ପରିବାର ନିୟୋଜନ ଅସ୍ତ୍ରୋପଚା‌ରରେ ତ୍ରୁଟି ! ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ମହିଳା

୩ସପ୍ତାହ ହେଲା ଏମ୍‌କେସିଜିରେ ଭର୍ତ୍ତି

ଖାଦ୍ୟନଳି କଟି ଯାଇଥିବା ଅଭିଯୋଗ
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ସିଡିଏମ୍‌ଓ

ବ୍ରହ୍ମପୁର/ଘୁ.ଉଦୟଗିରି: ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ଜଣେ ମହିଳା ଏବେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ପରିବାରବର୍ଗ ଅଭି‌ଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ଥିବା ମହିଳାଙ୍କୁ ଏବେ ବ୍ରହ୍ମପୁର ବଡ଼ ମେଡ଼ିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ଡକରିଙ୍ଗିଆ ଗ୍ରାମର ରିଙ୍କୁ ନାୟକଙ୍କ ପତ୍ନୀ ତାରାବତୀ ନାୟକ(୩୦)। ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁଁ ତାଙ୍କର ଖାଦ୍ୟନଳି କଟି ଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ବ୍ରହ୍ମପୁରରେ ପହଞ୍ଚି ସମ୍ପୃକ୍ତ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି।

ଡକରିଙ୍ଗିଆ ଗ୍ରାମର ରିଙ୍କୁ ଜଣେ ଡ୍ରାଇଭର। ତାଙ୍କର ୩ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୧ତାରିଖରେ ତାରାବତୀଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ଘରକୁ ଫେରିଥିଲେ। ଦୁଇଦିନ ପରେ ତାଙ୍କର ପେଟ ଫୁଲିବା ସହ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଏଣୁ ସ୍ବାମୀ ରିଙ୍କୁ ପତ୍ନୀ ତାରାବତୀଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗତ ୫ତାରିଖରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଥମେ ତାଙ୍କୁ ସର୍ଜରି ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ପେଟରେ ପୁଜ ଭର୍ତ୍ତି ରହିଥିବା ଜଣାପଡ଼ିଥିଲା। ଏଠାରେ ପୁଣି ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ପେଟରୁ ପୁଜ ସହିତ ପଚାଖାଦ୍ୟ ବାହାରିଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପେଟରୁ ପଚା ଖାଦ୍ୟ ଓ ପୁଜ ବାହାରିଥିବାରୁ ତାଙ୍କର ଖାଦ୍ୟନଳି କଟି ଯାଇଥିବା ପରିବାରବର୍ଗ ଆଶଙ୍କା କରୁଛନ୍ତି। କିଛି ଦିନ ଆଇସିୟୁରେ ରହିବା ପରେ ତାରାବତୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲା। ଏଣୁ ତାଙ୍କୁ ପୁଣିଥରେ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଥିଲା। ଗତ ୩ଦିନ ତଳେ ସେ ପୁଣି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ସ୍ବାମୀ ରିଙ୍କୁ କହିଛନ୍ତି।

ପ୍ରାୟ ୩ସପ୍ତାହ ହେଲା ହେଲା ତାରାବତୀ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଗତକାଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରାଜ୍ୟଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ଡାକ୍ତର ଏବଂ ଦୁଇଜଣ ଆଶାକର୍ମୀ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ତାରାବତୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଏହି ଟିମ୍‌ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତାଙ୍କର ‌ରିପୋର୍ଟ ପ୍ରଦାନ କରିଛନ୍ତି। ସେପଟେ ଘୁ.ଉଦୟଗିରି ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଦାଖଲ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ ଡା. ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର