ଜଗତସିଂହପୁର/ଏରସମା: ପାରାଦୀପ ଓ ଏରସମାରେ ସମୁଦ୍ର କୂଳ ଲଙ୍ଘିବା ସହ ହଠାତ୍ ଅଶାନ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଶିଆଳି ବେଳାଭୂମିରେ ଥିବା ଭ୍ୟୁଟାଵାର ସମୁଦ୍ର ଲହଡ଼ି ମାଡ଼ରେ ଖାଇ ଖାଇ ଯାଉଛି। ଆଜି ସମୁଦ୍ର ସୀମା ଡେଇଁ ଭ୍ୟୁ ଟାଵାର ନିକଟରେ ପିଟି ହେଉଥିବା ଦେଖିବାକୁ ମିଳିଛି। ମୂଳଦୁଆ ଖାଇ ଖାଇ ଚାଲିଥିବା ବେଳେ ଖୁବଶୀଘ୍ର ଭୁଶୁଡ଼ି ପଡ଼ିବା ଆଶଙ୍କା କରାଯାଉଛି। ବିପଦପୂର୍ଣ୍ଣ ଅବସ୍ଥାରେ ଭ୍ୟୁ ଟାଵାର ରହିଥିବା ବେଳେ ସେଠାକୁ ପର୍ଯ୍ୟଟକମାନଙ୍କୁ ନ ଛାଡ଼ିବା ଲାଗି ପ୍ରଶାସନ ପକ୍ଷରୁ ବାଉଁଶ ବାଡ଼ ବୁଲାଯାଇ ବନ୍ଦ କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ସମୁଦ୍ର ୨୦୦ରୁ ୩୦୦ ମିଟର କୂଳକୁ ମାଡ଼ି ଆସିଲାଣି। ସବୁଦ୍ର ଧିରେ ଧିରେ ଜନବସତି ଅଭିମୁଖେ ବଢ଼ୁଥିବା ଜଣାପଡ଼ିଛି। ଯାହାକୁ ନେଇ ୭ଟି ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଜୁଆର ସମୟରେ ଜନବସତିକୁ ପାଣି ମାଡ଼ି ଆସୁଥିବା ବେଳେ ସମୁଦ୍ର କୂଳ ଲଙ୍ଘୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏପରିକି ଜୁଆରରୁ ରକ୍ଷା ପାଇବା ପାଇଁ ବେଳାଭୂମିରେ ଲାଗିଥିବା ଝାଉଁ ଗଛ ମଧ୍ୟ ପାଣି ମାଡ଼ରେ ଲୋଟି ପଡ଼ିଲାଣି।
ଭୁଶୁଡ଼ିବ ଶିଆଳି ବେଳାଭୂମି ଭ୍ୟୁଟାଵାର
ମୂଳ ଖାଇଗଲାଣି, ବାଉଁଶ ବାଡ଼ ଦେଇ ବନ୍ଦ କରିଛି ପ୍ରଶାସନ
ଦୁଇ ବର୍ଷରେ ମାଡ଼ି ଆସିଲାଣି ୨୦୦ ମିଟର, ଧୋଇଗଲାଣି ବାଲି
ପାରାଦୀପ ନେହରୁ ବଙ୍ଗଳା ମୁହାଣରେ ମାଟି ଅତଡ଼ା ଖସୁଛି
ଆଖି ଆଗରେ ସମୁଦ୍ର କୂଳ ଲଙ୍ଘୁଥିବା ବେଳେ ଏଥିପାଇଁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବା ଅଭିଯୋଗ ହୋଇଛି। ପଥର ବନ୍ଧ ତିଆରି କରାଯାଇ ଜୁଆର ଅଟକାଇବା ପାଇଁ ସେମିତି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଶିଆଳି ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ହଜାର ହଜାର ଲୋକ ଏଠାକୁ ଆସନ୍ତି। ଭ୍ୟୁ ଟାଵାର ଏହାର ଅନ୍ୟତମ ଆକର୍ଷଣ ହୋଇଥିବା ବେଳେ ଏବେ ଏହା ନିଶ୍ଚିହ୍ନ ହେବାକୁ ଯାଉଛି। ଶିଆଳି ବେଳାଭୂମିରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ଉତ୍ସବ ପରିଚାଳନା କମିଟି କୋଷାଧ୍ୟକ୍ଷ ଚନ୍ଦନ ପରିଡ଼ା କହିଛନ୍ତି ଯେ ଗତ ଦୁଇ ତିନି ବର୍ଷ ହେଲା ସମୁଦ୍ର ଜନବସତି ଆଡ଼କୁ ମାଡ଼ି ମାଡ଼ି ଆସୁଛି। ପ୍ରାୟ ୨୦୦ରୁ ୩୦୦ ମିଟର ପର୍ଯ୍ୟନ୍ତ ସମୁଦ୍ର ମାଡ଼ି ଆସିଲାଣି। ନିକଟସ୍ଥ ଶିଆଳି, କଳାବେଦୀ, ସରୋବନ୍ତ, ନୋଳିଆ ସାହି, ରାମତରା, ଆମ୍ବିକି, ଗଡ଼ହରିଶପୁରକୁ ବିପଦ ଦେଖା ଦେଇଛି। ବେଳାଭୂମିରେ ଗତ ୭/୮ ବର୍ଷ ମଧ୍ୟରେ ଲାଗିଥିବା ଝାଉଁ ଗଛ ଜୁଆର ମାଡ଼ରେ ଉପୁଡ଼ି ଗଲାଣି। ପ୍ରତିବର୍ଷ ସମୁଦ୍ର ମାଡ଼ୁ ଥିବାରୁ ଜନବସତି ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ପାରାଦୀପର ନେହରୁ ବଙ୍ଗଳା ମୁହାଣ ନିକଟ ବଣଭୋଜି ହେଉଥିବା ସ୍ଥଳରେ ମଧ୍ୟ ଜୁଆର ମାଡ଼ରେ ମାଟି ଅତଡ଼ା ଖାଉଛି। ଫଳରେ ସେଠାରେ ଥିବା ଝାଉଁ ଗଛ ଉପୁଡ଼ି ପଡ଼ୁଛି। ଏପରିକି ଗୋଟିଏ ସ୍ଥାନରେ ଅସ୍ଥାୟୀ ଭାବେ ବାଲିବସ୍ତା ପକାଯାଇ କାଠଦ୍ବାରା ସୁରକ୍ଷା ପାଚେରୀ କରାଯାଇଥିଲେ ବି ତାହା ଭାଙ୍ଗି ଗଲାଣି। ସରକାର ତୁରନ୍ତ ଏହାର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।