ଇଣ୍ଡିଆନ୍ ଅଏଲ୍‌ର ଏମ୍‌ଇଜି ପ୍ରକଳ୍ପ ପାଇଁ ଗୁଜୁରାଟରୁ ପାରାଦୀପ ଆସିବ ଉପକରଣ

ହାଜରାରେ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର, ୨୦୨୧ ଶେଷ ସୁଦ୍ଧା ଏମ୍‌ଇଜି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର : ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ର ବୃହତ ଏମ୍‌ଇଜି(ମୋନୋ ଏଥିଲିନ ଗ୍ଲାଇକୋଲ) ପ୍ଲାଣ୍ଟ୍‌ ପାଇଁ ଗୁଜୁରାଟର ହାଜରାରୁ ଜାହାଜ ଯୋଗେ ଆସିବ ଗୁରୁତ୍ୱପୂର୍ଣ୍ଣ ଉପକରଣ(କ୍ରିଟିକାଲ୍‌ ଇକ୍ୟୁପମେଣ୍ଟ୍‌)। ଏହି ଉପକରଣ ମଧ୍ୟରେ ରହିଛି ଏଥିଲିନ୍‌ ଅକ୍ସାଇଡ୍ ରିଆକ୍ଟର, ୱାସ୍‌ୱାର୍ ଏବଂ ଡିଥାଇଲେନାଇଜର୍‌। ଆଜି ହାଜରାରେ ଏହି ଉପକରଣ ପଠାଇବାର କାର୍ଯ୍ୟକ୍ରମକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ। ଏହି ସାମଗ୍ରୀ ପାରାଦୀପ ଏମ୍‌ଇଜି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଓଡ଼ିଶା ଓ ପଡ଼ୋଶୀ ରାଜ୍ୟଗୁଡ଼ିକର ଆର୍ଥିକ ବିକାଶରେ ଏହା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦୂରଦୃଷ୍ଟି ହାସଲ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଏହି ପ୍ରକଳ୍ପ ଓଡ଼ିଶାର ଡାଉନ୍‌ଷ୍ଟ୍ରିମ ଶିଳ୍ପର ବିକାଶ ପାଇଁ ସହାୟ ହେବ। ପାରାଦୀପରେ ଇଣ୍ଡିଆନ୍ ଅଏଲ୍‌ର ଆଗାମୀ ଏମ୍‌ଇଜି ପ୍ଲାଣ୍ଟ୍‌ରୁ ସମ୍ପୂର୍ଣ୍ଣ ଉତ୍ପାଦନ ଘରୋଇ ଭାବରେ ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି। ପାରାଦୀପ କାରଖାନା ମଧ୍ୟ ଓଡ଼ିଶାର ଭଦ୍ରକ ଓ ଧାମରା ଠାରେ ପ୍ରସ୍ତାବିତ ଟେକ୍ସଟାଇଲ୍ ପାର୍କ ପାଇଁ ସମ୍ପୂର୍ଣ୍ଣ ଏମ୍‌ଇଜି ଆବଶ୍ୟକତାକୁ ପୂରଣ କରିବ। ଏହା ପୂର୍ବ ଭାରତର ଟେକ୍ସଟାଇଲ ଶିଳ୍ପକୁ ଯଥେଷ୍ଟ ପ୍ରୋତ୍ସାହନ ଦେବ। ଟେକ୍ସଟାଇଲ୍‌ ୟୁନିଟ୍ ବିକଶିତ କରିବା ପାଇଁ ଓଡ଼ିଶାରେ ପ୍ରଚୁର କୁଶଳୀ ବୈଷୟିକ ମାନବସମ୍ବଳ ରହିଛି। କାରଣ ଓଡ଼ିଶାର ପ୍ରାୟ ୫ ଲକ୍ଷ ଲୋକ ଗୁଜୁରାଟର ସୁରଟରେ ଏହି ସମାନ ଶିଳ୍ପକୁ ଚଳାଉଛନ୍ତି। ତେଣୁ ପାରାଦୀପରେ ଏମ୍‌ଇଜି ପ୍ରକଳ୍ପର କାର୍ଯ୍ୟକ୍ଷମ ଏବଂ ପଲିଷ୍ଟର ସୂତା ୟୁନିଟ୍ ସହ ଏହି ପରିଶ୍ରମୀ ମାନବସମ୍ବଳ ଭଦ୍ରକ ଟେକ୍ସଟାଇଲ ପାର୍କର ଡାଉନଷ୍ଟ୍ରିମ ୟୁନିଟ ଏବଂ ଓଡ଼ିଶାର ଧାମରା ଠାରେ ପ୍ରସ୍ତାବିତ ସର୍ବବୃହତ ଟେକ୍ସଟାଇଲ୍ ପାର୍କରେ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ। ସେହିପରି ପାରାଦୀପରୁ ଧାମରାର ପ୍ରସ୍ତାବିତ ଟେକ୍ସଟାଇଲ ପାର୍କକୁ ଏମ୍‌ଇଜି ତଥା କଞ୍ଚାମାଲ ଆସି ଅନୁରୂପ ଭାବେ ଏହି ୟୁନିଟକୁ ପ୍ରୋତ୍ସାହନ ଦେବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଅତିରିକ୍ତ ୨୦ ହଜାର ନିଯୁକ୍ତି ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି ।

ସୂଚନାଯୋଗ୍ୟ, ପଲିଏଥିଲିନ ଟେରେପାଥେଲେଟ୍‌(ପିଇଟି), ପଲିଷ୍ଟର ଷ୍ଟାପଲ ଫାଇବର(ପିଏସଏଫ), ପଲିଷ୍ଟର ଫିଲାମେଣ୍ଟୟାର୍ଣ୍ଣ (ପିଏଫୱାଇ) ଏବଂ ଅନ୍ୟାନ୍ୟ ସମାନ ଉତ୍ପାଦର ଉତ୍ପାଦନ ପାଇଁ ମୋନୋ ଏଥିଲିନ ଗ୍ଲାଇକୋଲ ତଥା ଏମ୍‌ଇଜି କଞ୍ଚାମାଲ ଭାବରେ ବ୍ୟବହୃତ ହୁଏ। ପାରାଦୀପସ୍ଥିତ ଇଣ୍ଡିଆନ ଅଏଲର ଏଥିଲିନ ଗ୍ଲାଇକୋଲ ପ୍ରକଳ୍ପର ବାର୍ଷିକ କ୍ଷମତା ୧୮୦ କିଲୋ ଟନ୍ ଏଥିନିଲ ରିକୋଭରି ୟୁନିଟ୍‌(ଇଆରୟୁ) ଏବଂ ବାର୍ଷିକ କ୍ଷମତା ୩୫୭ ଏଥିନିଲ ଗ୍ଲିକୋଲ ୟୁନିଟ୍‌(ଇଜିୟୁ) ରହିଥିବା ବେଳେ ଏଠାରୁ ବାର୍ଷିକ ୩୩୨ କିଲୋ ଟନ୍ ଏମ୍‌ଇଜି ଉତ୍ପାଦନ କରିବାର ଆକଳନ କରାଯାଉଛି। ୫,୬୫୪ କୋଟି ଟଙ୍କା ପୁଞ୍ଜିନିବେଶରେ ଇଣ୍ଡିଆନ ଅଏଲ୍‌ର ପାରାଦୀପ ରିଫାଇନାରିରେ ଏହି ପ୍ରକଳ୍ପ ଅକ୍ଟୋବର, ୨୦୨୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଏସ୍‌ ଏମ୍‌ ବୈଦ୍ୟ, ଏଲ୍‌ ଆଣ୍ଡ୍‌ ଟିର ସିଇଓ ଏସ୍‌ ଏନ୍‌ ସୁବ୍ରମଣ୍ୟନ, ନିର୍ଦ୍ଦେଶକ ସୁବ୍ରମଣିୟନ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର