ରାଉର‌କେଲା : ଆବଶ୍ୟକ ଭିତ୍ତିଭୂମି, ଡାକ୍ତର, କର୍ମଚାରୀ ସହ ଔଷଧ ଅଭାବରୁ ଇଏସ୍‌ଆଇସି ଡିସ୍‌ପେନ୍‌ସନାରୀଗୁଡ଼ିକ ଦୟନୀୟ ସ୍ଥିତିରେ ଚାଲିଛି। ଜିଲ୍ଲାରେ ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ସମସ୍ତ ଡିସ୍‌ପେନ୍‌ସାରୀର ସେହି ସମାନ ସ୍ଥିତି। କେଉଁଠି ଭଡ଼ାଘରେ ଚାଲିଛି ତ ଅନ୍ୟ କେଉଁ ଡିସ୍‌ସେନ୍‌ସାରୀ ଛାତରୁ ସ୍ଲାବ୍ ଗଳୁଛି। ପୁଣି କେଉଁଠି ଡାକ୍ତର, ଫାର୍ମାସିଷ୍ଟ ଓ କର୍ମଚାରୀ ନାହାନ୍ତି। ବର୍ଷବର୍ଷ ଏଭଳି ସ୍ଥିତି ଦୟନୀୟ ସ୍ଥିତିରେ ଚାଲୁଥିବା ଡିସ୍‌ପେନ୍‌ସାରୀ ବୀମାଭୁକ୍ତ ଶ୍ରମିକ ଓ ତାଙ୍କ ପରିବାରକୁ ଚିକିତ୍ସା ଦେବାରେ ଫେଲ୍‌ ମାରିଛି।

Advertisment

ବୀମାଭୁକ୍ତ ଶ୍ରମିକଙ୍କ ଦରମାରୁ ଇଏସ୍‌ଆଇ ବାବଦ ଅର୍ଥ କଟାଯାଉଛି। କିନ୍ତୁ ଉପଯୁକ୍ତ ଚିକିତ୍ସା କିମ୍ବା ଆବଶ୍ୟକ ଔଷଧ ମିଳୁନି। କେଉଁ କିଛି ଡିସ୍‌ପେନ୍‌ସାରୀରେ ଡାକ୍ତର ଥିଲେ ମଧ୍ୟ ଅଧିକାଂଶ ସମୟରେ ଆସୁନାହାନ୍ତି। ଅନ୍ୟ କେଉଁ ଡିସ୍‌ପେନ୍‌ସାରୀ ବର୍ଷ ବର୍ଷ ଭଡା ଘରେ ଚାଲିଛି। ଖଣିଖାଦାନ ଓ କଳ କାରଖାନା ଭରା ସୁନ୍ଦରଗଡ ଜିଲ୍ଲାରେ ଶ୍ରମିକଙ୍କ ସ୍ବାସ୍ଥ୍ୟସେବାର ଏମିତି ବିକଳ ଚିତ୍ରକୁ ନେଇ ଶ୍ରମିକ ସଙ୍ଗଠନଗୁଡ଼ିକ ଅନେକବାର ସ୍ବର ଉଠାଇଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏମାନଙ୍କ ଦୁଃଖ ଶୁଣିବାକୁ କାହାରି ପାଖରେ ଯେମିତି ସମୟ ନାହିଁ! ଶ୍ରମିକ ସଙ୍ଗଠନଗୁଡ଼ିକର ନେତା ପ୍ରତିବାଦର ସ୍ବର ଯେମିତି ହେବା କଥା, ସେମିତି ହେଉ ନଥିବାରୁ ବିଭାଗୀୟ ଅଧିକାରୀଙ୍କ ଉପରେ ଏହାର କୌଣସି ପଡୁନାହିଁ। ଫଳସ୍ବରୂପ ବର୍ଷ ବର୍ଷ ଧରି ଜିଲ୍ଲାର ପ୍ରାୟ ୫ ଲକ୍ଷ ୬୦ ହଜାରରୁ ଅଧିକ ଶ୍ରମିକ ଓ ସେମାନଙ୍କ ପରିବାରଙ୍କୁ ସ୍ବାସ୍ଥ୍ୟ ସେବା ନାଁରେ ଇଏସ୍‌ଆଇ ଡିସ୍‌ପେନ୍‌ସାରୀଗୁଡ଼ିକ କେବଳ ଭଣ୍ଡାଇ ଚାଲିଛନ୍ତି। ସ୍ବାସ୍ଥ୍ୟସେବାର ଏଭଳି ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଆଗାମୀରେ ପ୍ରତ୍ୟେକ ଡିସ୍‌ପେନ୍‌ସାରୀ ଆଗରେ ପ୍ରତିବାଦ କରିବାକୁ ଶ୍ରମିକ ସଙ୍ଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ କଳକାରଖାନା ଓ ଖଣିଖାଦାନରେ ମୋଟ୍‌ ୧ ଲକ୍ଷ ୪୦ ହଜାର ବୀମାଭୁକ୍ତ ଶ୍ରମିକ ଅଛନ୍ତି। ଅର୍ଥାତ୍‌ ମୋଟ୍‌ ପ୍ରାୟ ୫ ଲକ୍ଷ ୬୦ ହଜାର ଶ୍ରମିକ ପରିବାର ସଦସ୍ୟ ସୁନ୍ଦରଗଡ ଜିଲ୍ଲାର ୮ଟି ଡିସ୍‌ପେନ୍‌ସାରୀ ଉପରେ ନିର୍ଭରଶୀଳ। ପ୍ରତ୍ୟେକ ଡିସ୍‌ପେନ୍‌ସାରୀରେ ଦୁଇଜଣ ଡାକ୍ତର, ଜଣେ ନର୍ସ, ଜଣେ କମ୍ପାଉଣ୍ଡର, ଜଣେ ଡ୍ରେସର୍‌ଙ୍କ ସହ ଔଷଧ ବଣ୍ଟନ ପାଇଁ ଜଣେ ଫାର୍ମାସିଷ୍ଟ ରହିବାର ନିୟମ ରହିଛି। ବିଡମ୍ବନା, ଡିସ୍‌ପେନ୍‌ସାରୀଗୁଡ଼ିକର ଚିତ୍ର କିନ୍ତୁ ଭିନ୍ନ। ସୁନ୍ଦରଗଡ ଡିସ୍‌ପେନ୍‌ସାରୀ ଜଣେ ମାତ୍ର ଡାକ୍ତର ଓ କେଇଜଣ କର୍ମଚାରୀରେ ଚାଲିଛି। ସମାନ ସ୍ଥିତି ରାଜଗାଙ୍ଗପୁର ଡିସ୍‌ପେନ୍‌ସାରୀରେ। ସେଠାରେ ଡିସ୍‌ପେନ୍‌ସାରୀ ସହ ଇଏସ୍‌ଆଇ ଡାକ୍ତରଖାନା ମଧ୍ୟ ରହିଛି। ପୂର୍ବରୁ ଥିଲେ ୫ ଜଣ ଡାକ୍ତର ଓ ଅନ୍ୟ କର୍ମଚାରୀ। ଏବେ ସେତିକି କର୍ମଚାରୀ ଓ ଡାକ୍ତର ନାହାନ୍ତି। କାଂଶବାହାଲ ଡିସ୍‌ପେନ୍‌ସାରୀରେ ଅନୁରୂପ ସମସ୍ୟା। ଜିଲ୍ଲାର ସର୍ବାଧିକ ୨୦ ହଜାର ବୀମାଭୁକ୍ତ ଶ୍ରମିକ ଅର୍ଥାତ୍‌ ପ୍ରାୟ ୮୦ ହଜାର ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟ ନିର୍ଭର କରନ୍ତି ରାଉରକେଲା ଓ ବିର୍ସାମୁଣ୍ଡା ଡିସ୍‌ପେନ୍‌ସାରୀ ଉପରେ। କିନ୍ତୁ ରାଉରକେଲା ଡିସ୍‌ପେନ୍‌ସାରୀରେ ଜଣେ ସ୍ଥାୟୀ ଓ ଅନ୍ୟ ଜଣେ ଠିକା ଡାକ୍ତର ଥିଲାବେଳେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଶିଳ୍ପାଞ୍ଚଳରେ ଅବସ୍ଥିତ କୁଆରମୁଣ୍ଡା ଓ କଲୁଙ୍ଗା ଡିସ୍‌ପେନ୍‌ସାରୀରେ ଜଣେ ଲେଖାଏଁ ଡାକ୍ତର ଅଛନ୍ତି। କିନ୍ତୁ ସେମାନେ ସପ୍ତାହରେ ଥରେ କିମ୍ବା ଦୁଇଥର ଆସୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଅନେକ ଥର ଶ୍ରମିକ ଓ ଶ୍ରମିକ ସଙ୍ଗଠନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ।

ସାରନଗରୀରେ ବାଲି‌ଯୋଡିରେ ଭଡାରେ ଚାଲିଥିବା ଡିସ୍‌ପେନ୍‌ସାରୀର ସ୍ଥିତି ଆହୁରି ଖରାପ। ଏଠାରେ ଅର୍ଦ୍ଧାଧିକ ଦିନ ଡିସ୍‌ପେନ୍‌ସାରୀ ବନ୍ଦ ରହୁଥିବା ସ୍ଥାନୀୟ ଅଞ୍ଚଳ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ବଣାଇଗଡରେ ପ୍ରାୟ ୫ ହଜାର ବୀମାଭୁକ୍ତ ଶ୍ରମିକ ଅର୍ଥାତ୍‌ ପାଖାପାଖି ୨୦ ହଜାର ଶ୍ରମିକ ଓ ତାଙ୍କ ପରିବାର ସଦସ୍ୟ ଅଛନ୍ତି। ୩ ହଜାର ବୀମାଭୁକ୍ତ ଶ୍ରମିକ ଥିବା ଅଞ୍ଚଳରେ ଡିସ୍‌ପେନ୍‌ସାରୀ ଖୋଲିବାର ନିୟମ ରହିଛି, କିନ୍ତୁ ସେଠାରେ ଆଜି ପର୍ଯ୍ୟନ୍ତ ଡିସ୍‌ପେନ୍‌ସାରୀଟିଏ ଖୋଲିବାକୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେବେ ଖୋଲି ବିଭାଗୀୟ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। ବାଧ୍ୟ ‌ହୋଇଛି ଶ୍ରମିକ ଓ ତାଙ୍କ ପରିବାର ଲୋକ ପ୍ରାୟ ୬୦ କି.ମି.ଦୂର ରାଉରକେଲା ଓ ବିର୍ସାମୁଣ୍ଡା ଛକ ସ୍ଥିତ ଇଏସ୍‌ଆଇ ଡିସ୍‌ପେନ୍‌ସାରୀକୁ ଆସୁଛନ୍ତି। ଅନେକ ସମୟରେ ଆବଶ୍ୟକ ଔଷଧ ଓ ଚିକିତ୍ସା ନ ପାଇ ଫେରିଯିବାକୁ ବାଧ୍ୟ ହେଉଛନ୍ତି।