ଭୁବନେଶ୍ବର : ଇଣ୍ଡୋକ୍ରାଇନ୍ ସୋସାଇଟି ଅଫ ଇଣ୍ଡିଆର ବାର୍ଷିକ ସମ୍ମିଳନୀ ‘ଇସିକନ୍ ୨୦୧୮’ ଆସନ୍ତା ୧୫ତାରିଖରେ ଅନୁଷ୍ଠିତ ହେବ। ୪ଦିନ ବ୍ୟାପୀ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ତଥା ଦେଶ ବାହାରରୁ ବହୁ ଡାକ୍ତର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ପ୍ରଥମଥର ଲାଗି ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଚଳିତବର୍ଷ କ୍ରୀଡ଼ା ଏଣ୍ଡୋକ୍ରାଇନୋଲୋଜି ଉପରେ ସମ୍ମିଳନୀରେ ବିଶେଷ ଗୁରୁତ୍ବ ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଆଇଏମ୍ଏ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଙ୍ଗଠନିକ ସଂପାଦକ ଡା.ଅଭୟ ସାହୁ କହିଲେ, ସମ୍ମିଳନୀରେ ୨ହଜାରରୁ ଅଧିକ ଡାକ୍ତର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଭିନ୍ନ ଦେଶର ୮୦ଜଣ ପ୍ରତିନିଧି ରହିଛନ୍ତି। ସେହିପରି ୩ଶହ ଜାତୀୟ ଓ ୨୨ ଅନ୍ତର୍ଜାତୀୟ ଫାକଲ୍ଟି ଯୋଗ ଦେବେ। ସମ୍ମିଳନୀରେ ଏଣ୍ଡୋକ୍ରାଇନ୍ ଚିକିତ୍ସା କ୍ଷେତ୍ରରେ ନୂତନଭାବେ ଆରମ୍ଭ ହୋଇଥିବା ପଦ୍ଧତି ସଂପର୍କରେ ଡାକ୍ତରମାନେ ଜାଣିବାକୁ ପାଇବେ। ୧୭୫ଘଣ୍ଟା ବିଜ୍ଞାନ ସମ୍ବନ୍ଧୀୟ ଆଲୋଚନା ହେବ। ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ଉଦ୍ଘାଟନ ଉତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ରହିବ ବୋଲି ଡା.ସାହୁ ସୂଚନା ଦେଇଛନ୍ତି।
ଡା.ସମ୍ବିତ ଦାସ କହିଲେ, ଚଳିତ ସମ୍ମିଳୀନରେ କ୍ରୀଡ଼ା ଏଣ୍ଡୋକ୍ରାଇନୋଲୋଜି ଉପରେ ଗୁରୁତ୍ବ ଦିଆଯାଇଛି। ହରମୋନ୍ର ବ୍ୟବହାର ଓ ଅପବ୍ୟବହାର ଉପରେ ସଚେତନ କରାଯିବ। ସମ୍ମିଳନୀରେ ଏଣ୍ଡୋକ୍ରାଇନୋଲୋଜି ପ୍ରିମିୟର ଲିଗ୍ ଅନୁଷ୍ଠିତ ହେବ। ଏଥିରେ ଦେଶର ୪ଟି ଜୋନ୍ରୁ ୪ଜଣ ଲେଖାଏଁ ଡାକ୍ତର ବିଭିନ୍ନ ବିଷୟ ଉପରେ ପ୍ରତିଯୋଗିତା ହେବ। ଏହାସହ ୧୮ତାରିଖରେ ଏକ ୱାକାଥନ୍ ଅନୁଷ୍ଠିତ ହେବ। ଏହା ମେ ଫେୟାର ଛକରୁ ବାହାରି କଳିଙ୍ଗ ଷ୍ଟାଡିୟମ୍ ଦେଇ ମେ ଫେୟାର ଛକରେ ପହଞ୍ଚିବ। ଏଥିରେ କ୍ରିକେଟର ଅନୀଲ କୁମ୍ବଲେ, ପୂର୍ବତନ ହକି କ୍ରୀଡ଼ାବିତ୍ ଦିଲ୍ଲୀପ ତିର୍କି, ଦୌଡ଼ରାଣୀ ଦୂତୀ ଚାନ୍ଦ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀରେ ଭୁବନେଶ୍ବର ଡିକ୍ଲାରେସନ୍ ପ୍ରକାଶିତ ହେବ। ସମ୍ମିଳନୀରେ ବାହାରିଥିବା ନିଷ୍କର୍ସକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଡା.ଦାସ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/aks_f.jpg)