ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଗୁରୁତର ସଂକଟ ସୃଷ୍ଟି କରିବ, ସୀମାନ୍ତରେ ସେମାନଙ୍କ ରହଣି ବ୍ୟବସ୍ଥା, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ: କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ଉଚିତ ନୁହେଁ ଓ ଏହା ଗୁରୁତର ସଂକଟ ସୃଷ୍ଟି କରିବ ବୋଲି ରବିବାର ଦିନ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସତର୍କ କରିଛନ୍ତି । ଏଥିସହ ରାଜ୍ୟର ସୀମାନ୍ତରେ ସେମାନଙ୍କୁ ଅଟକାଇ ସେହିଠାରେ ହିଁ ରହିବା-ଖାଇବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ନିର୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଶ୍ରମଜୀବୀଙ୍କର ଅସ୍ଥାୟୀ ରହଣିସ୍ଥଳରେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି ହାଇକୋର୍ଟ। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି  ଓ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଖଣ୍ଡପୀଠ ଆଜି ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦେଶନାମା ଜାରି କରିଛନ୍ତି।

ଏ ସଂକ୍ରାନ୍ତରେ ହାଇକୋର୍ଟ ରେଜିଷ୍ଟ୍ରି ନିଜ ତରଫରୁ ଏକ ଜନସ୍ୱାର୍ଥମାମଲା ରୁଜୁ କରିଥିଲେ । ଏହାର ଶୁଣାଣି କରି ଅଦାଲତ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ପଡ଼ୋଶୀ ରାଜ୍ୟ ତଥା ପଡ଼ୋଶୀ ଜିଲ୍ଲାମାନଙ୍କରୁ ଶ୍ରମଜୀବୀ/ଶ୍ରମିକବର୍ଗ ଓ ସେମାନଙ୍କ ପରିବାରର ସ୍ଥାନାନ୍ତରଣ ଉଦ୍ୟମ ଯୋଗୁଁ ସାଙ୍ଘାତିକ ସମସ୍ୟା ସୃଷ୍ଟି ହେବ । ସମ୍ପୃକ୍ତ ଶ୍ରମଜୀବୀମାନଙ୍କ ମଧ୍ୟରୁ କେହି କରୋନାଭାଇରସ୍ ଆକ୍ରାନ୍ତ କି, ନୁହେଁ ଯାଞ୍ଚ କରିବାର କୌଣସି ବ୍ୟବସ୍ଥା ନାହିଁ । ପୁଣି, ଏତେ ସଂଖ୍ୟକ ଲୋକଙ୍କ ସ୍ଥାନାନ୍ତରଣ କରୋନାଭାଇରସ୍ ବିସ୍ତାରରେ ସହାୟକ ହୋଇପାରେ । ହଜାର ହଜାର ସ୍ଥାନରେ ଥିବା ଏତେ ସଂଖ୍ୟକ ଲୋକଙ୍କ କଥା ବୁଝିବା ସହଜ ନୁହେଁ । ସେମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ଯାନବାହନ ଯୋଗାଇବା ମଧ୍ୟ କଠିନ କାର୍ଯ୍ୟ ।

ସବୁ ସମସ୍ୟାକୁ ଦୃଷ୍ଟି ଦେଇ  ଶ୍ରମଜୀବମାନଙ୍କ ରହଣି, ଖାଦ୍ୟ, ପରିମଳ ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସରକାର ସମସ୍ତ ସୀମାନ୍ତ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି  । ସ୍ଥାନାଭାବ ହେଲେ ଜିଲ୍ଲା ପ୍ରଶାସନ ଶୌଚାଳୟ ସୁବିଧା ଥିବା ବନ୍ଦ କଲେଜ ଓ ସ୍କୁଲକୁ  ବ୍ୟବହାର କରିପାରିବେ । ଜିଲ୍ଲାସ୍ତରୀୟ ସ୍ଥାନାନ୍ତରଣରେ ମଧ୍ୟ ଏହି ପ୍ରକାର ବ୍ୟବସ୍ଥା ସମ୍ପୃକ୍ତ ଜିଲ୍ଲାପାଳ ଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ କରିପାରିବେ । ଅନ୍ତତଃ ଲକଡାଉନ ଉଠିବାଯାଏଁ ଏ ଭଳି ବ୍ୟବସ୍ଥା ଚାଲି ପାରିବ ବୋଲି ହାଇକୋର୍ଟ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର