ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ୍ଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡ଼ା ନିକଟସ୍ଥ ସାବେରୀ ନଦୀ କୂଳରେ ପୁଲିସ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ନକ୍ସଲମାନେ ଯବାନଙ୍କ ଗୁଳିର ସାମନା କରି ନପାରି ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ରାସ୍ତା ଦେଇ ପୁଣି ଛତିଶଗଡ଼ରେ ଆତ୍ମଗୋପନ କରିଥିଲେ। ଏହି ଖବର ପାଇବା ପରେ ଛତିଶଗଡ଼ ପୁଲିସ ଆଲର୍ଟ ହୋଇଯାଇଥିଲା। ସେଠାରେ ମଧ୍ୟ ତାଙ୍କୁ ମୃତ୍ୟୁ ଅପେକ୍ଷା କରିଥିବା ସେମାନେ ଜାଣିପାରି ନଥିଲେ। ଛତିଶଗଡ଼ ପୁଲିସ ଗୁଳିରେ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରିଛି।
ଓଡ଼ିଶା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଭେଜ୍ଜି ଥାନା ଅଞ୍ଚଳରେ କ୍ୟାମ୍ପ କରି ଲୁଚି ରହିଥିଲେ ନକ୍ସଲ। ଖବର ପାଇ ଛତିଶଗଡ଼ ପୁଲିସ ଡିଆର୍ଜି, ଏସ୍ଟିଏଫ୍ ଯବାନ ନକ୍ସଲ କ୍ୟାମ୍ପ ଉପରେ ଚଢ଼ଉ କରିଥିଲେ। ଆଜି ସକାଳ ୧୦ଟା ବେଳେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ତିନି ଘଣ୍ଟା ଗୁଳି ବିନିମୟ ପରେ ଦିନ ଗୋଟାଏ ବେଳକୁ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ। ଘଟଣାସ୍ଥଳରୁ ୧୦ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏଥିସହ ଏକେ-୪୭, ଏସ୍ଏଲ୍ଆର୍ ଭଳି ଅତ୍ୟାଧୁନିକ ବନ୍ଧୁକ ସହ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ କରିଥିଲେ। ୧୦ ଜଣ ନକ୍ସଲଙ୍କ ମଧ୍ୟରେ କ୍ୟାଡର ନକ୍ସଲ ରହିଥିବା ଜଣାପଡ଼ିଛି।
ଏପରିକି ମୃତ ନକ୍ସଲମାନଙ୍କ ନାଁରେ ୨ ଲକ୍ଷରୁ ଆରମ୍ଭ କରି ୮ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ରହିଥିଲା। ମୃତ ୧୦ ନକ୍ସଲଙ୍କ ମଧ୍ୟରେ ୬ ଜଣଙ୍କ ପରିଚୟ ମିଳିଛି। ସମସ୍ତେ ଛତିଶଗଡ଼ ରାଜ୍ୟର ହୋଇଥିବା ବେଳେ ସେମାନଙ୍କ ନାଁରେ ୨୧ ଲକ୍ଷ ପୁରସ୍କାର ରହିଛି। ସେମାନ ହେଲେ ଦକ୍ଷିଣ ବସ୍ତର ଡିଭିଜନର ଇନଚାର୍ଜ ତଥା ମଡ଼କମ ଓରଫ ଦୁଧି ମାସା (୪୨), ୪ନମ୍ବର ପ୍ଲାଟୁନ୍ ସଦସ୍ୟା ତଥା ଦୁଧି ମାସାଙ୍କ ପତ୍ନୀ ଦୁଧି ହୁଙ୍ଗି (୩୫), ମଡ଼କମ ଜିତୁ, ମଡ଼କମ କୋସି ଓ କୋବାସି କେସା ଏବଂ ଏସିଏମ୍ ଲଖମା ମାଣ୍ଡବି (୨୫)। ମଡ଼କମ ମାସା ନାଁରେ ୮ ଲକ୍ଷ ପୁରସ୍କାର ରାଶି ରହିଥିବା ବେଳେ ଲଖମା ମାଣ୍ଡବି ନାଁରେ ୫ ଲକ୍ଷ ଏବଂ ପ୍ଲାଟୁନ୍ ସଦସ୍ୟ ଦୁଧି ହୁଙ୍ଗି, ମଡ଼କମ ଜିତୁ, ମଡ଼କମ କୋସି ଓ କୋବାସି କେସା ନାଁରେ ୨ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିବା ସୂଚନା ମିଳିଛି। ତେବେ ଏହି ଘଟଣା ପରେ ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଆହୁରି ଜୋର୍ଦାର କରାଯାଇଛି।
ପ୍ରକାଶ ଥାଉକି, ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ମୁକ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଘୋଷଣା କରିଥିଲେ। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଓଡ଼ିଶାରେ ମଧ୍ୟ ପୁଲିସ ସୀମା ସିଲ୍ କରିବା ସହ ନକ୍ସଲ ଗତିବିଧି ଉପରେ ନଜର ରଖିଛି। ଯାହାର ଫଳସ୍ବରୂପ ଜିନେଲଗୁଡ଼ାରେ ନକ୍ସଲ ପଶିବା ମାତ୍ରେ ଯବାନ ଚଢ଼ଉ କରିଥିଲେ। ତେବେ ପୁଲିସ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ବାନ କହିଛି। ଅପରପକ୍ଷେ ଏତେ ବଡ଼ ସଫଳତା ପରେ ଯବାନମାନେ ବିଜୟ ଉତ୍ସବ ପାଳନ କରିଛନ୍ତି। ଯବାନମାନେ ୧୦ ଜଣ ନକ୍ସଲଙ୍କ ମୃତଦେହ ସହ ଅତ୍ୟାଧୁନିକ ବନ୍ଧୁକ ଏବଂ ମାଓ ସାମଗ୍ରୀ ଜବତ କରି ଭେଜ୍ଜି ଥାନାରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ବସ୍ତର ଆଇଜି ପି.ସୁନ୍ଦରରାଜ ସମେତ ଅନ୍ୟ ଉଚ୍ଚ ପଦାଧିକାରୀ ସମସ୍ତ ଯବାନମାନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ ଆଦିବାସୀ ଗଣ୍ଡି ଭାଷାରେ ଗୀତର ତାଳେ ତାଳେ ଯବାନମାନେ ନାଚିଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ଯବାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/30/lTncPqmyqVCKMijFGJkZ.jpg)