ଜଳ ବିଦ୍ୟୁତ୍ ପ୍ରକଳ୍ପ ପରିଚାଳନରେ ତ୍ରୁଟି

ରାୟଗଡ଼ା: ଉତ୍ପାଦନ ଅବିଭକ୍ତ କୋରାପୁଟରୁ। କିନ୍ତୁ ଯୋଗାଣ ହେଉଛି ସାରାଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟକୁ। ଫଳରେ ୪ଟି ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ସତ୍ତ୍ବେ ନିଅଣ୍ଟିଆ ବିଦ୍ୟୁତ୍ ଯୋଗାଣର ଶିକାର ହୋଇ ଅସହ୍ୟ ଗରମ, ଗୁଳିଗୁଳିରେ ଦିନ କାଟିବା ସହ ଅନ୍ଧାରରେ ରାତି ବିତାଉଛନ୍ତି ଦକ୍ଷିଣ ଓଡ଼ିଶାବାସୀ। ସରକାର ଦୈନିକ ଘଣ୍ଟାଏ ବିଦ୍ୟୁତ୍ କାଟ କରିବାକୁ ଘୋଷଣା କରିଥିବା ବେଳେ ଦାୟିତ୍ବ‌ରେ ଥିବା ସଂସ୍ଥା ଅଘୋଷିତ ଭାବେ ୫ରୁ ୬ଘଣ୍ଟା ବିଦ୍ୟୁତ୍ କାଟୁଛନ୍ତି। ଯାହାକୁ ନେଇ ଜନଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ପରିଗଣିତ ହୋଇ ଆସୁଛି ଓଡ଼ିଶା। ଅବିଭକ୍ତ କୋରାପୁଟର କୋରାପୁଟ ଜିଲ୍ଲାରେ ରହିଛି ମାଛକୁଣ୍ଡ ଓ ଅପରକୋଲାବ ଜଳ ବିଦ୍ୟୁତ୍ ପ୍ରକଳ୍ପ। ମାଛକୁଣ୍ଡ ପ୍ରକଳ୍ପ ଦୈନିକ ୧୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରଖିଛି। ପ୍ରକଳ୍ପର ମରାମତି ଓ ପରିଚାଳନା ଦାୟିତ୍ବ ଆନ୍ଧ୍ର ସରକାରଙ୍କ ହାତରେ ନ୍ୟସ୍ତ ଥିବାରୁ ଉତ୍ପାଦିତ ବିଦ୍ୟୁତରୁ ସିଂହଭାଗ ଆନ୍ଧ୍ରକୁ ଯୋଗାଣ ହେଉଛି। ଅଧାଦିନ ଏହି ପ୍ରକଳ୍ପ ଅଚଳ ଅବସ୍ଥାରେ ରହୁଥିବାରୁ ଓଡ଼ିଶା ଠିକ୍ ଭାବେ ବିଦ୍ୟୁତ୍ ପାଇପାରୁନି। ମାଛକୁଣ୍ଡ ପ୍ରକଳ୍ପ ଉପରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାବାସୀ ନିର୍ଭର କରୁଥିବା ବେଳେ ବାରମ୍ବାର ୟୁନିଟ୍ ଅଚଳ ଯୋଗୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଛି। ସେହିପରି ଅପରକୋଲାବ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦୈନିକ ୩୨୦ ମୋଗୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରଖିଛି। ହେଲେ ପରିଚାଳନାଗତ ତ୍ରୁଟି ଯୋଗୁ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ବିଦ୍ୟୁତ୍ ଉତ୍ପାଦନ ସ୍ବାଭାବିକ ହୋଇପାରୁନି। ଡ୍ୟାମ ପୋତିହେବା କାରଣରୁ ଜଳଧାରଣ କ୍ଷମତା କମୁଥିବାରୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଛି।

ମାଛକୁଣ୍ଡରୁ ଆନ୍ଧ୍ରର ସିଂହଭାଗ, ଠିକ୍‌ଭାବେ ବିଦ୍ୟୁତ୍‌ ପାଉନି ଓଡ଼ିଶା
ଅପରକୋଲାବରେ ପରିଚାଳନାଗତ ତ୍ରୁଟି,ଉତ୍ପାଦନ ସ୍ବାଭାବିକ ହେଉନି
ଜଳ ଅଭାବ, ଯାନ୍ତ୍ରିକ ତ୍ରୁଟି ଯୋଗୁ ଇନ୍ଦ୍ରାବତୀରେ ଉତ୍ପାଦନ ବାଧାପ୍ରାପ୍ତ

ନବରଙ୍ଗପୁର ଜିଲ୍ଲାରେ ରହିଛି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ। ଦୈନିକ ୬୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ଯୋଗୁ ଓଡ଼ିଶାର ଅଧା ଜିଲ୍ଲା ଆଲୋକିତ ହେଉଛି। ବିଶେଷକରି ଚାଷ ପାଇଁ ଇନ୍ଦ୍ରାବତୀ ଜଳକୁ ବ୍ୟବହାର କରାଯାଉଥିବାରୁ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁନି। ଯାନ୍ତ୍ରିକ ତ୍ରୁଟି ସାଙ୍ଗକୁ ଡ୍ୟାମ୍‌ରେ ଆବଶ୍ୟକ ପରିମାଣର ଜଳ ରହୁନଥିବାରୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ମାଲକାନଗିରି ଜିଲ୍ଲାରେ ଥିବା ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପର ଦୈନିକ ଉତ୍ପାଦନ କ୍ଷମତା ରହିଛି ୫୧୦ ମେଗାୱାଟ୍। ଓଡ଼ିଶାର ପାଖାପାଖି ୫୦ ପ୍ରତିଶତ ବିଦ୍ୟୁତ୍ ଆବଶ୍ୟକତାକୁ ଅବିଭକ୍ତ କୋରାପୁଟର ଏହି ୪ ଜଳ ବିଦ୍ୟୁତ୍ ପ୍ରକଳ୍ପ ପୂରଣ କରି ଆସୁଥିବାବେଳେ ଦକ୍ଷିଣ ଓଡ଼ିଶାବାସୀ କିନ୍ତୁ ଠିକ୍ ଭାବରେ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି। ୪ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତକୁ ଜୟପୁର ଜୟନଗରରେ ଥିବା ହାଇପାୱାର ଗ୍ରିଡ୍ ଦ୍ବାରା ସାରାଓଡ଼ିଶାକୁ ବଣ୍ଟନ କରାଯାଇଛି। ମାଛକୁଣ୍ଡ ପ୍ରକଳ୍ପରୁ ରାୟଗଡ଼ା ଗ୍ରିଡ୍‌କୁ, ଇନ୍ଦ୍ରାବତୀ ପ୍ରକଳ୍ପରୁ ଥେରୁବାଲି ଗ୍ରିଡ୍‌କୁ ବିଦ୍ୟୁତ୍ ଯୋଗାଣ ହୋଇଛି। ରାୟଗଡ଼ା ଗ୍ରିଡ୍ ଜିଲ୍ଲା ସଦର ମହକୁମା, କିଛି ଗ୍ରାମାଞ୍ଚଳ ସମେତ ରେଲୱେ ଗ୍ରିଡ୍‌ ଓ ଆଖୁସିଂ ଗ୍ରିଡ୍‌କୁ ବିଦ୍ୟୁତ୍ ଯୋଗାଣ କରୁଛି।

ସମ୍ବନ୍ଧିତ ଖବର