ଜୟପୁର: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ବିଦ୍ୟାଳୟ ଖୋଲିବା ପାଇଁ ଇଛୁକ, ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ, ଲୋକପ୍ରତିନିଧି ଓ ସର୍ବଦଳର ନେତା ସଂପୁର୍ଣ୍ଣ ସହଯୋଗ କରିବାକୁ ପୁରା ପ୍ରସ୍ତୁତ। କେନ୍ଦ୍ର ସରକାର କାହିଁକି ଜୟପୁରରେ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦେଉ ନାହାନ୍ତି ତାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଯେ କୌଣସି ଶିକ୍ଷା ଅନୁଷ୍ଠାନରେ ଶିକ୍ଷାବର୍ଷ ଆରମ୍ଭ ଜାନୁଆରୀ ମାସରୁ ହିଁ ଛାତ୍ରଛାତ୍ରୀଙ୍କ ଆଡମିସନ୍ ପ୍ରକ୍ରିୟା ଓ ସିଲାବସ ତିଆରି , ଶିକ୍ଷକ, ଶିକ୍ଷୟତ୍ରୀ ଆଦିର ଅଭାବଅସୁବିଧା ଆଦିକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଶିକ୍ଷାବର୍ଷର ୧ମ ମାସ ଶେଷ ହେବାକୁ ବସିଥିବା ବେଳେ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେବ ସେଭଳି କିଛି ଆଭାସ ମିଳିପାରୁନାହିଁ। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଆଡମିସନ୍ ପ୍ରକ୍ରିୟା ଆରମ୍ଭ ନ ହେଲେ ଆଗାମୀ ଦିନରେ ସ୍କୁଲ ଖୋଲିବା ମୁସ୍କିଲ ବୋଲି କହିଛନ୍ତି ପୂର୍ବତନ ବିଇଓ ସୁରେନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ୍ ଶ୍ରୀନାଥ ମିଶ୍ର, ଅଜୟ ମିଶ୍ର, ସରୋଜ ପାଣିଗ୍ରାହୀ ।
ରାଜ୍ୟର ବହୁ ଜିଲ୍ଲାରେ ଦୁଇଟିରୁ ଆଠଟି ଲେଖାଏଁ ବି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ଗଂଜାମ ଜିଲ୍ଲାରେ ବ୍ରହ୍ମପୁର, ଭଂଜନଗର,ହିଂଜଳିକାଟୁ, ଗୋପାଳପୁର କ୍ୟାଣ୍ଟ, ଦିଗପହଣ୍ଡି, ଆସିକା, ମୟୁରଭଂଜ ଜିଲ୍ଲାରେ ବାରିପଦା, ରାଇରଂଗପୁର, ମୁର୍ଗାବାଡ଼ି, ସମ୍ବଲପୁର ସହରରେ ୨ଟି, ଖୋର୍ଦ୍ଦା ଜିଲ୍ଲାରେ ଖୋର୍ଦ୍ଧା ସମେତ ଭୁବନେଶ୍ବରରେ ୮ଟି , କଟକରେ ୩ଟି ଲେଖାଏଁ ଏଭଳି ରାଜ୍ୟରେ ସର୍ବମୋଟ ୪୦ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ସହରରେ ୨୦ଟି କେନ୍ଦ୍ରୀୟ ବ୍ୟାଙ୍କ, ଏନସିସି ବାଟାଲିଅନ୍, ବିଏସଏଫ୍, ଏଫସିଆଇ, ଆୟକର, ଓପିଟିସିଏଲ ସହ ବହୁ କେନ୍ଦ୍ରୀୟ କାର୍ଯ୍ୟାଳୟ ରହିଛି ଏହି ସ୍ଥିତିରେ ଏଠାରେ ଖୋଲାଯିବାରେ କେନ୍ଦ୍ରସରକାରଙ୍କୁ ଅସୁବିଧା କେଉଁଟି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବହୁ ଆଇନଜୀବୀ, ବୁଦ୍ଧିଜୀବୀ, ଶିକ୍ଷାବିତ।
ଜଗନ୍ନାଥସାଗରର ପାର୍ଶ୍ବରେ ୮ଏକର ଜମି ଚିହ୍ନଟ କରି ଜିଲ୍ଲାପ୍ରଶାସନ ସେଭଳି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଇୟରମାର୍କ କରି ରଖିଛି। ଅନ୍ବେଷା ଛାତ୍ରବାସକୁ ୨୮ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହାର ପୁନଃ ରୁଦ୍ଧାର କରି ଯେ କୌଣସି ମୂହର୍ତ୍ତରେ ବିଦ୍ୟାଳୟ ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରି ରଖାଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପ୍ରତିନିଧି ଦଳ ଏଠାକୁ ଆସି ସବୁ ଯାଂଚ କରି ଯାହା ଯାହା ଆବଶ୍ୟକ ସୂଚନା ଦେଇଥିଲେ ସେ ସବୁକୁ ବି ଜିଲ୍ଲାପ୍ରଶାସନ ସଜାଡ଼ି ସାରିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁ ମୂହର୍ତ୍ତରେ କେନ୍ଦ୍ର ସରକାର ବିଦ୍ୟାଳୟ ଖୋଲିବାକୁ ଅନୁମତି ଓ ନିର୍ଦେଶ ଦେବେ ତୁରନ୍ତ ତାହା କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/7-24.jpg)