ରଙ୍ଗର ପର୍ବ ହୋଲି ପାଇଁ ପ୍ରାକୃତିକ ରଙ୍ଗକୁ ଗୁରୁତ୍ୱ, ବଢ଼ିଛି ଦର

ପୁରୀ: ରଙ୍ଗର ପର୍ବ ହେ‌ାଲି ପାଇଁ ବଜାରରେ ଏବେ ନାଲି, ନୀଳ, ସବୁଜ, ହଳଦିଆ, ବାଇଗଣି, କମଳା, ମହାବୀର ରଙ୍ଗର ଅବିର ଉପଲବ୍ଧ ହେଉଥିବା ବେଳେ ଦର ବୃଦ୍ଧି ପାଇଛି। କେଜି ପିଛା କେଉଁଠି ଦେଢ଼ଶହ ତ କେଉଁଠି ୨ଶହ ଟଙ୍କାରେ ବିକ୍ରି ହେଉଛି। ଏହାବ୍ୟତୀତ ଏବେ ବିଭିନ୍ନ ବ୍ରାଣ୍ଡ୍‌ରେ ପ୍ୟାକେଟ ଅବିର ବିକ୍ରି ହେଉଛି। ଏହାର ଦର ୨୫୦ ଟଙ୍କା ରହିଛି। କିଛି ବର୍ଷ ହେବ ସ୍ପ୍ରେ ରଙ୍ଗ ମଧ୍ୟ ଆକର୍ଷଣ ସାଜିଛି। ଏହାର ଚାହିଦା ରହିଥିବା ବେଳେ ଦର ୫୦ ଟଙ୍କା‌ ରହିଛି। ରସାୟନିକ ରଙ୍ଗ ବିକ୍ରିବଟାରେ ସରକାରୀ କଟକଣା ରହିଥିଲେ ହେଁ କିଛି ସ୍ଥାନରେ ଏହା ଲୁଚାଇ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି।

ରଙ୍ଗର ପର୍ବରେ ପିଲାମାନଙ୍କ ମନ ଜାଣି ଏଥର ବିଭିନ୍ନ କିସମର ପିଚକାରୀ ମଧ୍ୟ ବଜାରକୁ ଆସିଛି। ବଳଗଣ୍ଡି ଛକରେ ଅସ୍ଥାୟୀ ଅବିର ଦୋକାନ ଖୋଲିଥିବା ପ୍ରଶାନ୍ତ କୁମାର ଦାସ କହିଛନ୍ତି, ଏଥର କେବଳ ଫଗୁ, ପିଚ୍‌କାରୀ, ମୁଖା ଓ ପାଣି ରଙ୍ଗ ଆଣିଛନ୍ତି। ସମସ୍ତ ରଙ୍ଗ ଓ ହୋଲି ପର୍ବର ଅନ୍ୟାନ୍ୟ ଜିନିଷ ଜଟଣୀରୁ ଆଣିଥିବା ବେଳେ ବିକ୍ରିବଟା ମାନ୍ଦା ବୋଲି କହିଛନ୍ତି। ତେବେ ହୋଲି ପର୍ବ ଆଉ ୪ ଦିନ ଥିବାରୁ ପୂର୍ବବର୍ଷ ଅପେକ୍ଷା ଏଥର ଭଲ ବିକ୍ରିବଟା ହେବ ବୋଲି ସେ ଆଶାବାଦୀ ଅଛନ୍ତି। ଛୋଟ ପିଲାମାନଙ୍କ ପାଇଁ ପାଣି ରଙ୍ଗ ରହିଥିବା ବେଳେ କଣ୍ଢେଇ, ବନ୍ଧୁକ ପିଚିକାରୀ କିଣିବାକୁ ପିଲାମାନେ ଆଗ୍ରହ ଦେଖାଉଥିବା ସେ କହିଛନ୍ତି। ପିଚିକାରୀଗୁଡ଼ିକର ଦର ୩୦ ଟଙ୍କାରୁ ନେଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ସେ କହିଛନ୍ତି। ସେହିଭଳି ଯୁବପିଢ଼ିଙ୍କ ସଉକକୁ ଦୃଷ୍ଟିରେ ରଖି ଏଥର ବି ଭଳିକି ଭଳି ମୁଖା ବଜାରକୁ ଆସିଛି। କିଛିକିଛି କାର୍ଟୁନ ମୁଖା ମଧ୍ୟ ବିକ୍ରିବଟା ହେଉଛି। ଏହା ବ୍ୟତୀତ ଝୋଟରେ ପ୍ରସ୍ତୁତ ନକଲି ଚୁଟି ମଧ୍ୟ ଉପଲବ୍ଧ ହେଉଛି। ଏଣେ ଦୁଇବର୍ଷ ହେଲା କୋଭିଡ୍‌ ଯୋଗୁଁ ହୋଲି ନିରାଶାରେ ବିତିବା ପରେ ଲୋକେ ବି ଏହାକୁ ଆଡ଼ମ୍ବର ସହକାରେ ମନାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଭୋଜି ଆୟୋଜନ ସହ କିଛିକିଛି ଆପାର୍ଟମେଣ୍ଟ ସୋସାଇଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର