ବିଧାୟକ ହଟହଟା!

ଜଗତସିଂହପୁର : ଏରସମା-ବାଲିକୁଦା ବିଧାୟକ ତଥା ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମୁଦୁଲି ନିଜ ନିର୍ବାଚନମଣ୍ଡଳୀରେ ହଟହଟା ହୋଇଛନ୍ତି। ଗତକାଲି ଏରସମା ପଞ୍ଚାୟତ ରୋଗଲ ଗାଁରେ ଏକ ଏକାଦଶାହ କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେବାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେଠାରୁ ଫେରିବା ସମୟରେ ସଁପୁର ପଞ୍ଚାୟତ ହରିପା ଗାଁରେ ଗଣେଶ ପୂଜା ଭସାଣ ଚାଲିଥିଲା। ଏହି ସମୟରେ ଗାଁର ଦୁଇ ପ୍ରମୁଖ ରାଜନୈତିକ ଦଳ କର୍ମୀମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବାରୁ ଗୋଟିଏ ଦଳ ରାସ୍ତା ଅବରୋଧ କରି ରଖିଥିଲେ। ଏହି ସମୟରେ ପ୍ରଶାନ୍ତ ସେହିବାଟ ଦେଇ ଯାଉଥିବା ଦେଖି ଉତ୍ତ୍ୟକ୍ତ ଲୋକେ ଘଟଣାର ସମାଧାନ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ମାତ୍ର ବିଧାୟକ ଏଥିରେ ରାଜି ହୋଇନଥିଲେ। ଅନ୍ୟପଟେ, ଉଭୟ ଗୋଷ୍ଠୀର ଗଣ୍ଡଗୋଳ ବଢ଼ି ଯାଇଥିଲା ଓ ସେମାନେ ପରସ୍ପର ଉପରକୁ କାଦୁଅ ଫିଙ୍ଗିଥିଲେ। ଏହି କାଦୁଅ ବିଧାୟକଙ୍କ ଗାଡ଼ି ଉପରେ ବି ପଡ଼ିଥିଲା। ଗଣ୍ଡଗୋଳ ବଢ଼ୁଥିବାରୁ ପ୍ରଶାନ୍ତ ବାଧ୍ୟହୋଇ ନାଉଳ-ଚଣ୍ଡିକୂଳ ରାସ୍ତାରେ ବାଲିକୁଦାସ୍ଥିତ ନିଜ ଘରକୁ ଫେରିଥିଲେ। ଏହି ଘଟଣା ପରେ ପୁଲିସ ଚାରିଜଣଙ୍କୁ ଥାନାରେ ଅଟକ ରଖିଥିଲା। ଆଜି ସକାଳୁ ବିଧାୟକଙ୍କ ଜରିଆରେ ଉଭୟ ପକ୍ଷ ବୁଝାମଣା କରିବା ଦ୍ଵାରା ଅଟକ ଥିବା ଯୁବକମାନେ ଛାଡ଼ ପାଇଛନ୍ତି।ତେବେ, ଏହି ଘଟଣାକୁ ବିଧାୟକ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ‘ମୋ ଗାଡ଼ି ଉପରେ କାଦୁଅ ପଡ଼ିବା କଥା ସମ୍ପୂର୍ଣ୍ଣ ମିଛ। କିଛି ଖଳ ପ୍ରକୃତିର ଲୋକ ଏମିତି ମିଥ୍ୟା ପ୍ର୍ରଚାର କରୁଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ଆଦୌ ଫଳପ୍ରଦ ହେବ ନାହିଁ।

ସମ୍ବନ୍ଧିତ ଖବର