ବିଭିନ୍ନ ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି

ଭୁବନେଶ୍ବର: ବାତ୍ୟା ‘ଫନି’କୁ ଆଖି ଆଗରେ ରଖି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପିପିଲିରେ ସାଇରନ୍ ବଜାଇ ସତର୍କ କରାଯାଇଛି । ସେହିପରି କାକଟପୁର -ଅସ୍ତରଙ୍ଗର ତଳିଆ ଅଂଚଳ ଓ କଚ୍ଚା ଘରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଅସ୍ତରଙ୍ଗ ବ୍ଲକର ଛେନୁ, ତତ୍ପାଘର, ଉଦୟକଣି , କଟକଣା ଗ୍ରାମର ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଉଛି । ତଣ୍ଡାଘରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ନିଆଯାଇଛି । ତେବେ ସମୁଦ୍ରଠାରୁ ମାତ୍ର ୧୦୦ମିଟର ଦୂରରେ ତଣ୍ଡାଘର ବାତ୍ୟା ଆଶ୍ରୟ ସ୍ଥଳୀ ଥିବାରୁ ସେଠାରୁ ପୁଣି ଚିତ୍ରେଶ୍ୱର ହାଇସ୍କୁଲକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି ।

ଚନ୍ଦ୍ରଭାଗରେ ବି ସ୍ଥାନାନ୍ତରଣ ପ୍ରକିୟାକୁ ଜୋରଦାର କରିଛି ସ୍ଥାନୀୟ ପ୍ରଶାସନ । ଲୋକମାନଙ୍କୁ ସୁରକ୍ଷିତ ଭବେ ସମୁଦ୍ର ନିକଟବର୍ତ୍ତି ଅଂଚଳରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ବସ୍ତି ଓ ତଳିଆ ଅଂଚଳରୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ନିଆଯାଉଛି । ସେହିପରି ଚନ୍ଦ୍ରଭାଗାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ସମୁଦ୍ରକୁ ଯାଇ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରିଆସିଛନ୍ତି ।

ସେହିଭଳି ସାତଭାୟାରରେ ରହିଯାଇଥିବା ୭୦ ପରିବାର ଲୋକ ଆଜି ବାତ୍ୟା ଫନି ଭୟରେ ଗାଁ ଛାଡିବାକୁ ବାଧ୍ୟ ହୋଇଛନ୍ତି । ସମୁଦ୍ର ଗାଁ ଆଡକୁ ମାଡି ଆସିବାରୁ ଗତବର୍ଷ ପ୍ରଶାସନ ପକ୍ଷରୁ ଏହି ଗାଁର ୫୦୦ ପରିବାରକୁ ଅନ୍ୟତ୍ର ଥଇଥାନ କରାଯାଇଥିଲା । ହେଲେ ୭୦ ପରିବାର ଗାଁ ନଛାଡି ସେହିଠାରେ ରହିଯାଇଥିଲେ । ଡଙ୍ଗାରେ ନିଜ ନିଜର ପରିବାର ଗୃହପାଳିତ ପଶୁଙ୍କ ସହ ସୁରକ୍ଷିତ ସ୍ଥାନକୁ ଚାଲି ଆସିଛନ୍ତି ସାତଭାୟା ବାସୀ ।

ସମ୍ବନ୍ଧିତ ଖବର