ରାଉରକେଲା: ଭିନ୍ନଭିନ୍ନ କାରଣରୁ ରାଜ୍ୟ ଶିକ୍ଷାବିଭାଗ ବିଭିନ୍ନ ସମୟରେ ବିବାଦରେ ରହିଆସିଛି। ୨୦୨୨ରେ କରୋନା ମହାମାରୀ ସମୟରେ ଶିକ୍ଷାଦାନ ପ୍ରଭାବିତ ହେବାରୁ ପାଠ ଭରଣା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲର୍ଣ୍ଣିଂ ରିକଭରି ପ୍ଲାନ(ଏଲ୍‌ଆର୍‌ପି) ପ୍ରଣୟନ କରାଯାଇଥିଲା। ପ୍ରାୟ ୭୦ କୋଟି ଟଙ୍କା ବିନିଯୋଗରେ ଛପା ଯାଇଥିବା ନୂତନ ପାଠ୍ୟପୁସ୍ତକରେ ‘କୁର୍‌କୁରେ’, ‘ଫ୍ରୁଟି’, ‘ହର୍ଲିକ୍ସ’ ‘ଡାଏରୀ ମିଲ୍କ ଚକୋଲେଟ୍‌’, ‘ପାର୍ଲେ-ଜି ବିସ୍କୁଟ୍‌’, ‘ଟାଟା ଲୁଣ’ ଆଦି ଚିତ୍ର ସ୍ଥାନିତ ହୋଇଥିଲା, ଯଦ୍ବାରା ବିଭାଗ କଡ଼ା ସମାଲୋଚନାର ଶିକାର ହୋଇଥିଲା। ଏପର୍ଯ୍ୟନ୍ତ ଏହି ଗୁରୁତର ତ୍ରୁଟି ଜନମାନସରୁ ଲିଭିନଥିବାବେଳେ ଏବେ ଆଉ ଏକ ସମ୍ବେଦନଶୀଳ ତ୍ରୁଟିର ପୁନରାବୃତ୍ତି ଘଟିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପରିଚାଳିତ ଆଦର୍ଶସ୍କୁଲର ପ୍ରଶ୍ନପତ୍ରରେ ରାମରାଜ୍ୟକୁ ‘କଳ୍ପନାପ୍ରସୂତ’ ବୋଲି ଅଭିହିତ କରାଯିବା ସହ ଅତୀତରେ ରାମରାଜ୍ୟ ନଥିବା କୁହାଯାଇଛି। ଏହି ତ୍ରୁଟି ଶିକ୍ଷାବ୍ୟବସ୍ଥାର ଖାମଖିଆଲି ମନୋଭାବକୁ ପୁନର୍ବାର ପଦାରେ ପକାଇଦେଇଛି।
Advertisment
ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଅର୍ଦ୍ଧବାର୍ଷିକ ପରୀକ୍ଷା ଗତ ୨ ତାରିଖରୁ ଆରମ୍ଭ ହୋଇଥିବାବେଳେ ଏହା ୧୧ ତାରିଖ ଯାଏଁ ଚାଲିବ। ଗତ ୨ ତାରିଖରେ ଷଷ୍ଠଶ୍ରେଣୀର ଛାତ୍ରଛାତ୍ରୀ ଓଡ଼ିଆ ପରୀକ୍ଷା ଦେଇଥିଲେ। ଏଥିରେ ୫ ନମ୍ବର ମୂଲ୍ୟର ଏକ ପ୍ରଶ୍ନ ଉତ୍‌ଥାପିତ ହୋଇଥିଲା; ଯାହାକି ବିବାଦ ସୃଷ୍ଟି କରିଛି। ଏକ ଅନୁଚ୍ଛେଦକୁ ପଢ଼ି ୫ଟି ପ୍ରଶ୍ନର ଉତ୍ତରଦେବାକୁ ନିର୍ଦେଶ ଦିଆଯାଇଛି। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ଅନୁଚ୍ଛେଦ ପଢ଼ିବାକୁ ଦିଆଯାଇଛି; ସେଥିରେ କେବଳ ‘ରାମରାଜ୍ୟ’କୁ କଳ୍ପନା ଭାବେ ଅଭିହିତ କରାଯାଇନି; ବରଂ ସିଧାସଳଖ ଅତୀତରେ ରାମରାଜ୍ୟ ହିଁ ନଥିବା କୁହାଯାଇଛି। ଏମିତିକି ରାମରାଜ୍ୟ ଉପରେ ବିଶ୍ବାସ କରୁଥିବା ଲୋକଙ୍କୁ କଡ଼ା ସମାଲୋଚନା କରାଯାଇଛି। ରାମରାଜ୍ୟ ବିଶ୍ବାସୀ ଜନସାଧାରଣଙ୍କୁ ‘ପଶ୍ଚାତ୍‌ମୁଖୀ ପରାଜିତ ଲୋକ’, ‘ନିରାଶାବାଦୀ’, ‘ଦୁର୍ବଳ ମନୋଭାବାପନ୍ନ’ ଭାବେ ଦର୍ଶାଯାଇଛି। କେବଳ ପରାଜିତ ଲୋକଙ୍କୁ ‘ରାମରାଜ୍ୟ’ ରଙ୍ଗୀନ ଚଷମାରେ ଦେଖାଯାଇଥାଏ ବୋଲି ବିଦ୍ରୂପ କରାଯାଇଛି। ଏଭଳି ତ୍ରୁଟି ଆକସ୍ମିକ ନୁହେଁ, ଏହା କୋମଳମତି ପିଲାଙ୍କ ମାନସିକତାରେ ଐତିହ୍ୟପୂର୍ଣ୍ଣ ଇତିହାସ ସମ୍ବନ୍ଧରେ ଭ୍ରାନ୍ତଧାରଣା ସୃଷ୍ଟି ପାଇଁ ସୁନିୟୋଜିତ ଷଡ଼ଯନ୍ତ୍ର। ଧର୍ମାବଲମ୍ବୀଙ୍କ ଆସ୍ଥା ଓ ବିଶ୍ବାସ ପ୍ରତି କୁଠାରାଘାତ କରିଥିବା ଅଭିଯୋଗ ହେଉଛି।