ଭବାନୀପାଟଣା : ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପ୍ରତିଷ୍ଠା ନେଇ ଟଣା ଓଟରା

ଜନ ଶୁଣାଣିରେ ଲୋକଙ୍କ ସ୍ୱର ଚାପି ଦେବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଥିବା ଅଭିଯୋଗ

ଭବାନୀପାଟଣା : ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ କଳାହାଣ୍ଡି ତହସିଲ ଅଧିନସ୍ଥ ବର୍ତ୍ତମାନ ସ୍ଥିତ ରାଜସ୍ୱ ନିରୀକ୍ଷକ ମଣ୍ଡଳ ଗୁଡିକୁ ଭାଗ ଭାଗ କରି ନୂତନ ରାଜସ୍ୱ ନିରୀକ୍ଷକ ମଣ୍ଡଳ ସୃଷ୍ଟିକରି ଜନସାଧାରଣଙ୍କ ଅତି ପାଖରେ ସେବା ପହଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବା ଜଣାଯାଇଛି । ତେବେ ଏହି ରାଜସ୍ୱ ନିରୀକ୍ଷକ ମଣ୍ଡଳ ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠାକୁ ନେଇ ରାଜନୀତି ହେଉଥିବା ଘଟଣା ବିଭିନ୍ନ ମହଲରେ ନିନ୍ଦା ପ୍ରକାଶ ପାଇଛି ।

ପ୍ରକାଶ ଯୋଗ୍ୟ ଯେ’ କଳାହାଣ୍ଡି ତହସିଲ୍ ଅଧିନସ୍ଥ ଥୁଆପଦର ପଞ୍ଚାୟତ ଅନ୍ତର୍ଗତ ଡଙ୍ଗୁରିପଦର ଠାରେ ପ୍ରସ୍ତାବିତ ଏକ ନୂତନ ରାଜସ୍ୱ ନିରୀକ୍ଷକ ମଣ୍ଡଳ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଗତ ଜୁଲାଇ ୪ ତାରିଖ ଦିନ ସଦର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆପତ୍ତି ଅଭିଯୋଗର ଏକ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଜନଶୁଣାଣିରେ କଳାହାଣ୍ଡି ତହସିଲଦାର ସମେତ ଅନ୍ୟନ୍ୟା ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିବା ବେଳେ ଅପର ପକ୍ଷରେ ଥୁଆପଦର ପଞ୍ଚାୟତ ସରପଞ୍ଚ ଚୁଡାମଣୀ ନାଏକ, ପୂର୍ବ ସରପଞ୍ଚ କିର୍ତ୍ତନ ନାୟକ, ପୂର୍ବ ରୁଦ୍ର ମାଝୀ, ୱାର୍ଡମେମ୍ବର ପ୍ରହଲ୍ଲାଦ ସାହୁ, ସ୍କୁଲ କମିଟି ଅଧକ୍ଷ ଦିଗାମ୍ବର ଲୁହା, ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଥୁଆପଦର ପଞ୍ଚାୟତ ଠାରେ ନୂତନ ପ୍ରସ୍ତାବିତ ରାଜସ୍ୱ ନିରୀକ୍ଷକ ମଣ୍ଡଳ କାର୍ଯ୍ୟାଳୟ ପ୍ରତିଷ୍ଟା ନେଇ ଦାବୀ କରିଥିଲେ । କଳାହାଣ୍ଡି ତହସିଲଦାର ଏହି ସବୁକୁ ଗ୍ରହଣ ନକରି ପଞ୍ଚାୟତ ମହକୁମାଠାରୁ ୪ କି.ମି ଦୂରରେ ଥିବା ଡଙ୍ଗରୀପଦର ଠାରେ ଏହା ପ୍ରତିଷ୍ଠା ହେବ ବୋଲି ମତ ପ୍ରକାଶ କରିଥିଲେ । ୧୯୫୫ ମସିହାରେ ପ୍ରତିଷ୍ଠା ଏହି ସର୍ବ ପୁରାତନ ଥୁଆପଦର ଠାରେ ପଞ୍ଚାୟତର ଥୁଆପଦର, ତେନ୍ତୁଲିଖୁଣ୍ଟି, ଡଙ୍ଗରିପଦର, କୁସୁମ ଖୁଣ୍ଟି, ଭୀମଡ଼ଙ୍ଗା ଓ ଗୋଇପିଟାକୁ ନେଇ ପଞ୍ଚାୟତ ଗଠିତ ହୋଇଛି ।

ଜନସଂଖ୍ୟା ୭୯୦୮ ହୋଇଥିବାବେଳେ ଆଦିବାସୀ ଓ ଦଳିତଙ୍କ ସଂଖ୍ୟା ୫୫% ରୁ ଅଧିକ ଅଟେ । ତେବେ ପଞ୍ଚାୟତ ଅଧିନ ଜନସାଧାରଣଙ୍କ ଜମିଜମା ସଂକ୍ରାନ୍ତିୟ ସମାଧାନ ତଥା ବିଭିନ୍ନ ପ୍ରମାଣ ପତ୍ର ସୁବିଧାରେ ପାଇବା ସକାଶେ ଥୁଆପଦର ପଞ୍ଚାୟତ ମହକୁମା ଠାରେ ନୂତନ ରାଜସ୍ୱ ନିରୀକ୍ଷକ ମଣ୍ଡଳ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବା ପାଇଁ ଅଞ୍ଚଳବାସୀ ଆଶା ପ୍ରକାଶ କରୁଥିବା ଜଣାଯାଇଛି । ନଚେତ୍ କୋର୍ଟର ଆଶ୍ରୟ ନିଆଯିବା ନେଇ ଅଞ୍ଚଳବାସୀ ଅଣ୍ଟା ଭିଡିଛନ୍ତି । ନୂତନ ରାଜସ୍ୱ ନିରୀକ୍ଷକ ମଣ୍ଡଳ ଥୁଆପଦର ପଞ୍ଚାୟତ ସଦର ମହକୁମାଠାରେ ପ୍ରତିଷ୍ଠା କରିବା ନେଇ ଦାବୀ କରିବା ସହ କଳାହାଣ୍ଡି ଜିଲ୍ଲାପାଳ, ଭବାନୀପାଟଣା ଉପଜିଲ୍ଲାପାଳ, କଳାହାଣ୍ଡି ଜିଲ୍ଲାପଞ୍ଚାୟତ ଅଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ, ବିରୋଧୀଦଳ ନେତା ତଥା ସଦର ବିଧାୟକ ପ୍ରଦୀପ୍ତ ନାଏକ, ଗୃହ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଅନ୍ୟ ପକ୍ଷରେ ଥୁଆପଦର ପଞ୍ଚାୟତର ୬ ଟି ଗ୍ରାମବସୀଙ୍କୁ ନେଇ ଗତ ୧୦ ତାରିଖ ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯଦି ଥୁଆପଦର ଠାରେ ରାଜସ୍ୱ କାର୍ଯ୍ୟାଳୟ ପ୍ରତିଷ୍ଠା କରା ନ ଯାଏ ତାହେଲେ କୋର୍ଟର ଆଶ୍ରୟ ନିଆଯିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର

Comments are closed.