କୋଭିଡ୍ ହସ୍ପିଟାଲରୁ ଚମ୍ପଟ ଘଟଣା: ୪୦ ଘଣ୍ଟା ପରେ ସଂକ୍ରମିତଙ୍କୁ ଘରୁ ଉଦ୍ଧାର କଲା ପୁଲିସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଭିଡ୍ ହସ୍ପିଟାଲରୁ ଜଣେ କୋରନା ସଂକ୍ରମିତ ଚମ୍ପଟ ମାରିବା ଘଟଣାରେ ଫେରାର ବ୍ୟକ୍ତି ଜଣକ ୪୦ ଘଣ୍ଟା ପରେ ନିଜ ଘରୁ ଉଦ୍ଧାର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସଂକ୍ରମିତ ବ୍ୟକ୍ତି ଜଣକ ଉମରକୋଟ ବ୍ଲକ୍‌ ବେନରା ପଞ୍ଚାୟତ ନିଜ ଗ୍ରାମରେ ପହଞ୍ଚିଥିଲେ। ସେ ନିଜ ଗାଁରେ ପହଞ୍ଚୁ ପହଞ୍ଚୁ ସେହି ଗାଁର ଜଣେ ବ୍ୟକ୍ତି ନବରଙ୍ଗପୁର ଥାନା ଅଧିକାରୀଙ୍କୁ ଫୋନ କରି ସୂଚନା ଦେଇଥିଲେ। ନବରଙ୍ଗପୁର ଥାନା ଅଧିକାରୀ ସା‌ଙ୍ଗେ ସାଙ୍ଗେ ଉମରକୋଟ ଥାନା ଅଧିକାରୀଙ୍କୁ ଜଣାଇବା ପରେ ଉମରକୋଟ ପୁଲିସ ପହଞ୍ଚି ତାଙ୍କ ଘର ଚାରିପଟେ ଘେରି ଯାଇଥିଲେ। ନବରଙ୍ଗପୁର ଥାନା ଅଧିକାରୀ ଓ ସ୍ବାସ୍ଥ୍ୟ ଟିମ୍ ପହଞ୍ଚିବା ପରେ ପୁଲିସ ପିପିଇ କିଟ୍ ପିନ୍ଧି ତାଙ୍କ ଘର ମଧ୍ୟକୁ ପ୍ରବେଶ କରିଥିଲେ। ରାତି ପ୍ରାୟ ୧ଟା ବେଳକୁ ତାଙ୍କ ଘରୁ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟ ବିଭାଗର ଆମ୍ବୁଲାନ୍‌ସରେ ଆଣି ପୁଣି ନବରଙ୍ଗପୁର କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପରିବାର କଥା ମନେ ପଡ଼ିବାରୁ ସେ କୋଭିଡ୍ ହସପିଟାଲ ଛାଡ଼ି ଫେରାର ହୋଇ ଯାଇଥିଲେ। ଗତ ୫ତାରିଖ ଦିନ ସଂକ୍ରମିତ ବ୍ୟକ୍ତି କୋଭିଡ୍ ହସପିଟାଲରୁ ଫେରାର ହେବା ପରେ ନବରଙ୍ଗପୁରରୁ ଉମରକୋଟ ପର୍ଯ୍ୟନ୍ତ ସମସ୍ତ ରାସ୍ତା ସିଲ୍ କରାଯାଇଥିଲା। ୫ ତାରିଖ ସଂଧ୍ୟା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଡଙ୍ଗରୀଗୁଡ଼ା ନିକଟରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ପାଇଥିବା ବେଳେ ପୁଲିସ ପିପିଇ କିଟ୍ ପିନ୍ଧି ନ ଥିବାରୁ ତାଙ୍କୁ କାବୁ କରିପାରି ନ ଥିଲା। ଫଳରେ ସେ ଜଙ୍ଗଲ ମଧ୍ୟକୁ ଚାଲିଯିବାରେ ସଫଳ ହୋଇଥିଲେ। ରାତିରେ ଜଙ୍ଗଲ ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କୁ ଠାବ କରିବା ସହଜ ନଥିଲା। ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ନେତୃତ୍ବରେ ନବରଙ୍ଗପୁର ଥାନାର ୨ଟି ଟିମ୍, ଡାବୁଗାଁ ଥାନାର ଗୋଟିଏ ଟିମ୍ ଓ ଉମରକୋଟ ଥାନାର ଗୋଟିଏ ଟିମ୍ ସନ୍ଧାନ ଜାରି ରଖିବା ସହ ତାଙ୍କ ଗାଁକୁ ଯାଇଥିବା ସମସ୍ତ ରାସ୍ତା ସିଲ୍ କରିଥିଲେ। ତଥାପି ସଂକ୍ରମିତ ତାଙ୍କ ଘରେ ପହଞ୍ଚିବାରେ ସଫଳ ହୋଇଥିଲେ।

ଘଟଣା ପରେ ଗତକାଲି ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର , ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲର ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ଅଧିକାରୀ ରମାକାନ୍ତ ନାୟକ ସ୍ଥାନୀୟ କୋଭିଡ୍ ହସପିଟାଲ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଆସିଥିଲେ। ସଂକ୍ରମିତ ବ୍ୟକ୍ତି ଜଣକ ଉଦ୍ଧାର ହେବା ପରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଆଶ୍ବସ୍ତ ହୋଇଛନ୍ତି। ହେଲେ ଏବେ ସବୁଠୁ ବଡ଼ ପ୍ରଶ୍ନ ‌ହେଉଛି ଯେ ସେ ନିଜ ଘରକୁ ଯିବା ସମୟରେ ୨ ଦିନ ମଧ୍ୟରେ କାହା କାହା ସଂସ୍ପର୍ଶରେ ଆସିଛନ୍ତି। ଘରେ ତାଙ୍କ ସ୍ତ୍ରୀ ଓ ୩ ପୁଅ ଓ ଝିଅ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ। କୋଭିଡ୍ ହସପିଟାଲ ଅଧୀକ୍ଷକ ଡା. ସନ୍ତୋଷ କୁମାର ନାଗ ସଂକ୍ରମିତ ବ୍ୟକ୍ତି ଜଣକ ଫେରାର ହେବା ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ନବରଙ୍ଗପୁର ଥାନାରେ ସମ୍ପୃକ୍ତ ସଂକ୍ରମିତଙ୍କ ବିରୋଧରେ କେସ ନଂ ୧୫୮/୨୦ରେ ଏକ ମାମଲା‌ ରୁଜୁ ହୋଇଛି। ସେପଟେ ସଂକ୍ରମିତ ଫେରାର ଘଟଣାରେ ନବରଙ୍ଗପୁର କୋଭିଡ୍‌ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି।

ସମ୍ବନ୍ଧିତ ଖବର