ବରଗଡ଼ : ଗତ ୨୩ ତାରିଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସାଧୀନ ଥିବାବେଳେ ଫେରାର୍‌ ମାରିଥିବା କଏଦୀ ଟୁନୁ ଓରଫ୍‌ ନକୁଳ ମାଝୀକୁ ବରଗଡ଼ ରେ‌ଳ ଷ୍ଟେସନରୁ ଗୁରୁବାର ସକାଳୁ ଗିରଫ କରାଯାଇଛି। ନକୁଳ ଟ୍ରେନ୍‌ରେ ଝାରସୁଗୁଡ଼ାରୁ ବରଗଡ଼ ଆସୁଥିଲା। କୌଣସି ସୂତ୍ରରୁ ଖବର ପାଇ ଜେଲ୍‌ କର୍ମଚାରୀମାନେ ନକୁଳ ଆସିବା କ୍ଷଣି ତାକୁ କାବୁ କରିଥିଲେ। ନକୁଳକୁ ଟାଉନ ଥାନା ଜିମାରେ ଦିଆଯିବା ପରେ ପୁଣି ଜେଲ୍‌ ପଠାଇ ଦିଆଯାଇଛି।

Advertisment

ଧରିଲେ ନିଲମ୍ବିତ କର୍ମଚାରୀ: ନକୁଳ ଫେରାର୍‌ ଘଟଣା ଦିନ ଡିଆଇଜି (କାରାଗାର) ଅମିୟ ପଟ୍ଟନାୟକ ବରଗଡ଼ ଆସି ମାମଲାର ତନାଘନା କରିଥିଲେ। ଏହାପରେ କର୍ତବ୍ୟରେ ଅବହେଳା ଯୋଗୁଁ ୨ଜଣ ୱାର୍ଡର ରମେଶ ହରି ଏବଂ କିରଣ ଯୋଶୀଙ୍କୁ ନିଲମ୍ବନ କରାଯାଇଥିଲା। ଗୁରୁବାର ନକୁଳକୁ ରେଳଷ୍ଟେସନରେ କାବୁ କରିବା ବେଳେ ଉକ୍ତ ୨ଜଣ ନିଲମ୍ବିତ କର୍ମଚାରୀଙ୍କ ସମେତ ପ୍ରସନ୍ନ ବେହେରା ଏବଂ ନୀଳାମ୍ବର ପୂଜାରୀ ସାମିଲ ଥିଲେ। ପରେ ନକୁଳକୁ ବାଇକ୍‌ରେ ବସାଇ ଟାଉନ ଥାନା ଅଣାଯାଇଥିଲା।