ଧୋକ୍କା ଦେଉଛି ଇଏସ୍‌ଆଇ ମଡେଲ ହସ୍ପିଟାଲ, ୧୨ ଡାକ୍ତରରୁ ୯ ଜଣଙ୍କୁ ବଦଳି

ନିର୍ଭରଶୀଳ ୨ ଲକ୍ଷ ବୀମାଭୁକ୍ତ ଶ୍ରମିକ

ରାଉରକେଲା: ଇଏସ୍‌ଆଇ ଡିସ୍‌ପେନ୍‌ସାରୀ ଭଳି ଇଏସ୍‌ଆଇ ମଡେଲ ହସ୍ପିଟାଲ ଶ୍ରମିକଙ୍କୁ ଧୋକ୍କା ଦେଉଛି। ହସ୍ପିଟାଲର କାର୍ଯ୍ୟରତ ୧୨ ଡାକ୍ତରଙ୍କ ମଧ୍ୟରୁ ୯ ଜଣଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଆସିଛି। ଅର୍ଥାତ୍‌ ଆସନ୍ତା ଦିନରେ ମାତ୍ର ୩ ଡାକ୍ତରରେ ଚାଲିବାକୁ ଯାଉଛି ହସ୍ପି‌ଟାଲ। ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉପରେ ୨ ଲକ୍ଷରୁ ଅଧିକ ବୀମାଭୁକ୍ତ ଶ୍ରମିକ କର୍ମଚାରୀ ନିର୍ଭରଶୀଳ। କେବଳ ସୁନ୍ଦରଗଡ଼ ଜିଲ୍ଳା ନୁହେଁ ବରଗଡ, ସମ୍ବଲପୁର, ଝାରସୁଗୁଡା ଏମିତି କରି ବଲାଙ୍ଗୀର ଜିଲ୍ଲାର ଶ୍ରମିକ ପରିବାର ଏଠାରେ ଚିକିତ୍ସିତ ହେଉଛନ୍ତି।

ବୀମାଭୁକ୍ତ କର୍ମଚାରୀମାନେ ଇଏସ୍‌ଆଇ ବାବଦରେ ମାସକୁ କୋଟି କୋଟି ଟଙ୍କା ଜମା ହେଉଛି। କିନ୍ତୁ ସେବା ମିଳୁନି। ହସ୍ପିଟାଲର ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଯୁକ୍ତ ସମନ୍ବୟ ଅଭାବରୁ ହସ୍ପିଟାଲ କେବଳ ରେଫରାଲ୍‌ରେ ସୀମିତ। ଅଧିକାଂଶ ରୋଗୀଙ୍କୁ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଥିବା ଘରୋଇ ହସ୍ପିଟାଲଗୁଡ଼ିକୁ ପଠାଇ ଦିଆଯାଉଛି। ଏ ବାବଦରେ ଇଏସ୍‌ଆଇ ମଡେଲ ହସ୍ପିଟାଲ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ନିଜସ୍ବ ହସ୍ପିଟାଲର  ଉନ୍ନତିକରଣକୁ ଗୁରୁତ୍ବ ନ ଦେଇ ରୋଗୀ  ରେଫରାଲ ନାଁରେ ଘରୋଇ ହସ୍ପିଟାଲ ସହ ଭିତିରି ସଲାସୁତୁରା କରି ଲକ୍ଷ ଲକ୍ଷ ଟଙ୍କା ହଡ୍‌ପ କରିବାରେ ଲାଗି ପଡିଛି। ଇଏସ୍‌ଆଇ ମଡେଲ ହସ୍ପିଟାଲ ସହ ରାଉରକେଲା, କଟକ, ଯାଜପୁର,  ଭୁବନେଶ୍ବରର ମୋଟ ୧୪ ଘରୋଇ ହସ୍ପିଟାଲ ଅନୁବନ୍ଧିତ ହୋଇଛି। ୬ ମାସରେ କେବଳ ରେଫରାଲ୍‌ ବାବଦରେ ଖର୍ଚ୍ଚ ହେଉଛି ୧ କୋଟି ୮୩ ଲକ୍ଷ ୯୧ ହଜାର ୪୩୧ ଟଙ୍କା। ସବୁଠୁ ଆଶ୍ଚର୍ଯ୍ୟର କଥା ଦୈନିକ ହାରାହାରି କେଉଁ କେଉଁ ବାବଦରେ ଖର୍ଚ୍ଚ ହେଉଛି, ତା’ର ତଥ୍ୟ କାହାରି ପାଖରେ ନାହିଁ। ଅର୍ଥାତ୍‌ ରୋଗୀ ଚିକିତ୍ସା ବାବଦରେ ଆସୁଥିବା ଅର୍ଥକୁ ମିଳି ମିଶି ଚଳୁ  କରୁଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି।

ସେପଟେ ୫୦ ଶଯ୍ୟା ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ, କର୍ମଚାରୀ ନାହାନ୍ତି। ୫୦ ବେଡ୍‌ ହସ୍ପିଟାଲ ଡାକ୍ତରଙ୍କ ବ୍ୟତୀତ ୨୬ ଜିଡିଏମ୍‌ଓଏସ୍‌ ଆବଶ୍ୟକତା ରହିଛି। ଅଛନ୍ତି ମାତ୍ର ୧୨ ଜଣ। ୧୨ ପଦବୀ ଖାଲି ପଡିଛି। ଦୁଇଜଣ ଉପ ନିର୍ଦ୍ଦେଶକ ଆବଶ୍ୟକତା ଥିଲାବେଳେ ଅଛନ୍ତି ଜଣେ। ୭ ୟୁଡ଼ିସି ପଦବୀ ମଧ୍ୟରୁ ଅଛନ୍ତି ମାତ୍ର ୨ ଜଣ। ମାସ ମାସ ଧରି ୫ ପଦବୀ ଖାଲି ପଡ଼ିଛି। ସେମିତି ନର୍ସିଂ ଅଧିକାରୀ, ବରିଷ୍ଠ ନର୍ସିଂ ଅଧିକାରୀ ଜଣେ ଲେଖାଏଁ ପଦବୀ ଖାଲି ପଡ଼ିଛି। କେବଳ ଡାକ୍ତର, କର୍ମଚାରୀ ପଦବୀ ଖାଲି ପଡ଼ି ନାହିଁ। ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ତ‌େବେ ପଶ୍ଚିମ ଓଡ଼ିଶାର ଶ୍ରମିକମାନଙ୍କର ଏକମାତ୍ର ଭରସା ଏହି ହସ୍ପିଟାଲର ବିକାଶ ପ୍ରତି ସମସ୍ତେ ଯେମିତି ଆଖି ବୁଝି ଦେଇଛନ୍ତି। ଯାହାକୁ ନେଇ ଶ୍ରମିକ ସଙ୍ଗଠନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସିଆଇଟିୟୁର ବରିଷ୍ଠ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ କହିଛନ୍ତି ଓଡ଼ିଶାର ଏକମାତ୍ର ମଡେଲ ହସ୍ପିଟାଲକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ୫୦ରୁ ୭୫ ଓ ପରେ ୧୦୦ ବେଡ୍‌ କରିବାକୁ ନିଷ୍ପତ୍ତି ହୋଇଥିଲା।

ଏ ଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଗଲା ନାହିଁ। ଏବେ ୯ ଜଣ ଡାକ୍ତରଙ୍କୁ ବଦଳି କରାଯାଇଥିବା କୁହାଯାଉଛି। ଯଦି ଏହା ସତ୍ୟ ହୋଇଥାଏ, ତା’ ହେଲେ ସିଆଇଟିୟୁ ପକ୍ଷରୁ ଡାକ୍ତରଙ୍କ ବଦଳିକୁ ବାତିଲ କରିବାକୁ ଆନ୍ଦୋଳନକୁ ଜୋରଦାର କରାଯିବ। ସୁନ୍ଦରଗଡ ଶିଳ୍ପାଞ୍ଚଳ ଶ୍ରମିକ ସଭାର ଦିଗାମ୍ବର ମହାନ୍ତି କହିଛନ୍ତି,  ଏହି ହସ୍ପିଟାଲ ହେଉଛି ନାଁକୁ ମାତ୍ର ମଡେଲ ହସ୍ପିଟାଲ। ବିଭାଗୀୟ ଅଧିକାରୀ, କର୍ତ୍ତୃପକ୍ଷ କାହାରି ହସ୍ପିଟାଲର ବିକାଶ ପ୍ରତି ଆନ୍ତରିକତା ନାହିଁ। ବୀମାଭୁକ୍ତ ଶ୍ରମିକମାନଙ୍କ ଅର୍ଥକୁ ବାଟମାରଣା କରାଯାଉଛି। ଶ୍ରମିକ ପରିବାରକୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆ ନଗଲେ ସଙ୍ଗଠନ ଆନ୍ଦୋଳନକୁ ବ୍ୟାପକ କରିବ।

ସମ୍ବନ୍ଧିତ ଖବର