ଏରସମା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ହାଇକୋର୍ଟରେ ଫାଶୀ ଦଣ୍ଡାଦେଶର ଶୁଣାଣି ୨୭ରେ

କଟକ : ଜଗତସିଂହପୁର ଜିଲ୍ଲା ଏରସମା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଅନୁମୋଦନ ସଂପର୍କିତ ଆବେଦନ ହାଇକୋର୍ଟରେ ଦାୟର ହୋଇଥିବାବେଳେ ସେପ୍ଟେମ୍ବର ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଏସ୍.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଚାଲିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗତ ୧୦ ତାରିଖ ଦିନ ଜଗତସିଂହପୁର ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ଅଭିଯୁକ୍ତ କାଳିଆ ମାନ୍ନା ଓରଫ ଲବକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଏହି ଦଣ୍ଡାଦେଶ ଅନୁମୋଦନ ସଂପର୍କିତ ଆବେଦନ ହାଇକୋର୍ଟରେ ଦାୟର ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ମସିହା ମାର୍ଚ୍ଚ ୨୧ରେ ଏହି ଘଟଣା ଘଟିଥିଲା। ଏରସମା ଥାନା ଅନ୍ତର୍ଗତ ଗଡହରିଶପୁରର ୯ବର୍ଷର ନାବାଳିକା ସ୍କୁଲରୁ ଫେରି ସାଙ୍ଗମାନଙ୍କ ସହିତ ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ କାଳିଆ ନାବାଳିକାକୁ ବଜାର ବୁଲାଇ ନେବ ବୋଲି କହି ସେଠାରୁ ଡାକି ଆଣିଥିଲା। ପୀଡିତାକୁ କାଜୁ ଜଙ୍ଗଲକୁ ନେଇ କାଳିଆ ଦୁଷ୍କର୍ମ କରିଥିଲା। ପୀଡିତା ନାବାଳିକା କାଳିଆର ଷଡଯନ୍ତ୍ର ବିଷୟରେ କିଛି ବି ଅନୁମାନ ଲାଗଇ ପାରି ନ ଥିଲା। ଦୁଷ୍କର୍ମ କରିବା ପରେ କାଳିଆ ନାବାଳିକାକୁ ହତ୍ୟା କରି ଗାଁରୁ ଫେରାର ହୋଇଯାଇଥିଲା। ଏହାପରେ ଝିଅର ମୃତଦେହକୁ ଏରସମା ପୁଲିସ କାଜୁ ଜଙ୍ଗଲରୁ ଉଦ୍ଧାର କରି ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ବାହାରକୁ ପଳାଇ ଯାଉଥିବା ବେଳେ କାଳିଆକୁ ପୁଲିସ ବାଦାମବାଡି ବସ୍ ଷ୍ଟାଣ୍ଡରୁ ଗିରଫ କରିଥିଲା। ମାମଲାର ଶୁଣାଣି ସମୟରେ ଅଦାଲତରେ ୨୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର