କରୋନା ଟିକାକରଣ ପ୍ରମାଣପତ୍ରରେ ତ୍ରୁଟି ମାମଲା: କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ

କଟକ : କରୋନା ଟିକାକରଣ ପ୍ରମାଣପତ୍ର ତ୍ରୁଟି ମାମଲାରେ ବ୍ୟକ୍ତିଗତ ହାଜର ହେବାପାଇଁ ହାଇକୋର୍ଟ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପ୍ରମୁଖ ସଚିବଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୫ ତାରିଖରେ ହାଜର ହେବାପାଇଁ କହିଛନ୍ତି। ଏଥିସହିତ, କରୋନା ପ୍ରତିଷେଧକ ଟିକାକରଣ ସଂପର୍କିତ ପ୍ରମାଣପତ୍ରରେ ଅନେକ ସମୟରେ ତ୍ରୁଟି ଯୋଗୁ ଦେଶର ସାଧାରଣ ନାଗରିକ ଭୋଗୁଥିବା ସମସ୍ୟାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ସଚିବଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।

ଏହାଏକ ଗୁରୁତ୍ବପୂର୍ଣ୍ଣ ମାମଲା ହୋଇଥିବାବେଳେ ବାରମ୍ବାର ସ‌ୁଯୋଗପରେ ମଧ୍ୟ କେନ୍ଦ୍ର ସରକାରଙ୍କ ବିଭାଗ ଉପଯୁକ୍ତ ଉତ୍ତର ରଖୁନାହାନ୍ତି। ଫଳରେ, ମାମଲା ଶୁଣାଣି ଘୁଞ୍ଚି ଚାଲିଛି ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ସ୍ଥିତିରେ ଏପ୍ରିଲ ୫ରେ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ଦେଶର ନାଗରିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଏଥିପାଇଁ କ’ଣ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ, ସେ ନେଇ ଅବଗତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବରିଷ୍ଠ ନାଗରିକ ନରେନ୍ଦ୍ର କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଉପନିର୍ଦ୍ଦେଶକଙ୍କ ଜବାବକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉପନିର୍ଦ୍ଦେଶକଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ କରୋନା ପ୍ରତିଷେଧକ ଟିକାକରଣ ସାର୍ଟିଫିକେଟରେ ଟିକାକରଣ ତାରିଖ ବା କେନ୍ଦ୍ର ସଂକ୍ରାନ୍ତରେ ସଂ‌େଶାଧନ ବା କୌଣସି ପ୍ରକାର ସାନି ତଥ୍ୟ ଉଲ୍ଳେଖ (ଅପଡେଟ୍) ପାଇଁ ବ୍ୟବସ୍ଥା ନାହିଁ।

ଟିକାକରଣ ସାର୍ଟିଫିକେଟ ତାରିଖରେ ଉପଯୁକ୍ତ ସଂଶୋଧନ ପ୍ରସଂଗକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏଡ଼ାଇବାକୁ ‌େଚଷ୍ଟା କରୁଛି ବୋଲି ହାଇକୋର୍ଟ କହିଛନ୍ତି। ଟିକା ନେଇଥିବା ପ୍ରତି ବ୍ୟକ୍ତିଙ୍କ ଅଧିକ ଚିକିତ୍ସା ପ୍ରସଂଗ ସହିତ ପ୍ରମାଣପତ୍ର ଜଡ଼ିତ। ଯଦି ଉପଯୁକ୍ତ ସାର୍ଟିଫିକେଟ ପ୍ରଦାନ କରା ନ ଯାଏ ତେବେ ଦେଶର ନାଗରିକଙ୍କ ଗୁରୁତର ସ୍ବାସ୍ଥ୍ୟ ସଂପର୍କିତ କ୍ଷତି ହେବାର ସମ୍ଭାବନା ରହିଛି। କେନ୍ଦ୍ର ସରକାର ଏ ସଂପର୍କିତ ଦାୟିତ୍ବ ନେଉନାହାନ୍ତି। ଭୁଲ ଟିକାକରଣ ପ୍ରମାଣପତ୍ର ପାଇଁ ଦେଶର ନାଗରିକମାନେ ଆକସ୍ମିକ ସ୍ବାସ୍ଥ୍ୟଗତ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ମତ ଶୁଣିବା ଆବଶ୍ୟକ ବୋଲି ହାଇକୋର୍ଟ କହିବା ସହିତ ପରବର୍ତ୍ତୀ ଶୁଣାଣି ସମୟରେ ସଚିବଙ୍କ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାର୍ଚ୍ଚ ୩ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି କରୋନା ଟିକାକରଣ ସାର୍ଟିଫିକେଟରେ ତ୍ରୁଟି ସୁଧାରିବା ପାଇଁ ୱେବ୍‌ସାଇଟ ଖୋଲାଯିବା ଉପରେ ଗୁରୁତ୍ବାରୋପ କରିଥିଲେ। ଟିକାକରଣ ସାର୍ଟିଫିକେଟ ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଦିଷ୍ଟ ୱେବସାଇଟରେ ପ୍ରଭାବିତ ନାଗରିକମାନେ ଆବେଦନ ପାଇଁ ବ୍ୟବସ୍ଥା ପ୍ରସଂଗରେ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ବରର ବାସିନ୍ଦା ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର