କୋଭିଡ୍ ରିଲିଫ୍ ସ୍କିମ୍‌ରେ ଇଏସ୍‌ଆଇସି ଦେଲା ପେନ୍‌ସନ୍: ମାସିକ ୧୮ ହଜାର ଟଙ୍କାର ପେନ୍‌ସନ୍

୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସ୍କିମ୍ ଜାରି ରହିବ

ପେନ୍‌ସନ୍ ପାଇଁ ମୃତକଙ୍କ ନିର୍ଭରଶୀଳ ଇଏସ୍‌ଆଇସି କାର୍ଯ୍ୟାଳୟରେ ଆବେଦନ କରିପାରିବେ

ଭୁବନେଶ୍ବର : କରୋନାରେ ପ୍ରାଣ ହରାଇଥିବା ବୀମାଭୁକ୍ତ କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ଥିବା ବ୍ୟକ୍ତିଙ୍କ ପାଇଁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ କୋଭିଡ୍ ରିଲିଫ୍ ସ୍କିମ୍ ନାମରେ ଏକ ସ୍ବତନ୍ତ୍ର ସ୍କିମ୍ ଘୋଷଣା କରାଯାଇଛି। ଏଥିରେ ମୃତକ ବୀମାଭୁକ୍ତ କର୍ମଚାରୀଙ୍କ ଜୀବନସାଥୀଙ୍କୁ ତାଙ୍କ ମାସିକ ବେତନର ୯୦% ରାଶିକୁ ମାସିକ ପେନ୍‌ସନ୍ ଭାବେ ପ୍ରଦାନ କରାଯାଉଛି। ତେବେ ଏଥିପାଇଁ କେତେକ ସର୍ତ୍ତ ମଧ୍ୟ ରହିଛି। ଚଳିତ ବର୍ଷ ଜୁନ୍ ୩ରେ ଏହି ସ୍କିମ୍ ଆରମ୍ଭ କରାଯାଇଛି। ୨୦୨୦ ମାର୍ଚ୍ଚ ୨୪ରୁ ୨୦୨୨ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଦୁଇ ବର୍ଷ ଅବଧି ଲାଗି ଏହି ସ୍କିମ୍‌କୁ କାଯ୍ୟକାରୀ କରାଯିବ।

ଏହି ସ୍କିମ୍ ଅଧୀନରେ ଇଏସ୍‌ଆଇସି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ମୃତକ ବୀମାଭୁକ୍ତ କର୍ମଚାରୀ ଭୁଲୁପ କୁମାର ସାହୁଙ୍କ ପତ୍ନୀ ଭାନୁମତି ସାହୁ ଓ ଝିଅ ବର୍ଷାରାଣୀ ସାହୁଙ୍କୁ ପେନ୍‌ସନ୍ ରାଶି ପ୍ରଦାନ କରାଯିବ। କରୋନାରେ ସଂକ୍ରମିତ ହୋଇ ଚଳିତ ବର୍ଷ ମେ’ ୫ରେ ଭୁଲୁପଙ୍କ ମୃତ୍ୟୁ ହୋଇଥିଲା। ସେ ଇଣ୍ଡିଆନ ମେଟାଲ୍ ଆଣ୍ଡ୍ ଫେରୋ ଆଲଏଜ୍‌ (ଇମ୍ଫା)ରେ ଜୁନିୟର ଆସିଷ୍ଟାଣ୍ଟ୍ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଦେହାନ୍ତ ପରେ ମେ’ ୫ରୁ ତାଙ୍କ ଉପରେ ନିର୍ଭରଶୀଳମାନଙ୍କୁ ମାସିକ ୧୬,୦୮୦ ଟଙ୍କାର ପେନ୍‌ସନ୍ ଦିଆଯାଉଛି। ମେ’ ୫ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବକେୟା ଥିବା ୩୦,୦୧୭ ଟଙ୍କାର ପେନ୍‌ସନ୍ ରାଶି ମଧ୍ୟ ଇଏସ୍‌ଆଇସି ତରଫରୁ ହସ୍ତାନ୍ତର କରାଯାଇଛି।

ଇଏସ୍‌ଆଇସି ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ବରର ଆଞ୍ଚଳିକ ନିର୍ଦେଶକ ପି ଏସ୍‌ ପଣ୍ଡା କହିଛନ୍ତି ଯେ କୋଭିଡ୍ ମହାମାରୀରକୁ ନଜରରେ ରଖି ହିତାଧିକାରୀମାନଙ୍କୁ ରିଲିଫ୍ ପ୍ରଦାନ କରିବା ଲାଗି ରିଲାକ୍ସଡ୍‌ ଅଟଳ ବୀମିତ ବ୍ୟକ୍ତି ବୀମା କଲ୍ୟାଣ ଯୋଜନା ଓ କୋଭିଡ୍‌-୧୯ ରିଲଇଫ୍ ସ୍କିମ୍ ଆରମ୍ଭ କରାଯାଇଥିଲା। ରିଲାକ୍ସଡ୍ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ଅଧୀନରେ ବେରୋଜଗାର ହୋଇପଡ଼ିଥିବା ହିତାଧିକାରୀମାନଙ୍କୁ ମୂଳ ବେତନର ୫୦% ରାଶି ତିନି ମାସ ଅବଧି ପାଇଁ ଆର୍ଥିକ କ୍ଷତିପୂରଣ ଭାବେ ଦିଆଯାଉଛି। ଏହି ସ୍କିମ୍‌ର ଅବଧିକୁ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଭିଡ୍ ମହାମାରୀ ପ୍ରଭାବରେ ବେରୋଜଗାର ହୋଇପଡ଼ିଥିବା ଲୋକମାନଙ୍କୁ ଏହି କ୍ଷତିପୂରଣ ଦିଆଯାଉଛି। ସେହିପରି କୋଭିଡ୍-୧୯ ରିଲିଫ୍ ସ୍କିମ୍‌କୁ ପିଛିଲା ଭାବେ ୨୦୨୦ ମାର୍ଚ୍ଚ ୨୪ରୁ ଲାଗୁ କରାଯାଇଛି ଯାହା ୨୦୨୨ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଜାରି ରହିବ। ଏହି ସ୍କିମ୍‌ରେ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ହିତାଧିକାରୀଙ୍କ ନିର୍ଭରଶୀଳ ବ୍ୟକ୍ତିଙ୍କୁ ପେନ୍‌ସନ୍ ଦେବାର ବ୍ୟବସ୍ଥା କରାଯାଇଛି। ଉଦାହରଣ ସ୍ବରୂପ ଯଦି ମାସିକ ୨୦ ହଜାର ଟଙ୍କା ପାଉଥିବା କୌଣସି ବ୍ୟକ୍ତିଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥାଏ, ତାଙ୍କ ଝିଅ ବିବାହ କରିସାରିଥାନ୍ତି ଓ ପୁଅକୁ ୨୫ ବର୍ଷରୁ ଅଧିକ ବୟସ ହୋଇଥିବ ତେବେ ସେଭଳି ପରିସ୍ଥିତିରେ ମୃତକଙ୍କ ପତ୍ନୀଙ୍କୁ ମାସିକ ୧୮ ହଜାର ପେନ୍‌ସନ୍ ସେ ବଞ୍ଚିଥିବା ପର୍ଯ୍ୟନ୍ତ କିମ୍ବା ପୁନଃ ବିବାହ ନକରିବା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ପେନ୍‌ସନ୍ ରାଶି ବ୍ୟାଙ୍କ ଖାତାରେ ଜମା କରାଯିବ। କୋଭିଡ୍‌ରୁ ଭଲ ହେବାର ୩୦ ଦିନ ଭିତରେ କିମ୍ବା ହସ୍ପିଟାଲ୍‌ରୁ ଛାଡ଼ ପାଇବା ପରେ ହେଉଥିବା ମୃତ୍ୟୁ ମାମଲାଗୁଡ଼ିକୁ ମଧ୍ୟ ଏହି ସ୍କିମ୍‌ରେ ସାମିଲ କରାଯାଇଛି। ପେନ୍‌ସନ୍ ପାଇବା ଲାଗି ମୃତକଙ୍କ ନିର୍ଭରଶୀଳମାନଙ୍କୁ ଫର୍ମ ସିଆର୍‌ଏସ୍‌-ଆଇ ସହ କୋଭିଡ୍-୧୯ ରିପୋର୍ଟ ଓ ମୃତ୍ୟୁ ସାର୍ଟିଫିକେଟ୍‌ ସଲଗ୍ନ କରି ନିକଟତମ ଇଏସ୍‌ଆଇସି ଶାଖା କାର୍ଯ୍ୟାଳୟରେ ଦାଖଲ କରିବାକୁ ହେବ। ବାର୍ଷିକ ୧୨୦ ଟଙ୍କା ଦେଇ ମୃତକଙ୍କ ଜୀବନସାଥୀ ଇଏସ୍‌ଆଇ ମେଡିକାଲ୍ ସୁବିଧା ପାଇବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୋଇପା‌ରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର