ବାଲେଶ୍ୱରରେ ରାଜସ୍ୱ ଡିଭିଜନ୍‌ ସ୍ଥାପନ କରାଯାଉ, ମୁଖ୍ୟମନ୍ତ୍ରୀଙ୍କୁ ନବଜ୍ୟୋତିଙ୍କ ପତ୍ର

ବାଲେଶ୍ୱର : ବାଲେଶ୍ୱରର ଭୌଗୋଳିକ ସ୍ଥିତି ଓ ଦୂରତାକୁ ଦୃଷ୍ଟିରେ ରଖି ସାଧାରଣ ଜନତାଙ୍କ ନିକଟରେ ପ୍ରାଶାସନିକ ସୁବିଧା ଯୋଗାଇ ଦେବାପାଇଁ ବାଲେଶ୍ୱରକୁ ଏକ ରାଜସ୍ବ ଡିଭିଜନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପତ୍ର ଲେଖିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ। ଏ ସଂକ୍ରାନ୍ତରେ ସେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି।

ରାଜ୍ୟ ସରକାର ସାଧାରଣ ଓ ରାଜସ୍ବ ପ୍ରାଶାସନିକ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ତିନିଟି ରାଜସ୍ବ ଡିଭିଜନ୍‌ ଗଠନ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ଥିବା ଜିଲ୍ଲାଗୁଡ଼ିକୁ ସମ୍ବଲପୁରରେ ଥିବା ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ୍‌, ଦକ୍ଷିଣ ଓଡ଼ିଶାରେ ଥିବା ଜିଲ୍ଲାଗୁଡ଼ିକୁ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ୍ ଓ ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡ଼ିକୁ ନେଇ ଗଠିତ ଏକ ବିଶାଳ ଅଞ୍ଚଳକୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭିଜନ୍‌ ଅଧୀନରେ ରଖାଯାଇଛି। ଭୌଗୋଳିକ ମୁଖ୍ୟ ଦପ୍ତରଠାରୁ ଦୂରତା, ନ୍ୟାୟସଂଗତ ବିତରଣ ଭଳି କାରଣଗୁଡିକୁ ଅଣଦେଖା କରାଯାଇ କେବଳ ରାଜ୍ୟର ସମୁଦାୟ ଜିଲ୍ଲାକୁ ୩ ଭାଗରେ ବିଭକ୍ତ କରିଦିଆଯାଇ ଏହି ତିନିଟି ଡିଭିଜନ୍‌ ସୃଷ୍ଟି କରାଯିବା ଭଳି ମନେ ହେଉଛି। ଯେଉଁଥିରେ ପ୍ରତି ୧୦ଟି ଜିଲ୍ଲାକୁ ଗୋଟିଏ ଡିଭିଜନ୍‌ ଅଧୀନରେ ରଖାଯାଇଛି।

ଏକ ଉଦାହରଣ ଦେଇ ନବଜ୍ୟୋତି କହିଛନ୍ତି, କେନ୍ଦୁଝର ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ୍‌ ଅଧୀନରେ ରଖାଯାଇଛି। କିନ୍ତୁ କେନ୍ଦୁଝରରୁ ଏହି ରାଜସ୍ବ ଡିଭିଜନ୍‌ର ମୁଖ୍ୟଦପ୍ତର ସମ୍ବଲପୁର ୨୦୦ କିଲୋମିଟର ଦୂରରେ ଅବସ୍ଥିତ। କେନ୍ଦୁଝର ଅଧିବାସୀଙ୍କ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଭଳି ପ୍ରସଙ୍ଗଗୁଡ଼ିକର ସମାଧାନ ଦିଗରେ ଏହା ଅନେକ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି। ସଫଳ ଆଞ୍ଚଳିକ ପ୍ରତିନିଧିତ୍ୱ ବ୍ୟବସ୍ଥା କରାଯିବା ସମୟରେ ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଆଦି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାଗୁଡ଼ିକୁ ଉପେକ୍ଷା କରାଯାଇଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ସାମିଲ କରି ବାଲେଶ୍ୱରରେ ଏକ ରାଜସ୍ବ ଡିଭିଜନ୍‌ ସ୍ଥାପନ ପାଇଁ ନବଜ୍ୟୋତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ବାଲେଶ୍ୱର ଉତ୍ତର ଓଡ଼ିଶାର ସର୍ବବୃହତ୍‌ ସହର ଏବଂ ଏଠାରେ ଓଡ଼ିଶା ତଥା ଭାରତ ସରକାରଙ୍କର ବହୁ ଡିଭିଜନାଲ୍‌ ମୁଖ୍ୟ କାର୍ଯ୍ୟାଳୟ ରହିଛି। ତେଣୁ ଏହାକୁ ଏକ ରାଜସ୍ବ ଡିଭିଜନର ମୁଖ୍ୟ ଦପ୍ତର ଭାବେ ମନୋନୀତ କରାଯିବାରେ କୌଣସି ଅସଙ୍ଗତି ନାହିଁ। ଉତ୍ତରଓଡ଼ିଶାରେ ଆସୁଥିବା ଜିଲ୍ଲାର ଅଧିବାସୀଙ୍କ ପାଇଁ ସହଜରେ ପହଞ୍ଚି ହେବାଭଳି ସ୍ଥାନ ହେଉଛି ବାଲେଶ୍ବର। ତେଣୁ ଭୂସଂସ୍କାର, ଜମି ମାଲିକାନା ସମ୍ପର୍କିତ ଆଇନଗତ ବିବାଦର ସମାଧାନ, ରାଜସ୍ବ ମାମଲାଗୁଡ଼ିକର ଫଇସଲା, ପେନ୍‌ସନ୍‌, ଗ୍ରାଚ୍ୟୁଇଟି, ମୃତ୍ୟୁକାଳୀନ ତଥା ଅବସରକାଳୀନ ବିଷୟଗୁଡ଼ିକର ସମାଧାନ ନିମନ୍ତେ ଉତ୍ତର ଓଡ଼ିଶା ଜନସାଧାରଣଙ୍କୁ ଆଉ କଟକ ଯିବାକୁ ପଡ଼ିବ ନାହିଁ। ଉତ୍ତରଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର। କିନ୍ତୁ ଏହା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଅଞ୍ଚଳ ହୋଇରହିଛି। ପ୍ରାକୃତିକ ବିପର୍ଯ୍ୟୟ ଅଥବା ମହାମାରୀ ସମ୍ପର୍କିତ କୌଣସି ପ୍ରସଙ୍ଗ, ଅଥବା ବ୍ୟାପକ ଅଞ୍ଚଳରେ ଫସଲହାନି, ବେଆଇନ ଭାବରେ ଜଙ୍ଗଲ ଜମି ଜବରଦଖଲ, ବୈଧ ଅନୁମତି ନଥାଇ ଗଛ କାଟିବା ଆଦି ବହୁବିଧ କାରଣର ତୁରନ୍ତ ସମାଧାନ ପାଇଁ ଏକ ରାଜସ୍ବ ଡିଭିଜନ ମୁଖ୍ୟଦପ୍ତରର ଉପସ୍ଥିତି ନିତାନ୍ତ ଜରୁରୀ। ସେଥିପାଇଁ ବାଲେଶ୍ୱରଠାରେ ଏକ ରାଜସ୍ବ ଡିଭିଜନ୍‌ ସ୍ଥାପନ ସମ୍ପର୍କିତ ନ୍ୟାୟସଂଗତ ଦାବି ପ୍ରତି ଦୃଷ୍ଟି ଦେଇ ଉତ୍ତର ଓଡ଼ିଶାର ଜନସାଧାଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏ ଦିଗରେ ପଦକ୍ଷେପ ନେବାକୁ ନବଜ୍ୟୋତି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର