ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ବଳରାମପ୍ରସାଦଠାରେ ଏହି ୧୦୦ ଶଯ୍ୟା ବିଶିଷ୍ଟ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ଡାକ୍ତରଖାନା ବୁଧବାର ଦିନ ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିବାସହ ଶ୍ରମିକ ଓ କର୍ମଚାରୀମାନଙ୍କୁ ଏହା ମୋଦୀ ସରକାରଙ୍କ ରଜ ସଂକ୍ରାନ୍ତି ଉପହାର ବୋଲି କହିଛନ୍ତି।
ଆଗରୁ ବଅଁରପାଳରେ ଇଏସ୍ଆଇର ଏକ ଛୋଟ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲାବେଳେ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରାଯିବାକୁ ୨୦୧୩ରେ ଘୋଷଣା ହୋଇଥିଲା। ପ୍ରାୟ ୫ ଏକର ଜମିରେ ୬୫ କୋଟି ଟଙ୍କା ଖର୍ଚ୍ଚ ହୋଇ ଏହି ଡାକ୍ତରଖାନା ନିର୍ମାଣ କରାଯାଇଛି। ଏହି ଡାକ୍ତରଖାନାରେ ରୋଗୀସେବା ପାଇଁ ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିଲାବେଳେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଖୋଲାଯାଇଛି। ଅଂଚଳର ଶ୍ରମିକ, କର୍ମଚାରୀଙ୍କ ବହୁ ପ୍ରତୀକ୍ଷିତ ଏହି ଡାକ୍ତରଖାନାକୁ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ଘାଟନ କରିଥିଲେ। ଏହାସହିତ ଭର୍ଚୁଆଲ୍ ମୋଡ୍ରେ ଝାରସୁଗୁଡ଼ାରେ ଉପ ଆଞ୍ଚଳିକ କାର୍ଯ୍ୟାଳୟର ଲୋକାର୍ପଣ କରିଥିଲେ। ଏହି ଅବସରରେ ସେ କହିଥିଲେ, କୋଇଲା ଉତ୍ପାଦନରେ ଭାରତବର୍ଷରେ ଅନୁଗୁଳ ଓ ଝାରସୁଗୁଡ଼ା ଅନ୍ୟତମ ଅଂଚଳ। ଏଠାରେ ଜିନ୍ଦଲ, ଟାଟା, ନାଲ୍କୋ ଭଳି ଶିଳ୍ପାନୁଷ୍ଠାନ ସମେତ ଅନେକ ପାୱାର ପ୍ଲାଣ୍ଟ ରହିଛି । ଜିଲ୍ଲାରେ ରେଳ ବିଭାଗର କାର୍ଯ୍ୟ ସହ ଲଜିଷ୍ଟିକ ଇଣ୍ଡଷ୍ଟ୍ରିର କାମ ବଢ଼ୁଥିବାରୁ ଶ୍ରମିକମାନଙ୍କ ଚାହିଦା ବୃଦ୍ଧି ପାଉଛି। ସେହିଦୃଷ୍ଟିରୁ ଏହି ଇଏସ୍ଆଇ ଡାକ୍ତରଖାନା ଶ୍ରମିକମାନଙ୍କୁ ଚିକିତ୍ସାସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଡାକ୍ତରଖାନା ଖୋଲାଯିବା ଫଳରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ସହ ପ୍ରାୟ ୩ ଲକ୍ଷ ଲୋକ ଉପକୃତ ହେବେ। ଏହାବ୍ୟତୀତ ରାଜ୍ୟରେ ଆଗାମୀ ଦିନରେ ୩ଟି ନୂଆ ଇଏସ୍ଆଇ ହସ୍ପିଟାଲ ଓ ୧୨ଟି ଇଏସ୍ଆଇ ଡିସ୍ପେନସାରି ଖୋଲାହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ।
ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ଏବଂ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି, ରାଜ୍ୟ ସରକାରଙ୍କ ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ। ଇଏସ୍ଆଇସି ମହାନିର୍ଦ୍ଦେଶକ ଏମ.ଏସ୍. ଭାଟ୍ଟିଆ ସ୍ବାଗତ ଭାଷଣ ଦେଇଥିଲାବେଳେ ଢେଙ୍କାନାଳ ସାଂସଦ ମହେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବଳରାମପ୍ରସାଦ ସରପଞ୍ଚ ଜୟନ୍ତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/esi-medical-i.jpg)