୨୦୧୪ରୁ ଦେଶରେ ଅନ୍ଧକାର ଯୁଗର ଆରମ୍ଭ ହୋଇଛି: କଂଗ୍ରେସ

ଭୁବନେଶ୍ବର : ଗତ କିଛିଦିନ ଧରି ପ୍ରଧାନମନ୍ତ୍ରୀ ମୋଦୀ ଓ ଅର୍ଥମନ୍ତ୍ରୀ ସୀତାରମଣ ସଂସଦରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ ଓ କଂଗ୍ରେସ ବିରୋଧରେ ଅତି ଘୃଣ୍ୟ ଓ ନିମ୍ନମାନର କଥା କହି ଚାଲିଛନ୍ତି। ସଂସଦରେ ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତି, ବୈଦଶିକ ନୀତି, କୃଷକଙ୍କ ସମସ୍ୟା, ବେରୋଜଗାର ବିଷୟରେ ଅଭିଭାଷଣ ରଖିବା ବୋଲି ଆଶା କରାଯାଉଥିଲା। ମାତ୍ର ଗତ ୮ବର୍ଷ ଧରି ପ୍ରଧାନମନ୍ତ୍ରୀ ଦେଶର ପୂର୍ବସୂରୀମାନଙ୍କୁ ତିରସ୍କାର କରିବା ସହିତ ଜାତି-ଜାତି ଭିତରେ ବିଭେଦ ସୃଷ୍ଟି କରିବା ସହିତ ଅନ୍ୟ କିଛି କରି ନାହାନ୍ତି। ତେଣୁ ୨୦୧୪ ମସିହାରୁ ଦେଶରେ ଅନ୍ଧକାର ଯୁଗର ଆରମ୍ଭ ହୋଇଥିବା ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ୧୯୪୭ ମସିହାରେ ଦେଶ ଶିକ୍ଷାକ୍ଷେତ୍ରରେ ବହୁ ପଛରେ ଥିଲା। ୧୯୫୦ ମସିହା‌ରେ ପ୍ରଧାନମନ୍ତ୍ରୀ ନେହରୁଙ୍କ ଦିଗଦର୍ଶନରେ ପ୍ରଥମ ଆଇଆଇଟି ଖଡ଼ଗପୁରରେ ସ୍ଥାପନ ହୋଇଥିଲା। ଦେଶରେ ୧୩ଟି ଏମ୍‌ସ କଂଗ୍ରେସ ସରକାର ସମୟରେ ହୋଇଛି। ୧୯୫୬ ମସିହାରେ ୟୁଜିସି ଗଠନ ହେବା ସହିତ ଇସ୍ରୋ, ଆଇସିଏମ୍‌ଆର, ଭାରତୀୟ କୃଷି ଗବେଷଣା କେନ୍ଦ୍ର, ଟିକା ପ୍ରସ୍ତୁତ ପ୍ରୟୋଗଶାଳା, ଏକାଧିକ ଷ୍ଟିଲ ପ୍ଲାଣ୍ଟ ଆଦି ନିର୍ମାଣ ହୋଇଥିଲା। ଗାନ୍ଧୀ ପରିବାର ଉଦ୍ଦେଶ୍ୟରେ ପରିବାରବାଦ କଥା କୁହାଯାଉଛି। ମାତ୍ର ଅନୁରାଗ ଠାକୁର, ପଙ୍କଜା ମୁଣ୍ଡେ, ଜୟନ୍ତ ସିହ୍ନା, ରାଜବୀର ସିଂ, ପଙ୍କଜ ସିଂ, ପରଭେଶ ବର୍ମା, ଦେବେନ୍ଦ୍ର ଫଡନବିସ୍ ମଧ୍ୟ ପରିବାରବାଦ ରାଜନୀତିରୁ ଆସିଛନ୍ତି। ଏହାର ଉତ୍ତର କିଏ ରଖିବ। ସଂସଦରେ ଏଭଳି ମନ୍ତବ୍ୟ ଦେଇ ମୋଦୀ ପ୍ରଧାନମନ୍ତ୍ରୀ ପଦବିରୁ ଗାରିମାକୁ କ୍ଷତି ପହଞ୍ଚାଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଂଜନ ଦାଶ, ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର