ମହାମାରୀ ମହାଦୁର୍ନୀତି, ବାଉଁଶକୁ ଅଢ଼େଇ ଲକ୍ଷ! ବ୍ୟାରିକେଡ ନାଁରେ ବିଲ୍‌ କରି ହରିଲୁଟ

ବଲାଙ୍ଗୀର : କରୋନା ମହାମାରୀ ସମୟରେ ହୋଇଛି ମହାଦୁର୍ନୀତି। ବାଉଁଶ ଦୁଇଚାରି ଖଣ୍ଡ ବାନ୍ଧି ସରକାରୀ ତହବିଲରୁ ଲୁଟ ହୋଇଛି ଲକ୍ଷଲକ୍ଷ ଟଙ୍କା। ବିଲ୍‌ ଭାଉଚର କରି ହରିଲୁଟ ହୋଇଛି। ଆଉ ଏହାର ତଥ୍ୟ ଏବେ ପଦାକୁ ଆସିଛି। ସହରରେ କଣ୍ଟେନମେଣ୍ଟ ଜୋନ୍‌ରେ ବ୍ୟାରିକେଡ ନାଁରେ ହରିଲୁଟ ହୋଇଛି ସରକାରୀ ଟଙ୍କା।

ବଲାଙ୍ଗୀର ସହରରେ ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ପଡ଼ାରେ ପୂର୍ତ୍ତ ବିଭାଗ ବ୍ୟାରିକେଡ କରିଥିଲା। କରୋନା ପଜିଟିଭ ସଂଖ୍ୟା ବଢ଼ିବା ପରେ ଗୋଟିଏ ଗୋଟିଏ ପଡ଼ାର ପ୍ରବେଶ ପଥରେ ବାଉଁଶ ବାନ୍ଧି ବ୍ୟାରିକେଡ କରାଯାଉଥିଲା। ଏକଦା ସହରର ହାତୀଶାଲପଡ଼ାକୁ ମୁମ୍ବାଇର ଧାରାବୀ ବୋଲି କୁହାଯାଉଥିଲା। ସହରରେ ହାତୀଶାଳପଡ଼ାରେ ପ୍ରଥମ କରି ଚିହ୍ନଟ ହୋଇଥିଲେ ରୋଗୀ। ବସ୍ତି ଅଂଚଳ ହୋଇଥିବାରୁ ହୁ ହୁ ହୋଇ ବଢ଼ିଥିଲା ସଂଖ୍ୟା। ପ୍ରଥମ ଦୁଇଦିନ ସ୍ଥାନୀୟ ଯୁବକମାନେ ପଥର ଦେଇ ରାସ୍ତା ଅବରୋଧ କରିଥିଲେ। ପରେ ପରେ ବାଉଁଶ ଚାରି ପାଞ୍ଚ ଖଣ୍ଡରେ ତିଆରି ହୋଇଥିଲା ବ୍ୟାରିକେଡ। ମୋଟ ଦଶବାର ଖଣ୍ଡ ବାଉଁଶ ପ୍ରଶାସନ ପକ୍ଷରୁ ପୂର୍ତ୍ତ ବିଭାଗ ଲଗାଇଥିଲା। ତାର ମୂଲ୍ୟ ଦେଖିଲେ ଯେ କେହି ବି କହିବ ମହାଦୁର୍ନୀତିର ମହାଘୋଟାଲାର କଥା।

ହାତୀଶାଲପଡ଼ାରେ ବାଉଁଶ ଦଶବାରଟିକୁ ୨ଲକ୍ଷ ୪୨ ହଜାର ଟଙ୍କାର ବିଲ୍‌ କରାଯାଇ ଟଙ୍କା ଉଠାଯାଇଛି। ସେହିପରି ସହରର ଅନ୍ୟ ପଡ଼ାଗୁଡ଼ିକରେ ବି ବାଉଁଶ ନାଁରେ ଉଠିଛି ଲକ୍ଷ ଲକ୍ଷ ଟଙ୍କା। ପଦାକୁ ଆସିଥିବା ଏକ ସରକାରୀ ତଥ୍ୟରେ ୭ଟି ସ୍ଥାନରେ ମୋଟ ୪ଲକ୍ଷ ୩୩ ହଜାର ଟଙ୍କାର ବାଉଁଶ ବାବଦକୁ ବିଲ୍‌ କରାଯାଇ ଟଙ୍କା ଉଠିଛି। କରୋନା ମହାମାରୀ ସମୟରେ ବଲାଙ୍ଗୀରରେ ବିଭିନ୍ନ ଜିଲ୍ଲାର ଶ୍ରମିକମାନଙ୍କୁ ଅଣାଯାଇ ସ୍ଥାନାନ୍ତର କରାଯାଉଥିଲା। ତେଣୁ କେବଳ ସାତଟି ସ୍ଥାନ ନୁହଁ, ସହରର ରେଲୱେ ଷ୍ଟେସନ, ଆଇଟିଆଇ କଲେଜ, ଦୈନିକବଜାର ଓ ଅନେକ ଜାଗାରେ ଅସ୍ଥାୟୀ ବ୍ୟାରିକେଡ କରାଯାଇଥିଲା। ଆଉ ସବୁଠି ସମାନ ଢଙ୍ଗରେ ବାଉଁଶ ଦୁଇଚାରି ଖଣ୍ଡ ବାନ୍ଧି ବ୍ୟାରିକେଡ ହେଉଥିଲା। ତେଣୁ ବ୍ୟାରିକେଡର ଗୋଟିଏ ବିଲ୍‌ରେ ବିଚିତ୍ର ତଥ୍ୟ ପଦାକୁ ଆସିବା ପରେ ମହାମାରୀରେ ମହାଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଲାଣି। ବ୍ୟାରିକେଡ ନାଁରେ କରୋନା ସମୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି। ଏ ସଂପର୍କରେ ବିଭାଗୀୟ ଏସଡିଓ, ନିର୍ବାହୀ ଯନ୍ତ୍ରୀ କିଛି କହିବାକୁ ଗଣମାଧ୍ୟମକୁ ମନା କରୁଥିବା ବେଳେ ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି ସେ ସମୟରେ ସେ ନଥିଲେ। କଣ ହୋଇଛି ବୁଝିବେ ବୋଲି କହିଛନ୍ତି। ଜିଲ୍ଲାପାଳ ବିଭାଗୀୟ ଅଧିକାରୀ କହିପାରିବେ ଓ ଭୁଲ ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର