ବଡ଼ସାହି: ଜମିରେ ବାଡ଼ ବସାଇବାକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗ୍ରାମରେ ଘଟିଛି ତୁମୁଳକାଣ୍ଡ। ଜମି ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ବେଳେ ପ୍ରତିବାଦରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ। ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଟାୟାର ଜାଳି ୧୦ ଘଣ୍ଟା ରାସ୍ତାରୋକ କରିଥିଲେ। ଧାରଣାକାରୀଙ୍କୁ ହଟାଇବା ପାଇଁ ସନ୍ଧ୍ୟାରେ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିବା ବେଳେ ଗ୍ରାମବାସୀଙ୍କ ପ୍ରତିଆକ୍ରମଣରେ ଏସ୍ଡିପିଓ, ଏସ୍ଆଇ ଓ ଥାନା ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।
ପ୍ରତିବାଦରେ ୧୦ ଘଣ୍ଟା ରାସ୍ତା ଅବରୋଧ
ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସର ଲାଠିଚାର୍ଜ
ପୁଲିସ ଉପରେ ଗ୍ରାମବାସୀଙ୍କ ପାଲଟା ଆକ୍ରମଣ
ଏସ୍ଡିପିଓ ଗୁରୁତର, ଥାନା ଅଧିକାରୀଙ୍କ ହାତଗୋଡ଼ ଭାଙ୍ଗିଲା
ସୂଚନା ଅନୁଯାୟୀ; ବେଲପାଳ ଗାଁର ପ୍ରବୋଧ ଭୂୟାଁ ସ୍ଥାନୀୟ ବ୍ୟାଙ୍କରେ ଜମି ବନ୍ଧକ ରଖି ଋଣ ନେଇଥିଲେ। ତେବେ ଋଣ ପରିଶୋଧରେ ବାରମ୍ବାର ଖିଲାପ ହେବାରୁ ଉକ୍ତ ଜମିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଲାମ କରି ଦେଇଥିଲେ। ଏହାର ପ୍ରତିବାଦରେ ପ୍ରବୋଧ ଅଦାଲତର ଦ୍ବାରସ୍ଥ ହୋଇଥିଲେ ଓ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ତେଣୁ ଆଜି ସକାଳେ ନିଜ ଜମିରେ ବାଡ଼ ବସାଇବାକୁ ଯାଇଥିଲେ ପ୍ରବୋଧ। ହେଲେ ଜମି ନିଲାମ ନେଇଥିବା ବ୍ୟକ୍ତି ଓ ତାଙ୍କ ଭାଇମାନେ ଏହାର ବିରୋଧ କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବା ସହ ପ୍ରବୋଧଙ୍କୁ ଭୁଜାଲିରେ ହାଣି ଦେଇଥିଲେ ପ୍ରତିପକ୍ଷ। ପରିବାର ଲୋକେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବଡ଼ସାହି ଓ ପରେ ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ଏକାଧିକ ସଙ୍ଗିନ ମାମଲା ଥିବାବେଳେ ସେମାନଙ୍କୁ ପ୍ରଶାସନ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗ୍ରାମବାସୀ ବଡ଼ସାହି-ବେତନଟୀ ରାସ୍ତା ବେଲପାଳ ନିକଟରେ ଧାରଣା ଦେଇଥିଲେ। ପ୍ରାୟ ୧୦ ଘଣ୍ଟା ଧରି ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ବଡ଼ସାହି ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରିଥିଲେ ବି କିଛି ଶୁଣିନଥିଲେ ଗ୍ରାମବାସୀ। ରାସ୍ତାରୋକ ନ ହଟିବାରୁ ଲାଠିଚାର୍ଜ କରିଥିଲା ପୁଲିସ।
ଫଳରେ ଗାଁ’ର ପୁରୁଷମାନେ ରାସ୍ତାରୁ ହଟି ଯାଇଥିଲେ, କିନ୍ତୁ ମହିଳାମାନେ ସଂଘବଦ୍ଧ ହୋଇ ପୁଲିସ ଉପରେ ପାଲଟା ଆକ୍ରମଣ କରିଥିଲେ। ଏଥିରେ ବେତନଟୀ ପୁଲିସ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ବଡ଼ସାହି ଥାନା ଅଧିକାରୀ ଉମାଶଙ୍କର ନାୟକଙ୍କ ହାତ, ଗୋଡ଼ ଭାଙ୍ଗିଯାଇଛି। ମହିଳା ସବ୍ ଇନିସ୍ପେକ୍ଟର ନିବେଦିତା ନାୟକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ବଡ଼ସାହି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଖବର ପାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ବୈଶିଙ୍ଗା ଥାନା ଆଇଆଇସି, ବାରିପଦା ଏସ୍ଡିପିଓ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।