ଲଘୁଚାପ ବର୍ଷା : ଅସ୍ତରଙ୍ଗରେ ସର୍ବାଧିକ ୫୩୦ ମିଲିମିଟର ବର୍ଷା, ରାଜ୍ୟର ୫୩ ବ୍ଲକ ପ୍ରଭାବିତ, ୩ ମୃତ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ବା ତୀବ୍ର ଅବପାତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବେଶ କରିଛି । ଏହା ଆଜି ଦିନ ସାଢେ ୨ଟା ସୁଦ୍ଧା ଚାନ୍ଦବାଲିଠାରୁ ୧୦୦ କିଲୋମିଟର ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଓ କେନ୍ଦୁଝରଠାରୁ ୫୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ରହିଥିଲା । ଏହା ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି । ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର-ଛତିଶଗଡ଼, ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ । ତେବେ ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହି ଡିପ୍ରେସନ ପ୍ରଭାବରେ ଗତ କାଲିଠାରୁ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଆଜି ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ସୁଦ୍ଧା ରାଜ୍ୟର ତାଳଚେରଠାରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ହୋଇଥିବାବେଳେ କଟକରେ ୯୪ ମିଲିମିଟର, ବୌଦ୍ଧରେ ୯୦ ମିଲିମିଟର, ଅନୁଗୁଳରେ ୭୪ ମିଲିମିଟର, ସୋନପୁରରେ ୬୮ ମିଲିମିଟର ବର୍ଷା ହୋଇଛି । ଗତ ୨୪ ଘଣ୍ଟାର ବର୍ଷାକୁ ଦେଖିଲେ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ସର୍ବାଧିକ ୫୩୦ ମିଲିମିଟର ବର୍ଷା ହୋଇଛି, କାଟକପୁରରେ ୫୨୫ ମିଲିମିଟର ବର୍ଷା ହୋଇଛି । ଜଗତସିଂହପୁରର ବାଲିକୁଦାରେ ୪୪୦ ମିଲିମିଟର ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ବରରେ ୨୦୯ ମିଲିମିଟର ବର୍ଷା ହୋଇଛି ।

ତେବେ ରାଜ୍ୟର ପ୍ରମୁଖ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ସରକାରୀ ସୂଚନାରୁ ଜଣାପଡ଼ିଛି । ମୁଣ୍ଡୁଳିଠାରେ ଘଣ୍ଟାପ୍ରତି ୬୯,୩୦୦ ଘନଫୁଟ ଜଳ ପ୍ରବାହିତ ହେଉଛି ।
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୫୩ଟି ବ୍ଲକର ୨୭୮୯ଟି ଗ୍ରାମ ପ୍ରଭାବିତ ହୋଇଛି । ଏହା ସହିତ ୧୪ଟି ପୌରସଂସ୍ଥା ପ୍ରଭାବିତ ହୋଇଛି । ଏହି ବର୍ଷା ଯୋଗୁଁ ରାଜ୍ୟରେ ୧୯ ଲକ୍ଷ ୫୩ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୩ ଜଣ ମୃତ୍ୟୁବରଣ କରିଛନ୍ତି ଓ ୨୬୫ଟି ଘର ଭାଙ୍ଗିଯାଇଛି ।

ସମ୍ବନ୍ଧିତ ଖବର