ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତାଗିଦ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା। ଆଠଗଡ଼ରେ ହାତୀ କଙ୍କାଳ ମିଳିବା ଓ ଗୁଳିମାଡ଼ ହୋଇଥିବା ହାତୀର ମୃତ୍ୟୁ ଘଟଣାର ତଦନ୍ତ ଲାଗି ଆଜି ସ୍ବତନ୍ତ୍ର ଇନଭେଷ୍ଟିଗେସନ ଟିମ୍(ଏସ୍ଆଇଟି) ଗଠନ କରାଯାଇଛି। ଅନୁଗୁଳ ସର୍କଲର ଚିଫ୍ କନ୍ଜରଭେଟର ଅଫ୍ ଫରେଷ୍ଟ(ସିସିଏଫ୍)ଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ରେ କଞ୍ଜରଭେଟର ଅଫ୍ ଫରେଷ୍ଟ(ଇଟି) ଓ କ୍ରାଇମ୍ବ୍ରାଞ୍ଚର ଜଣେ ଅଧିକାରୀ(ଡିଏସ୍ପି ରୢାଙ୍କ) ସଦସ୍ୟ ରହିବେ। ତଦନ୍ତ ସମୟରେ ଯେଉଁ ଅଧିକାରୀଙ୍କ ସମ୍ପୃକ୍ତି ଆସିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି ଦୋଷୀଙ୍କୁ ବି ଛଡ଼ାଯିବ ନାହିଁ ବୋଲି ପିସିସିଏଫ୍(ବନ୍ୟପ୍ରାଣୀ) ଶଶି ପଲ୍ କହିଛନ୍ତି।
ଅନ୍ତଃରାଜ୍ୟ ରାକେଟ୍ କାମ କରୁଥିବା ନେଇ ସନ୍ଦେହ
ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି କମିଟି ଦୁଇଟି ବିଷୟ ଉପରେ ମୁଖ୍ୟତଃ ଗୁରୁତ୍ବ ଦେବ। ବନ ବିଭାଗ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ, ଆପରାଧିକ କାର୍ଯ୍ୟକଳାପ ପ୍ରତି ଅବହେଳା ପ୍ରଦର୍ଶନ ଓ ଘଟଣାକୁ ଜାଣିଶୁଣି ଚାପିବାକୁ ଉଦ୍ୟମ କରିବା ଭଳି ଦିଗ ଉପରେ ସମ୍ପୃକ୍ତ ଟିମ୍ ତଦନ୍ତ କରିବ। ଆଠଗଡ଼ ଡିଭିଜନ୍ର ଆଉ କେଉଁଠି ଏଭଳି ଘଟଣା ହୋଇଛି କି ନାହିଁ, ସେ ବିଷୟରେ ବି ତନାଘନା କରିବେ। ଘଟଣାର ପୂର୍ବସ୍ଥିତି ଉପରେ ଅଧିକ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ। ଏମିତିକି ଏହି ଘଟଣାରେ ଅନ୍ତଃରାଜ୍ୟ ରୢାକେଟ୍ର ସମ୍ପୃକ୍ତି ରହିଥିବା ନେଇ ସନ୍ଦେହ ଉପୁଜୁଥିବାରୁ ତଦନ୍ତ ବେଳେ ସେଥିପ୍ରତି ଗୁରୁତ୍ବ ଦେବେ। ତଦନ୍ତ ସମୟରେ କୌଣସି ବିଶେଷଜ୍ଞ କିମ୍ବା ବୈଜ୍ଞାନିକଙ୍କୁ ସାଙ୍ଗରେ ନେଇପାରିବେ। ବିଜ୍ଞପ୍ତି ପ୍ରକାଶ ପାଇବାର ଗୋଟିଏ ମାସ ଅର୍ଥାତ୍ ଜୁଲାଇ ୧୫ ସୁଦ୍ଧା ଏସ୍ଆଇଟି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିସିଏଫ୍(ବନ୍ୟପ୍ରାଣୀ)ଙ୍କ ନେତୃତ୍ବରେ ଏହି କମିଟି କାର୍ଯ୍ୟ କରିବ ବୋଲି ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
/sambad/media/post_attachments/wp-content/uploads/2022/06/elephant-cccc-300x167.jpg)
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଓଡ଼ିଶା ପିସିସିଏଫ୍(ବନ୍ୟପ୍ରାଣୀ)ଙ୍କଠାରୁ ରିପୋର୍ଟ ତଲବ ପରେ ଆଜି ବନ ବିଭାଗ ବାବୁମାନଙ୍କ ମୁଣ୍ଡ କାମ କରି ନ ଥିଲା। ସକାଳୁ ସକାଳୁ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଘନଘନ ବୈଠକ ହୋଇଥିଲା। କେଉଁ ପରିସ୍ଥିତିରେ ଗୁଳି ମାଡ଼ରେ ହାତୀ ମୃତ୍ୟୁ ହେଲା, ତାହାକୁ ନେଇ ତନାଘନା ଚଲାଇଥିଲେ। ଜଣଙ୍କ ପରେ ଜଣେ ଅଧିକାରୀଙ୍କୁ ଫୋନ୍ କରି କୈଫିୟତ୍ ମାଗିଥିଲେ। ହାତୀ ଉପରେ ଗୁଳିମାଡ଼ ହୋଇଥିଲେ ମଧ୍ୟ କେହି କେମିତି ଜାଣିପାରିଲେ ନାହିଁ? ଯେତେବେଳେ ବି ଗୁଳି ମାଡ଼ ଖବର ଜାଣିଲେ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଗଲା ନାହିଁ କାହିଁକି? କେଉଁସ୍ତରରେ ତ୍ରୁଟି ରହିଲା? ହାତୀର ଠିକ୍ ଭାବେ ଚିକିତ୍ସା ହେଉଥିଲା କି ନାହିଁ? ଆଦି ବିଷୟରେ ପଚରାଉଚରା କରାଯାଇଥିଲା। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ତଦନ୍ତ ଲାଗି କମିଟି ଗଠନ କରାଯାଇଛି। କମିଟିର ସଦସ୍ୟମାନେ ଉକ୍ତ ଅଞ୍ଚଳ ଗସ୍ତ କରି ତଦନ୍ତ କରି ମାସେ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ତଦନ୍ତ ଲାଗି ଏତେ ସମୟ ପ୍ରଦାନକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ସହଜରେ ଗ୍ରହଣ କରିନାହାନ୍ତି। କାରଣ ପୂର୍ବରୁ ବି ଏଭଳି ଅନେକ କମିଟି ଗଠନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ବି ଗୋଟିଏ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେଣୁ ଏଥର ବି ତଦନ୍ତ ଠିକ୍ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଥିବା ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/elephant-ddddd-1.jpg)