆଇନ ସଂଶୋଧନ ନେଇ ଦ୍ବିତୀୟ ଅଧ୍ୟାଦେଶ ଜାରି କରିଛନ୍ତି। ଦୁଇଟି ଯାକ ଅଧ୍ୟାଦେଶକୁ ନେଇ ଏବେ ବିଲ୍ ପ୍ରସ୍ତୁତ କରାଯାଇଛି। ବିଲର ଧାରା ୩ ଉପଧାରା ୧(ସି) ଅନୁଯାୟୀ ଯଦି ଜଣେ ଅଧିକାରୀ ଦୁର୍ନୀତି କରିଥିବା ନେଇ ପ୍ରମାଣ ମିଳେ ତାହେଲେ ସରକାର ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରି ତାଙ୍କ ଉପରେ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଧାର୍ଯ୍ୟ କରିପାରିବେ। ଏହାସହିତ ଉପଧାରା ୧(ଡି) ଅନୁଯାୟୀ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଚାଲୁଥିବା ସମସ୍ତ ମାମଲାକୁ ପ୍ରତ୍ୟହାର କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏଥିରୁ ଜଣାପଡ଼ୁଛି ସବୁବେଳେ ସ୍ବଚ୍ଛ ପ୍ରଶାସନର ଦ୍ବାହି ଦେଉଥିବା ମୁଖ୍ୟମନ୍ତ୍ରୀ କେତେ ସ୍ବଚ୍ଛ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ପୁରୁଣା ଆଇନରେ ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରାଗଲେ ନିୟମ ପାଳନ କରୁନଥିବା ଲୋକଙ୍କୁ ନିଶ୍ଚିତ ଭାବେ ନିୟନ୍ତ୍ରଣ କରାଯାଇପାରିଥାନ୍ତା। ତା ନକରି ସରକାର ବିଲରେ କଠୋର ବ୍ୟବସ୍ଥା କରି ଲୋକଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ଶାସକ ଦଳ ସଭ୍ୟ ଶ୍ରୀ ଶତପଥୀ କହିଥିଲେ, କେଉଁ ପାହ୍ୟାର ଅଧିକାରୀ ଜରିମାନା ଧାର୍ଯ୍ୟ କରିବେ ସେ ନେଇ ବିଲରେ କିଛି ବି କୁହାଯାଇନି। ଏହାସହିତ ଉପଧାରା ୧(ସି)ରେ ଥିବା ‘ଇନ୍ ଦିସ୍ ବିହାପ୍’ ଶବ୍ଦକୁ ହଟାଇବାକୁ ଅନୁରୋଧ କରିଥିଲେ। ଆଲୋଚନା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଉତ୍ତର ଦେଇ କହିଥିଲେ, କରୋନା ମହାମାରୀ ସଂକ୍ରମଣରୁ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷା ଦେବା ସରକାରଙ୍କ ପ୍ରାଥମିକତା। ସରକାରଙ୍କ ବହୁ ଅନୁରୋଧ ଓ ସଚେତନତା ପରେ ବି କିଛି ଲୋକ କୋଭିଡ୍ ନିୟମ ଅନୁପାଳନ କରୁନାହାନ୍ତି। ସେମାନଙ୍କୁ ଠିକ୍ ବାଟକୁ ଆଣିବା ପାଇଁ ଏପରି ଦଣ୍ଡ ବ୍ୟବସ୍ଥା କରାଯାଇଛି। ବିରୋଧୀଙ୍କୁ ନିୟନ୍ତ୍ରଣ କରିବାକୁ ବିଲରେ ଏପରି ଜେଲ୍ ଦଣ୍ଡର ବ୍ୟବସ୍ଥା କରାଯାଇଥିବା ନେଇ ଯାହା ବିଜେପି ସଭ୍ୟ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ତାହା ଅମୂଳକ। ମାନବ ସମାଜକୁ ଏହି ବିପତ୍ତିରୁ ଉଦ୍ଧାର କରିବାକୁ ଏହି ବିଲ୍ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଥିଲେ। ମନ୍ତ୍ରୀଙ୍କ ଉତ୍ତର ପରେ ଗୃହରେ ବିଲ୍ ପାରିତ ହୋଇଥିଲା। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ବିଧାୟକ ମୋହନ ଚରଣ ମାଝୀ ଓ ବିଜେଡି ବିଧାୟକ ଅଶ୍ବିନୀ କୁମାର ପାତ୍ର ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର