ପୁରୀ : ରାଜନେତାମାନେ ନିଜ ସ୍ୱାର୍ଥ ପାଇଁ ସବର୍ଣ୍ଣ-ଅସବର୍ଣ୍ଣ ଭେଦ ସୃଷ୍ଟି କରନ୍ତି। ଶ୍ରମଜୀବୀ-ବୁଦ୍ଧିଜୀବୀ ନାମରେ ସମାଜରେ ବିଭାଜନ ସୃଷ୍ଟି କରନ୍ତି। ଗଜପତିନଗର ଯୁବ ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ବିନାୟକ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତ କହିଲେ, ବିଶ୍ବରେ ବିକାଶ ହେଉଥିବା ନେଇ ଚର୍ଚ୍ଚା ହେଉଛି। ମାତ୍ର ବିକାଶର ଗର୍ଭରୁ ବିସ୍ଫୋଟ ବାହାରୁଛି।
ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ଅତୀତରେ ଅଖଣ୍ଡ ଭାରତ ଓ ଭାରତ ହିନ୍ଦୁ ରାଷ୍ଟ୍ର ହେଉ ବୋଲି କହିବାରୁ ତାଙ୍କ ନାମ ୮ଟି ଜାଗାରେ ହିଟ୍ ଲିଷ୍ଟରେ ଥିଲା। ସନାତନ ସିଦ୍ଧାନ୍ତ ଅନୁକରଣରେ ହିଁ ପ୍ରକୃତ ବିକାଶ ସମ୍ଭବ। ସେ ପୁଣି କହିଲେ, ସୁସଂସ୍କୃତି, ସୁରକ୍ଷିତ, ସୁଶିକ୍ଷିତ, ସମ୍ପର୍ଣ୍ଣ, ସେବା ପରାୟଣ ବ୍ୟକ୍ତି ଓ ସମାଜ ସଂରଚନା ରାଜନେତାଙ୍କ ପ୍ରକୃତ ପରିଭାଷା। ପ୍ରତ୍ୟେକ ବ୍ୟକ୍ତି ନିଜ ମୌଳିକ ସ୍ୱରୂପକୁ ଜାଣିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ପ୍ରତ୍ୟେକ ହିନ୍ଦୁ ସମାଜ ପାଇଁ ପ୍ରତ୍ୟେକ ଦିନ ଏକ ଟଙ୍କା ଦାନ, ଏକ ଘଣ୍ଟା ସମୟ ବାହାର କରୁ। ମଠମାନଙ୍କୁ ସଶକ୍ତ କରାଯାଉ ବୋଲି ସେ କହିଛନ୍ତି। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ।