ଫେରାର କଏଦୀକୁ ମାଡ଼ିବସିଲା ସୋର ପୁଲିସ

ବଗିଚାରେ ଲୁଚିଥିଲା, ଧରିବା ବେଳେ ଗ୍ରାମବାସୀଙ୍କ ଢେଲାପଥର ମାଡ଼

ସୋର: ଗତ ୧ ତାରିଖରେ ସୋର ସବଜେଲରୁ ଜଣେ କଏଦୀ ଜେଲ୍‌ କର୍ମଚାରୀମାନଙ୍କୁ ଚକମା ଦେଖାଇ ଚମ୍ପଟ ମାରିଥିଲା। ଗତକାଲି ରାତିରେ ତାକୁ ପୁଲିସ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ଏକ ଦୁଷ୍କର୍ମ ମାମଲାରେ ମୟୂରଭଞ୍ଜ ଜିଲ୍ଳା ଶରତ ଥାନା ସରଡ଼ିହା ଗ୍ରାମର ଜଳିଆ ସିଂଙ୍କ ପୁଅ ଘନ ସିଂ ବିଚାରାଧୀନ କଏଦୀ ଭାବେ ଥିବା ବେଳେ ଗତ ୧ ତାରିଖରେ ଜେଲ ଗେଟ୍‌ ଖୋଲା ଥିବା ଦେଖି ଦୌଡ଼ି ଫେରାର ହୋଇ ଯାଇଥିଲା। ଘନକୁ ଜେଲର ପ୍ରିୟମ୍ବଦା ପଣ୍ଡାଙ୍କ ସହ କର୍ମଚାରୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନୟାନ୍ତ ହୋଇଥିଲେ ମଧ୍ୟ ତାର ପତ୍ତା ମିଳିନଥିଲା। ଏ ସଂକ୍ରାନ୍ତରେ ଜେଲର ପ୍ରିୟମ୍ବଦା ପଣ୍ଡା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନଂ ୩୮୭/୨୨ରେ ଏକ ମାମଲା ରୁଜୁ କରି ଘନକୁ ଧରିବା ପାଇଁ ତନାଘନା ଚଳାଇଥିଲା। ଗତକାଲି ରାତିରେ ଘନ ଘରେ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ସୋର ପୁଲିସ, ଜେଲ କର୍ମଚାରୀ ଓ ଶରତ ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ହେଲେ ଅଭିଯୁକ୍ତ ସେଠାରେ ନଥିଲା। ପରେ ଗ୍ରାମର ଏକ ଲେମ୍ବୁ ବଗିଚାରୁ ତାକୁ ଗିରଫ କରାଯାଇଥିଲା।

ଏହି ସମୟରେ ଗ୍ରାମବାସୀ ପୁଲିସକୁ ଢେଲାପଥର ଫିଙ୍ଗିବା ସହିତ ବିରୋଧ କରିଥିଲେ। କୌଶଳକ୍ରମେ ପୁଲିସ ସେଠାରୁ ଘନକୁ ନେଇ ସୋର ଆସିଥିବା ବେଳେ ଆଜି ଅପରାହ୍ନରେ ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, କଏଦୀ ଫେରାର୍ ଘଟଣାରେ ଜେଲର ପ୍ରିୟମ୍ବଦା ପଣ୍ଡାଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ସ୍ଥାନରେ ନୂଆ ଜେଲର ଭାବେ ବୈଲୋଚନ ଦାଶ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର