ଇସ୍ତାହାର ଜାରି କଲା ବିଜେଡି: ୧୦୦ ୟୁନିଟ୍‌ ଯାଏଁ ମାଗଣା ବିଜୁଳି

ଯୁବକଙ୍କ ପାଇଁ ୧୦ ବର୍ଷରେ ୧ ଲକ୍ଷ କୋଟିର ବଜେଟ୍‌

ଭୁବନେଶ୍ବର: ଓଡ଼ିଶାରେ ଶହେ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣା ମିଳିବ। ୧୦୦ରୁ ୧୫୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଉପରେ ଗ୍ରାହକମାନେ ରିହାତି ପାଇବେ। ଓଡ଼ିଶାରେ ଏବେ ୭୫ ପ୍ରତିଶତ ପରିବାର ୧୦୦ ୟୁନିଟ୍‌ରୁ କମ୍‌ ବିଜୁଳି ବ୍ୟବହାର କରୁଥିବାରୁ ବହୁ ସଂଖ୍ୟାରେ ଲୋକ ଏହାଦ୍ବାରା ଉପକୃତ ହେବେ। ବିଜେଡି ତା’ର ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ଏମିତି ପ୍ରତିଶ୍ରୁତି ଦେଇଛି। ଏହାସହିତ ଯୁବପିଢ଼ି ଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ, ଚାଷୀଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ସବୁ ବର୍ଗକୁ ଖୁସି କଲା ପରି ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନ ଆଜି ଏହି ଇସ୍ତାହାର ପୁସ୍ତକକୁ ଉନ୍ମୋଚନ କରିଛନ୍ତି।

ବିଜେଡି ପକ୍ଷରୁ କୁହାଯାଇଛି ଯେ ଏହି ଇସ୍ତାହାର ଓଡ଼ିଶାରେ ଇତିହାସ ଲେଖିବ। ଗତ ୨୪ ବର୍ଷ ମଧ୍ୟରେ ବିଜେଡି ସରକାର ଓଡ଼ିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଓ ଅସ୍ମିତାର ପରିଚୟ ଭିତ୍ତିକ ରାଜ୍ୟରେ ପରିଣତ କରିଛି। ଏହି ଲୋକାଭିମୁଖୀ ଇସ୍ତାହାରରେ ଉପସ୍ଥାପିତ ଗ୍ୟାରେଣ୍ଟିଗୁଡ଼ିକ ୫-ଟି ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ। ଓଡ଼ିଶା ଗଠନର ଶହେ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ଅର୍ଥାତ ୨୦୩୪ ସୁଦ୍ଧା ଓଡ଼ିଶାକୁ ଏକ ନମ୍ବର ରାଜ୍ୟର ମାନ୍ୟତା‌ ପ୍ରଦାନ କରାଯିବ। ବିଜେଡି ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଓଡ଼ିଶାର ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ଏକ ଲକ୍ଷ କୋଟିର ଅଲଗା ବଜେଟ୍ ରଖାଯିବ। ଏହି ଯୁବ ବଜେଟ୍ ଜଳବାୟୁ ଓ ଜେଣ୍ଡର୍‌ ବଜେଟ୍ ଭଳି ବିଧାନସଭାରେ ଉପସ୍ଥାପିତ ହେବ। ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ। ବିଶ୍ୱରେ ଏହା ପ୍ରଥମ ପ୍ରକାରର ପ୍ରୟାସ ହେବ, ଯେଉଁଠାରେ ଯୁବକମାନେ ନିଜର ତଥା ଓଡ଼ିଶାର ପରିଚୟ ସୃଷ୍ଟି କରିପାରିବେ। ନୂଆ ‘ଓ’ ମ୍ୟାଜିକ୍ କାର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ଏହାର ପରିସରକୁ ବିସ୍ତାର କରାଯିବ। ନୂଆ ‘ଓ’ ଛାତ୍ରବୃତ୍ତି ବାଳିକାମାନଙ୍କ ପାଇଁ ବାର୍ଷିକ ୧୪,୦୦୦ ଏବଂ ପୁଅମାନଙ୍କ ପାଇଁ ବାର୍ଷିକ ୧୨,୦୦୦ ଟଙ୍କାକୁ ବୃଦ୍ଧି କରାଯିବ।

ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସମଗ୍ର ଇକୋସିଷ୍ଟମ୍‌କୁ ଶକ୍ତିଶାଳୀ କରାଯିବ, ଯାହା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ତିନିଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ। ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ। ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ ୧୦୦ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ। ଆଗାମୀ ୧୦ ବର୍ଷରେ ସହରୀ ଜନସଂଖ୍ୟାକୁ ଦ୍ୱିଗୁଣିତ କରାଯିବ। ଏଥିପାଇଁ ଉତ୍ତମ ଗୁଣବତ୍ତା ସମ୍ପନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଚାରିଟି ମେଗା ସହରୀ କ୍ଲଷ୍ଟର ଯୋଜନା କରାଯାଇଛି। ସେଗୁଡ଼ିକ ହେଲା ଭୁବନେଶ୍ୱର – କଟକ – ଖୋର୍ଦ୍ଧା – ପୁରୀ କ୍ଲଷ୍ଟର, ସମ୍ବଲପୁର- ଝାରସୁଗୁଡା – ରାଉରକେଲା କ୍ଲଷ୍ଟର, ବାରିପଦା- ବାଲେଶ୍ୱର- ଭଦ୍ରକ କ୍ଲଷ୍ଟର ଏବଂ ବ୍ରହ୍ମପୁର- ଛତ୍ରପୁର- ଗୋପାଳପୁର କ୍ଲଷ୍ଟର। ରାଜ୍ୟର ୨୦ଟି ପ୍ରମୁଖ ସହରକୁ ମଧ୍ୟ ବିକଶିତ କରାଯିବ।

ଯୁବକଙ୍କ ପାଇଁ ୧୦ ବର୍ଷରେ ୧ ଲକ୍ଷ କୋଟିର ବଜେଟ୍‌
ଏସ୍‌ଏଚ୍‌ଜିଙ୍କୁ ବିନା ସୁଧରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ
ଶାସ୍ତ୍ରୀୟ ଓଡ଼ିଆ ଭାଷା ପାଇଁ ୧୦୦ କୋଟି
ଆରମ୍ଭ ହେବ ‘କଳିଙ୍ଗଶ୍ରୀ’, ‘କଳିଙ୍ଗଭୂଷଣ’ ପୁରସ୍କାର

ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ମଧ୍ୟବିତ୍ତଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କୁ ବିଏସ୍‌କେୱାଇ କଭରେଜ୍ ସହିତ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ରିହାତି ଏବଂ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ପାଇଁ ଋଣ ଉପରେ ସୁଧ ରିହାତି ପ୍ରଦାନ କରାଯିବ। ବିଦ୍ୟୁତ ସବ୍‌ସିଡି ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ଲାଗୁ ହେବ। ବିନା ସୁଧରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ଏସ୍‌ଏଚ୍‌ଜିଗୁଡ଼ିକୁ ୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ହାସଲ କରି ୨୫୦୦ କୋଟି ଟଙ୍କାର ସୁଧ ସେମାନଙ୍କ ନିକଟକୁ ଫେରାଇ ଦିଆଯିବ। ଏସ୍‌ଏଚ୍‌ଜିକୁ ଆଗାମୀ ୧୦ ବର୍ଷରେ ୨୦,୦୦୦ କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ। ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ସବ୍‌ସିଡିଯୁକ୍ତ ଋଣ ଯୋଗାଇବା ପାଇଁ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସହାୟତା କରାଯିବ। ମିସନ ଶକ୍ତି ମହିଳାଙ୍କ ପାଇଁ ପେନ୍‌ସନ ରହିବ। ସମସ୍ତ ତୃଣମୂଳ ସ୍ତରର ମହିଳା କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମୀ ବିଏସ୍‌କେୱାଇ କଭରେଜ୍ ଓ ସାମାଜିକ ସୁରକ୍ଷା ପେନ୍‌ସନ ମଧ୍ୟ ପାଇବେ।

ବିଏସ୍‌କେୱାଇ ନବୀନ କାର୍ଡ ପ୍ରବର୍ତ୍ତନ ପ୍ରାୟ ସମସ୍ତ ବର୍ଗଙ୍କୁ କଭରେଜ୍ କରିବ। ଏଥିରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ। ଅନୁସଚିତ ଜାତି, ଜନଜାତି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସଶକ୍ତୀକରଣ ସର୍ବାଧିକ ପ୍ରାଥମିକତା ଅଟେ। ସ୍ୱୟମ ନିଯୁକ୍ତି ଦିଗରେ ପ୍ରତିବର୍ଷ ୧୦ ହଜାର ଏସ୍‌ଟି, ଏସ୍‌ସି ଓ ଓବିସି ଯୁବକମାନଙ୍କ ପାଇଁ ଏକ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ୧୦ ବର୍ଷ ମଧ୍ୟରେ ହଜାରେ କୋଟି ପାଣ୍ଠି ପ୍ରଦାନ କରାଯିବ। ସେହିଭଳି ଏସ୍‌ଟି, ଏସ୍‌ସି ଏବଂ ଓବିସିର ଯୁବକମାନଙ୍କୁ ଉଦ୍ୟମିତା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁଧ ଛାଡ଼ ହେବ। ଖାଦ୍ୟ ସୁରକ୍ଷା ସର୍ବଦା ବିଜେଡି ସରକାରଙ୍କ ଏକ ଗ୍ୟାରେଣ୍ଟି ଅଟେ। ସମସ୍ତ ଯୋଗ୍ୟ ପରିବାରକୁ ରାସନ କାର୍ଡ ଯୋଗ୍ୟତା ଭିତ୍ତିରେ ନିଶ୍ଚିତ ଯୋଗାଇ ଦିଆଯିବ, ଯାହା ସମସ୍ତ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିବ। କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ, ଯାହା ସାରା ରାଜ୍ୟରେ କୃଷକମାନଙ୍କୁ ଉପକୃତ କରିବ।

ଓଡ଼ିଶାର ଉପାସନା ପୀଠ, ଐତିହ୍ୟ ସ୍ଥଳ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କ ସହିତ ସଂପୃକ୍ତ ସ୍ଥାନଗୁଡ଼ିକ ସଂରକ୍ଷଣ କରିବା ପାଇଁ ଏକ ହେରିଟେଜ୍ ବିକାଶ ପାଣ୍ଠି ଭାବରେ ହଜାରେ କୋଟିର ଏକ କର୍ପସକୁ ପୃଥକ କରାଯିବ। ଶାସ୍ତ୍ରୀୟ ଭାଷା ଭାବରେ ଓଡ଼ିଆର ବିକାଶ ଓ ପ୍ରୋତ୍ସାହନ ପାଇଁ ୧୦୦ କୋଟି ରଖାଯାଇଛି। ପଶ୍ଚିମ ଓଡ଼ିଶାର ଭାଷାର ବିକାଶ ତଥା ଗବେଷଣା, ଅଧ୍ୟୟନ ଓ ଅନୁସନ୍ଧାନ ପାଇଁ ୨୫ କୋଟି ଟଙ୍କାର କର୍ପସ୍ ଫଣ୍ଡ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ। ପଦ୍ମଶ୍ରୀ ଓ ପଦ୍ମଭୂଷଣ ଭଳି ପ୍ରତିବର୍ଷ କଳିଙ୍ଗଶ୍ରୀ ଓ କଳିଙ୍ଗଭୂଷଣ ପୁରସ୍କାର ପ୍ରଦାନ କରାଯିବ। ସମଗ୍ର ରାଜ୍ୟରେ ଭାଗବତ ଟୁଙ୍ଗିର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇଦିଆଯିବ।

ସମ୍ବନ୍ଧିତ ଖବର