ବାଲେଶ୍ୱରରେ ହେବ ୮୭୦ କୋଟିର ଇଥାନଲ୍‌ ପ୍ଲାଣ୍ଟ୍‌

ଘୋଷଣା କଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସ୍ବଚ୍ଛ ସବୁଜ ଇନ୍ଧନ ଦ୍ବାରା ସୁରକ୍ଷିତ ରହିବ ପରିବେଶ
ଉପକୃତ ହେବେ ଚାଷୀ, ସୃଷ୍ଟି ହେବ କର୍ମନିଯୁକ୍ତି

ବାଲେଶ୍ୱର : ଆଗାମୀ ଦିନରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର-ପଶ୍ଚିମାଞ୍ଚଳ ସମେତ ପୂର୍ବ ଭାରତ ଉର୍ଜା କ୍ଷେତ୍ରରେ ନୂଆ ହବ୍ ପାଲଟିବାକୁ ଯାଉଛି। ପ୍ରାକୃତିକ ଗ୍ୟାସ୍‌ ଯଥା ସିବିଜି, ସିବିଏମ୍‌, ସିଜିଡି, ସିନ୍‌ଜି, ଏଲ୍‌ଏନ୍‌ଜି ଆଦିର ବହୁଳ ଉତ୍ପାଦନ ଦ୍ବାରା ପୂର୍ବାଞ୍ଚଳର ସାମୂହିକ ବିକାଶ ଘଟିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଆନ୍‌ ଅଏଲ ପକ୍ଷରୁ ବାଲେଶ୍ବରର ରେମୁଣାସ୍ଥିତ ବାଲଗୋପାଳପୁର ଶିଳ୍ପାଞ୍ଚଳରେ ୮୭୦ କୋଟି ବ୍ୟୟରେ ଇଥାନଲ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଥିବା ବେଳେ ରାଜ୍ୟ ସରକାର ଏହାକୁ ଅନୁମୋଦନ କରିଛନ୍ତି। ଆଜି ଟୁଇଟ୍‌ ଜରିଆରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସୂଚନା ଦେବା ପରେ ବାଲେଶ୍ବରବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

ବାଲେଶ୍ବରରେ ଏହି ପ୍ଲାଣ୍ଟ୍‌ ପ୍ରତିଷ୍ଠା ହେଲେ ବିଶେଷ କରି ଚାଷୀମାନେ ଉପକୃତ ହେବେ ଏବଂ ସ୍ବଚ୍ଛ, ସବୁଜ ଇନ୍ଧନ ଦ୍ବାରା ପରିବେଶ ସୁରକ୍ଷିତ ରହିବ। ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ରୋଜଗାର, ନିଯୁକ୍ତି, ପାରିପାର୍ଶ୍ବିକ ବିକାଶ ସାଙ୍ଗକୁ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଯୋଜନା ସ୍ବପ୍ନ ପୂରଣ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ଏଥିସହ ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ଏବଂ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ବ ଦିଆଯିବ।

ବାଲେଶ୍ବର ଜିଲ୍ଲାରେ ଏବେ ପ୍ରମୁଖ ଶିଳ୍ପସଂସ୍ଥାଗୁଡ଼ିକ ରୁଗ୍‌ଣ ଅବସ୍ଥାରେ ଥିବା ବେଳେ ହଜାର ହଜାର ଶ୍ରମିକ ଓ କର୍ମଚାରୀ ରୋଜଗାର ହରାଇଛନ୍ତି। କରୋନା କାଳରେ ସେମାନଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ତେବେ ଆଗକୁ ବାଲିଆପାଳଠାରେ ସୁବର୍ଣ୍ଣରେଖା ବନ୍ଦର, ଚଉମୁଖ-ଡଗରାଠାରେ ପେଟ୍ରୋ କେମିକାଲ୍ସ ପ୍ରକଳ୍ପ ଏବଂ ବର୍ତ୍ତମାନ ଇଥାନଲ୍‌ ପ୍ଲାଣ୍ଟ୍‌ ଜିଲ୍ଲାକୁ ପୁଣି ଥରେ ବିକାଶ ପଥରେ ଅଗ୍ରସର କରାଇବ ବୋଲି ଜିଲ୍ଲାବାସୀ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର