ମଙ୍ଗଳବାର ସଂଧ୍ୟାସୁଦ୍ଧା ଲୋକଙ୍କ ସ୍ଥାନାନ୍ତରଣ କାର୍ଯ୍ୟ ଶେଷହେବ : ବାତ୍ୟା ମୁକାବିଲା ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତି ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯ଼େ ବାତ୍ୟା ୟାସ୍ ବାଲେଶ୍ବର କିମ୍ବା ଭଦ୍ରକରେ ଲାଣ୍ଡଫଲ କରିବ । ତେବେ ଆଗାମୀ ସମୟରେ ଭାରତୀୟ ପାଣିପାଗ ବିଭାଗ ଏ ନେଇ ସ୍ଥିତି ସ୍ପଷ୍ଟ କରିବ ।

ବାତ୍ୟା ପ୍ରଭାବରେ ୨୫ରୁ ୨୭ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ବର ଓ ଭଦ୍ରକରେ ସମୁଦ୍ରରେ ବଡ଼ ବଡ଼ ଉଚ୍ଚତାର ଢେଉ ଉଠିବ ବୋଲି ସେ କହିଛନ୍ତି ।

ଆସନ୍ତା କାଲି ସଂଧ୍ୟା ସୁଦ୍ଧା ସବୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହୋଇଥିବ । ଆସନ୍ତା କାଲି ସଂଧ୍ୟାସୁଦ୍ଧା ତଳିଆ ଓ ବିପଦର ସମ୍ଭାବନା ଥିବା ଅଞ୍ଚଳରେ କୌଣସି ଲୋକ ଘରେ ନ ଥିବେ । ବାତ୍ୟା ଆଶ୍ରୟସ୍ଥଳରେ ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯ଼ାଇଛି । ଏହା ସହିତ ଗର୍ଭବତୀ ମହିଳା ଓ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯ଼ାଇଛି ।
ବଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ହାଇ ଇମ୍ପାକ୍ଟ ଜୋନ ମଧ୍ୟରେ ରହିବ । ଏହା ସହିତ ଯ଼ାଜପୁର, କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରଭାବ ରହିବ । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯ଼ାଇଛି ।

ବାତ୍ୟା ପରଦିନ ବିଦ୍ୟତ ସରବରାହ ଚାଲୁ କରିବାକୁ ବିଦ୍ୟୁତ ବିଭାଗ କର୍ମଚାରୀମାନେ କାମ କରୁଥିବାରୁ ସେଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ୟ଼୍ୟନ୍ତ ଘରେ ଜେନେରେଟର ନ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର