ଖୋର୍ଦ୍ଧା: ପୃଥିବୀର ସର୍ବବୃହତ ଲୁଣା ହ୍ରଦ ଓ ଦେଶର ପ୍ରଥମ ରାମସର ଯୋଜନାରେ ସଂରକ୍ଷିତ ଚିଲିକାକୁ ଏବେ ପର୍ଯ୍ୟଟକଙ୍କ ସୂଅ ଛୁଟୁଛି। ପର୍ଯ୍ୟଟକଙ୍କ ଗହଳି ବଢ଼ିବା ସହ ଚିଲିକାର ବିରଳ ଜୀବଜନ୍ତୁଙ୍କ ଉପରେ ବିପଦ ମଧ୍ୟ ଘନଉଛି। ଯଦିଓ ଚିଲିକାରେ ବିଦେଶୀ ବିରଳ ପକ୍ଷୀଙ୍କ ଶିକାର ଘଟଣା ଭଳି ବିଲୁପ୍ତ ପ୍ରାୟ ଇରାୱାଡି ଡଲଫିନର ଶିକାର ଘଟଣା ଗତ ଦୁଇ ଦଶନ୍ଧୀ ମଧ୍ୟରେ ଦେଖାଯାଇନାହିଁ, କିନ୍ତୁ ଚିଲିକାରେ ବେଧଡ଼କ ମୋଟରଚାଳିତ ଡଙ୍ଗାର ବ୍ୟବହାର ଯୋଗୁଁ ସେମାନଙ୍କ ଉପରେ ବିପଦ ସୃଷ୍ଟି ହୋଇଛି।
ବିଶ୍ବରେ ବର୍ତମାନ ସୁଦ୍ଧା ଚିହ୍ନଟହୋଇଥିବା ୬ଟି ପ୍ରଜାତିର ଡଲଫିନ୍ ମଧ୍ୟରୁ ଇରାୱାଡି ଡଲଫିନ୍ ଚିଲିକା ହ୍ରଦରେ ଦେଖାଯାନ୍ତି। ୨୦୦୩ ମସିହାରେ ଚିଲିକାର ଡଲଫିନ୍ ସଂଖ୍ୟା ସାଂଘାତିକ ଭାବେ ହ୍ରାସ ପାଇଥିଲା। ଏହାପରେ ସ୍ବତନ୍ତ୍ର ଯୋଜନାରେ ଡଲଫିନ୍ର ସୁରକ୍ଷା ଓ ଚିଲିକାର ପ୍ରାକୃତିକ ପରିବେଶର ସୁସ୍ଥତା ଫେରାଇ ଆଣିବାକୁ ଚେଷ୍ଟା କରାଯାଇଥିଲା। ୨୦୦୪ରେ ଚିଲିକାରେ କେବଳ ୭୦ଟି ଡଲଫିନ୍ ଥିବା ବେଳେ ବର୍ତମାନ ସେମାନଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି।
ପ୍ରତିବର୍ଷ ଜାନୁଆରୀ ମାସରେ ଡଲଫିନ୍ଙ୍କ ଗଣନା ହୋଇଥାଏ। ଓଡ଼ିଶାରେ ଡଲଫିନ୍ଙ୍କ ଗଣନା ଚିଲିକା, ରାଜନଗର, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ବର ଆଦି ୬ଟି ସମୁଦ୍ର ଉପକୂଳ ଅଞ୍ଚଳରେ ହୁଏ। ୨୦୨୨ ଗଣନାରେ ଓଡ଼ିଶାରେ ମୋଟ ଡଲଫିନ୍ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଚିଲିକାରେ ଇରାୱାଡ଼ି ଡଲଫିନ୍ଙ୍କ ସଂଖ୍ୟା ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଥିଲା। ୨୦୨୧ରେ ୧୬୨ଟି ଡଲଫିନ୍ ଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୧୫୧କୁ ହ୍ରାସ ପାଇଥିଲା। ଯଦି ଅନ୍ୟ ପ୍ରଜାତିର ଡଲଫିନ୍କୁ ମିଶାଇ ଆକଳନ କରାଯାଏ ତେବେ ୨୦୨୧ରେ ଚିଲିକାରେ ୧୮୮ଟି ଡଲଫିନ୍ ଥିବା ବେଳେ ୨୦୨୨ରେ ୧୬୭କୁ ହ୍ରାସ ପାଇଥିଲା। ତେବେ ୨୦୨୨ ତୁଳନାରେ ୨୦୨୩ରେ ୩ଟି ଡଲଫିନ ବୃଦ୍ଧି ପାଇଛି। ୨୦୨୩ ଗଣନାରେ ଚିଲିକାରେ ୧୫୪ଟି ଡଲଫିନ୍ଙ୍କୁ ଠାବ କରାଯାଇଛି। ଅପରପକ୍ଷରେ, ଯଦି ଡଲଫିନ୍ଙ୍କ ମୃତ୍ୟୁ ସଂଖ୍ୟାକୁ ଅନୁଶୀଳନ କରାଯାଏ ତେବେ ୨୦୧୫ରୁ ଏହା ବୃଦ୍ଧି ପାଇଛି। ୨୦୧୫ରେ ୩ଟି ଡଲଫିନ୍ଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୬ରେ ଗୋଟିଏ, ୨୦୧୭ରେ ଗୋଟିଏ, ୨୦୧୮ରେ ୮ଟି, ୨୦୧୯ରେ ୨ଟି, ୨୦୨୦ରେ ୫ଟି, ୨୦୨୧ରେ ୫ଟି, ୨୦୨୨ରେ ୧୩ଟି ଓ ୨୦୨୩ ଜୁଲାଇ ୧୮ ସୁଦ୍ଧା ୨ଟି ଡଲଫିନଙ୍କ ମୃତ୍ୟୁ ଘଟିଛି।
ଏହି ବିଲୁପ୍ତ ପ୍ରାୟ ଡଲଫିନ୍ ସାତପଡ଼ା ଅଞ୍ଚଳରେ ବହୁଳମାତ୍ରାରେ ଦେଖାଯାଉଥିବା ବେଳେ ବର୍ତମାନ ଅନ୍ୟସ୍ଥାନରେ ମଧ୍ୟ ଦେଖାଯାଉଛନ୍ତି। ଡଲଫିନ୍ ଦେଖାଯାଉଥିବା ଅଞ୍ଚଳରୁ ୨ଶହ ମିଟର ଦୂର ପର୍ଯ୍ୟନ୍ତ କୌଣସି ମୋଟର ଚାଳିତ ବୋଟ ଚଳାଚଳ କରିବାରେ ପ୍ରତିବନ୍ଧକ ରହିଛି। କିନ୍ତୁ ବର୍ତମାନ ପିକ୍ନିକ୍ ଓ ପର୍ଯ୍ୟଟନ ଋତୁରେ ଅନେକ ଏହି ନିୟମକୁ ଖାତିର ନକରି ଡଲଫିନ୍ ଦେଖିବାକୁ ମୋଟରଚାଳିତ ବୋଟ ନେଇଯାଉଛନ୍ତି। ଏହି ବୋଟଗୁଡ଼ିକ ଉପରେ ବନ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ କିମ୍ବା ନିୟମିତ ଭାବେ ପାଟ୍ରୋଲିଂ କରାଯାଉନାହିଁ।
ଏନେଇ ଚିଲିକା ଡିଏଫ୍ଓ ଅମ୍ଳାନ ନାୟକ କହିଛନ୍ତି ଯେ ପର୍ଯ୍ୟଟନ ଋତୁରେ ଡଲଫିନ ଥିବା ଅଞ୍ଚଳରେ ମୋଟରଚାଳିତ ବୋଟର ଅନୁପ୍ରବେଶ ରୋକିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଟ୍ରୋଲିଂ ଡଙ୍ଗାରେ ମୋଗାଫୋନ୍ ସହ ହୁଟର ବ୍ୟବହାର କରାଯାଇଛି। ବର୍ତମାନ ଦୁଇଟି ଟିମ୍ ସକାଳ ୬ଟାରୁ ୧୧ ଟା ଓ ରାତି ୧୧ଟାରୁ ସକାଳ ୬ଟା ଯାଏ କାମ କରୁଛନ୍ତି। ଡଲଫିନ୍ ସାଧାରଣତଃ ସାତପଡ଼ାରୁ ମହିଷା, ବରମପୁରା, ରାଜନ ଆଦି ଅଞ୍ଚଳରେ ଦେଖାଯାନ୍ତି। ଏହା ବ୍ୟତୀତ ରମ୍ଭା, ରାଜହଂସ ଯିବା ରାସ୍ତାରେ ମଧ୍ୟ ଦେଖାଯାନ୍ତି। ଏହି ସ୍ଥାନରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଯେଉଁମାନେ ଅନୁପ୍ରବେଶ କରୁଛନ୍ତି ସେମାନଙ୍କୁ ସତର୍କ କରାଯାଉଛି।